ରାଜଧାନୀରେ ବଢ଼ୁଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା

ଜୁନ୍, ଜୁଲାଇରେ ୫%, ଅଗଷ୍ଟରେ ଛୁଇଁଲାଣି ୧୦%

ଭୁବନେଶ୍ବର : ରାଜଧାନୀରେ ୧୮ବର୍ଷରୁ କମ୍ ବୟସର ପିଲାଙ୍କ କରୋନା ସଂକ୍ରମଣ ହାର ବଢ଼ୁଛି। ଗତ ୪ମାସର ପରିସଂଖ୍ୟାନରୁ ଏଭଳି ବୃଦ୍ଧି ସଂପର୍କରେ ତଥ୍ୟ ସାମ୍ନାକୁ ଆସିଛି। ସମ୍ଭାବ୍ୟ ତୃତୀୟ ଲହରରେ ୧୮ବର୍ଷ ବୟସରୁ କମ୍ ପିଲାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ ରାଜଧାନୀରେ ଅଧିକ ସଂଖ୍ୟାରେ ପିଲା କରୋନା ସଂକ୍ରମିତ ହେବା ନିଶ୍ଚିତଭାବେ ଚିନ୍ତାର ବିଷୟ ହୋଇଛି।

ଏପ୍ରିଲ ମାସରେ ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଥିଲା। ଏପ୍ରିଲ ତୃତୀୟ ସପ୍ତାହରେ ଆକ୍ରାନ୍ତ ପିଲାଙ୍କ ସଂଖ୍ୟା ମୋଟ ସଂକ୍ରମିତଙ୍କ ମାତ୍ର ୩ ପ୍ରତିଶତ ରହିଥିଲା। ମେ’ ତୃତୀୟ ସପ୍ତାହରେ ଏହା ବଢ଼ି ୫ପ୍ରତିଶତରୁ ଅଧିକ ହୋଇଥିଲା। ତେବେ ଜୁନ୍‌ ଓ ଜୁଲାଇ ତୃତୀୟ ସପ୍ତାହ‌ରେ ରାଜ୍ୟ ତଥା ରାଜଧାନୀରେ ଶୀର୍ଷ ସଂକ୍ରମଣ ସମୟରେ ପିଲାଙ୍କ ସଂକ୍ରମଣ ହାରରେ ପରିବର୍ତନ ହୋଇ ନ ଥିଲା। ହେଲେ ଚଳିତ ମାସ ଆରମ୍ଭରୁ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆରମ୍ଭ କରିଛି। ଗତ ସପ୍ତାହର ତଥ୍ୟ ହିସାବକୁ ନେଲେ ୧ରୁ ୧୭ ବୟସର ୮-୧୦ ପ୍ରତିଶତ ଶିଶୁ କରୋନାରେ ଆକ୍ରାନ୍ତ ହେଉଥିବା ଦେଖାଯାଇଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ବର୍ତମାନ ପରିସ୍ଥିତିରେ ୧୨ ପ୍ରତିଶତ ଶିଶୁ କରୋନାରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ରାଜ୍ୟସ୍ତରରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି। ହେଲେ ରାଜଧାନୀରେ ରାଜ୍ୟ ତୁଳନାରେ ଏହା କମ୍ ରହିଛି। ହେଲେ ଏବେ ଯେଉଁ ହାରରେ ପିଲାଙ୍କ ସଂକ୍ରମଣ ବଢ଼ି ଚାଲିଛି ଯଦି ଏହି ଧାରା ଜାରି ରହେ ତାହେଲେ ଖୁବଶୀଘ୍ର ରାଜ୍ୟସ୍ତରରେ ସଂକ୍ରମିତ ହେଉଥିବା ପିଲାଙ୍କ ସହିତ ଏହା ସମାନ ହୋଇ ଯାଇପାରେ।

long island press

ରାଜଧାନୀର ଝାରପଡ଼ା, ୟୁନିଟ୍‌-୧,୨,୬, ଓ ୮, ନୂଆପଲ୍ଲୀ, ରସୁଲଗଡ଼, ଭୀମଟାଙ୍ଗି, ଖଣ୍ଡଗିରି, ଶୈ‌ଳଶ୍ରୀବିହାର, ନୀଳାଦ୍ରିବିହାର, ପୁରୁଣା ଭୁବନେଶ୍ବର, ସୁନ୍ଦରପଦା, ସତ୍ୟନଗର, ସତ୍ୟବିହାର, ଟଙ୍କପାଣି ରୋଡ୍‌, ହଂସପାଳ ଲକ୍ଷ୍ମୀସାଗର ଅଞ୍ଚଳରେ ଅଧିକ ଶିଶୁ ସଂକ୍ରମିତ ହେଉଛନ୍ତି। ଏପରିକି ଝାରପଡ଼ା ଓ କଳ୍ପନା ଅଞ୍ଚଳରେ ଗୋଟିଏ ପରିବାରରୁ ଏକ ସମୟରେ ତିନି ତିନି ଜଣ ଶିଶୁ ସଂକ୍ରମିତ ହେବା ନଜରକୁ ଆସିଛି। ଚଳିତମାସ ପହିଲାରୁ ଆଜି ପର୍ଯ୍ୟନ୍ତ ୨୨ ଦିନରେ ମୋଟ ୪୯୯ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଅର୍ଥାତ୍‌ ଦିନକୁ ୨୨ରୁ ୨୩ ଜଣ ଶିଶୁ ସଂକ୍ରମିତ ହେଉଛନ୍ତି। ହେଲେ ଆଶ୍ବସ୍ତିର ଖବର ହେଲା କୌଣସି ଶିଶୁ ଗୁରୁତର ହେଉ ନାହାନ୍ତି କି ସେମାନଙ୍କୁ କୌଣସି ଅକ୍ସିଜେନ୍ ସହାୟତାର ଆବଶ୍ୟକତା ପଡ଼ୁନାହିଁ। ଅଧିକାଂଶ ସଂକ୍ରମିତ ଶିଶୁ ସଙ୍ଗରୋଧରେ ରହିବା ସହ ଔଷଧ ଖାଇ ସୁସ୍ଥ ହେଉଥିବା ବିଏମ୍‌ସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ରାଜଧାନୀରେ କରୋନା ଗ୍ରାଫ୍ ତଳକୁ ତଳକୁ ଯାଉଛି। ଗତ ୨୪ଘଣ୍ଟାରେ ରାଜଧାନୀରୁ ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୫ଜଣ ଶିଶୁ ରହିଛନ୍ତି। ପଟିଆ, ନୟାପଲ୍ଲୀ, ସହିଦ ନଗର, ଝାରପଡ଼ା, ପୁରୁଣା ଭୁବନେଶ୍ବର ଆଦି ଅଞ୍ଚଳ‌ରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୫ହଜାର ୬୮୦ରେ ପହଞ୍ଚିଥିବା ବେଳେ ଏଥିରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୪୫୪ ରହିଛି। ତହିଁରୁ ୧ଲକ୍ଷ ୧ହଜାର ୨୬୪ଜଣ ସୁସ୍ଥ ହୋଇ ସାରିଛନ୍ତି। ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୪୩୩ରେ ପହଞ୍ଚିଛି। ରାଜଧାନୀରେ ଆଉ ୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀଭାବେ ଘୋଷଣା ହୋଇଛି। ଯାହାଫଳରେ ମୋଟ ମୃତ୍ୟୁ ସଂଖ୍ୟା ୯୮୭କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର