ନୂଆସାହିରେ ଛେଳି ମଡ଼କ, ୧୧ ମୃତ

ବାଲିଅନ୍ତା: ବେଣୁପୁର ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ଥିବା ପ୍ରତାପରୁଦ୍ରପୁର ପଞ୍ଚାୟତ ନୂଆସାହି ଗ୍ରାମରେ ଏବେ ଛେଳି ମଡ଼କ ପଡ଼ିଛି। ଗତ ସପ୍ତାହକ ମଧ୍ୟରେ ପତଳାଝାଡ଼ାରେ ଉପରୋକ୍ତ ଗ୍ରାମରେ ୧୧ଟି ଛେଳିଙ୍କର ମୃତ୍ୟୁ ଘଟିଛି । ୮ ନମ୍ବର ଓ୍ଵାର୍ଡ଼ର ଚନା ରାଉତଙ୍କର ୬ଟି ଛେଳିଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ନମ୍ବର ଓ୍ଵାର୍ଡ଼ର କିଣୁ ଜେନାଙ୍କର ୫ଟି ଛେଳିଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କର ଆଉ ଦୁଇଟି ଛେଳି ମଧ୍ୟ ଏହି ରୋଗରେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଏଥିସହିତ ଗ୍ରାମର ଆଉ କେତେଜଣ ଛେଳି ପାଳକଙ୍କର ଛେଳି ମଧ୍ୟ ରୋଗଗ୍ରସ୍ତ ହୋଇଛନ୍ତି । ରୋଗ ନିରାକରଣ ଦିଗରେ ଦାୟିତ୍ୱରେ ଥିବା ବିଭାଗୀୟ କର୍ମକର୍ତ୍ତା ଏଯାଏ କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିନଥିବାରୁ ଛେଳି ପାଳକମାନେ ଚିନ୍ତାରେ ଅଛନ୍ତି। ଗ୍ରାମର କ୍ଷୀରୋଧ ଚନ୍ଦ୍ର ପଣ୍ଡାଙ୍କ କହିବାନୁଯାୟୀ ଏହି ରୋଗାକ୍ରାନ୍ତ ଛେଳିର ଦିନେ ଦୁଇଦିନ ଧରି ପତଳା ଝାଡ଼ା ଲାଗି ରହିବା ସହିତ ଗୋଡ଼ ବଙ୍କା କରି ଚାଲୁଛନ୍ତି । ଭଲ ଖାଉ ନଥିବା ବେଳେ ଢ଼ୁଳାଉଛନ୍ତି। ଏହାପରେ ସେମାନଙ୍କର ମୃତ୍ୟୁ ହୋଇଯାଉଛି। ଏସଂପର୍କରେ କର୍ତ୍ତୃପକ୍ଷଙ୍କ ନିକଟରେ ସ୍ଥାନୀୟ ଲୋକ ଦୃଢ଼ ଅଭିଯୋଗ କରିବା ପରେ ଅସୁସ୍ଥ ଛେଳିମାନଙ୍କୁ ଚିକିତ୍ସା କରାଯାଇଥିଲେ ହେଁ ସେମାନଙ୍କ ମଧ୍ୟରୁ ୧୧ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଏ ଗ୍ରାମରେ ପ୍ରାୟ ୧୦ ପ୍ରତିଶତ ଲୋକ କୃଷିକାମ ସହିତ ଛେଳି ଓ ଗାଈ ପାଳନ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ଏସଂପର୍କରେ ଅଧିକ ଜାଣିବା ପାଇଁ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନି ।

ସମ୍ବନ୍ଧିତ ଖବର