ରାଜଧାନୀ‌ରେ ୪ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଦିନକରେ ୧୩୩ ଚିହ୍ନଟ, ୨୦୦ ସୁସ୍ଥ, ଆଜି ୧୯ଜଣଙ୍କ ମୃତ୍ୟୁ!

ଭୁବନେଶ୍ୱର : ରାଜଧାନୀ‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୧୩୩ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୬୨ରେ ପହଞ୍ଚିଛି। ଯାହାକି ଖୋର୍ଧା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟାର ୬୧ ପ୍ରତିଶତ। ଗତ ୧୦ ଦିନରେ ରାଜଧାନୀରେ ୧୨୦୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୩୩ ସଂକ୍ରମିତଙ୍କ ମଧ୍ୟରେ ୯୬ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ଏଥିରେ ବିଜେବି ନଗର, ପଳାସୁଣି ଓ ନୂଆପଲ୍ଲୀ ଅଞ୍ଚଳରୁ ୭ଜଣ ଲେଖାଏଁ, ଆଇଆରସି ଭିଲେଜ ଭିଆଇପି କଲୋନିରୁ ୫ଜଣ, ରାମେଶ୍ବରପାଟଣା ଓ ମଞ୍ଚେଶ୍ବରରୁ ୪ଜଣ ଲେଖାଏଁ, ନୂଆପଲ୍ଲୀ ଓଏମ୍‌ସି କଲୋନି, ସାମନ୍ତରାପୁର, ବମିଖାଲ, ବଡ଼ଗଡ଼ ବ୍ରିଟ୍‌ କଲୋନିରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ବିଭିନ୍ନ ଅଞ୍ଚଳରୁ ମଧ୍ୟ ସଙ୍ଗରୋଧରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ୩୭ ସ୍ଥାନୀୟ ସଂକ୍ରମିତ ମଧ୍ୟ ବିଭିନ୍ନ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସୁସ୍ଥ ହାର ୬୪ ପ୍ରତିଶତ ରହିଛି। ଆଜି ୨୦୦ ଜଣ ସୁସ୍ଥ ହୋଇଛନ୍ତି। ଏ ପର୍ଯ୍ୟନ୍ତ ୨୬୭୩ ଜଣ ରୋଗୀ ସୁସ୍ଥ ହୋଇସାରିଥିବା ବେଳେ ୧୩୬୭ଜଣ ଚିକିତ୍ସାଧୀନ ଅଛନ୍ତି। ରାଜଧାନୀରେ ୨୦ଜଣ ରୋଗୀ କରୋନା‌ରେ ପ୍ରାଣ ହରାଇ ସାରିଛନ୍ତି।

ଆଜି ୧୯ଜଣଙ୍କ ମୃତ୍ୟୁ!
ଭୁବନେଶ୍ୱର : ଆଜି ରାଜଧାନୀର ବିଭିନ୍ନ ହସ୍ପିଟାଲରେ ୧୯ଜଣ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କର ମୃତ୍ୟୁ ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବ‌ା ସୂଚନା ଅନୁଯାୟୀ, ସମ୍‌, କିମ୍‌ସ, ଆଦିତ୍ୟ-ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ ସମେତ ଆମ୍ରି ଓ ଏମ୍‌ସରେ ବି କିଛି ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କୋଭିଡ୍‌ ହସ୍ପିଟାଲରେ ସମସ୍ତ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ଆମ୍ରି ଓ ଏମ୍‌ସରେ ମୃତ ବ୍ୟକ୍ତିଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିଛି। ଏହି ୧୯ ଜଣଙ୍କ ମଧ୍ୟରେ ଭୁବନେଶ୍ବରର ୨ଜଣ ରହିଥିବା ଜଣାପଡ଼ିଛି। ଏହାବାଦ୍ ଗଞ୍ଜାମ ଓ ବିଭିନ୍ନ ଜିଲ୍ଲାର କରୋନା ଆକ୍ରାନ୍ତ ଅଛନ୍ତି। ଗତ କିଛି ଦିନ ହେଲା ସତ୍ୟନଗର ଶ୍ମଶାନରେ ଦିନକୁ ୧୫ରୁ ଅଧିକ କରୋନା ଆକ୍ରାନ୍ତ/ସନ୍ଦିଗ୍ଧଙ୍କର ଶବ ଦାହ ହେଉଥିବା ବେଳେ ଆଜି ଏହା ରେକର୍ଡ ଭାଙ୍ଗିଛି। ଆଜି ୧୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତଙ୍କର ଶବଦାହ କରିବା ସମ୍ଭବ ହୋଇନି। କିଛି ଲୋକଙ୍କର ମଙ୍ଗଳବାର ଶବଦାହ ହେବ ବୋଲି ଜଣାପଡ଼ିଛି। ଅପରପକ୍ଷେ ହାଠତ୍ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତାଜନକ ହୋଇଛି। ବିଭିନ୍ନ ଜିଲ୍ଲାରୁ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ଆଜି ଏହି ୧୯ଜଣଙ୍କୁ ରାଜ୍ୟ ସରକାର କେବେ କରୋନା ଜନିତ ମୃତ୍ୟୁ ବୋଲି ଦର୍ଶାଉଛନ୍ତି ତାହାକୁ ଅପେକ୍ଷା।

ସମ୍ବନ୍ଧିତ ଖବର