ଭୁବନେଶ୍ବର : ରାଜଧାନୀରେ ଆଜି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଅଙ୍କ ଛୁଇଁଛି। ଏପ୍ରିଲ ପ୍ରଥମ ସପ୍ତାହରେ ଦୁଇ ଅଙ୍କ ବିଶିଷ୍ଟ ସଂକ୍ରମିତ ରାଜଧାନୀରୁ ଚିହ୍ନଟ ହେଉଥିବାବେଳେ ମାସ ଶେଷ ସପ୍ତାହରେ ଏହା ଚାରି ଅଙ୍କରେ ପହଞ୍ଚି ଯାଇଛି। ଆଜି ୧୦୪୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ରାଜଧାନୀରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଯେପରି ଧାରା ଜାରା ରହିଛି ଆସନ୍ତାକାଲି ବି ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି। ଆଜି ସଙ୍ଗରୋଧରୁ ୨୧୯ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୮୨୫ଜଣ। ଏଥିରେ ସର୍ବାଧିକ ପଟିଆରୁ ଚିହ୍ନଟ ହୋଇଛନ୍ତି। ଏଠାରେ ଆଜି ୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୪ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୧୨ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଲ୍ଲୀରୁ ୫୯ଜଣ, ଖଣ୍ଡଗିରିରୁ ୫୧, ଚନ୍ଦ୍ରଶେଖରପୁରରୁ ୫୬, ପୁରୁଣା ଭୁବନେଶ୍ବରରୁ ୪୬, ବଡ଼ଗଡ଼ରୁ ୧୭, ଡୁମଡୁମାରୁ ୨୦, ମଞ୍ଚେଶ୍ବରରୁ ୨୫, ଜୟଦେବ ବିହାରରୁ ୧୪, ନୀଳାଦ୍ରିବିହାରରୁ ୧୩, ବିଜେବି ନଗରରୁ ୧୭, ବରମୁଣ୍ଡାରୁ ୩୧, ଲକ୍ଷ୍ମୀସାଗରରୁ ୨୦, ଝାରପଡ଼ାରୁ ୧୮, ରସୁଲଗଡ଼ରୁ ୨୮, ସୁନ୍ଦରପଦାରୁ ୩୦, ୟୁନିଟ-୮ରୁ ୧୯, ୟୁନିଟ-୬ରୁ ୧୮, ସହିଦନଗରରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷକରି ବହୁ ଆପାର୍ଟମେଣ୍ଟରେ ୧୦ରୁ ଅଧିକ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ବିଏମ୍‌ସି ପାଇଁ ଚିନ୍ତାର କାରଣ ହୋଇଛି। ଆପାର୍ଟମେଣ୍ଟ‌ଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ନ କମିଲେ ଏହାକୁ ସିଲ୍‌ କରାଯିବା ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ।

Advertisment

ସବୁ ୱାର୍ଡ ପାଇଁ ରାପିଡ୍‌ ରେସ୍ପନ୍ସ ଟିମ୍, ଅଣବସ୍ତି ଅଞ୍ଚଳରେ ବି କୋଭିଡ୍‌ ସଚେତକ ବୁଲିବେ
ଭୁବନେଶ୍ବର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି ପକ୍ଷରୁ ବସ୍ତି ଅଞ୍ଚଳରେ ଡୋର୍ ଟୁ ଡୋର୍ ସର୍ଭେ କରାଯାଉଥିଲା। ଲୋକଙ୍କୁ ସଚେତନ କରାଯାଉଥିଲା। କିନ୍ତୁ ଏବେ ଅଣବସ୍ତି ଅଞ୍ଚଳରେ ବି ସର୍ଭେ ହେବ। ପ୍ରତି ଘରକୁ ୱାର୍ଡ ସ୍ତରରେ ଗଠନ ହୋଇଥିବା ସଚେତକ ଟିମ୍ ଯିବେ। ଲୋକଙ୍କ ତଥ୍ୟ ରଖିବେ। କୋଭିଡ୍‌ କଟକଣା ପାଳନ ନେଇ ସଚେତନ କରିବେ। ସେହିପରି ଆଜିଠାରୁ ପ୍ରତି ୱାର୍ଡ ପାଇଁ ବିଏମ୍‌ସି ପକ୍ଷରୁ ଗୋଟିଏ ଲେଖାଏଁ ରାପିଡ୍‌ ରେସ୍ପନ୍ସ ଟିମ୍ ନିୟୋଜିତ କରାଯାଇଛି। ରାଜଧାନୀର ୬୭ଟି ୱାର୍ଡରେ ୬୭ଟି ଟିମ୍ କାମ କରିବ। ଏଥିରେ ଜଣେ ଡାକ୍ତର ଓ ଜଣେ ସ୍ବାସ୍ଥ୍ୟକର୍ମୀ ଅଛନ୍ତି। ଏହି ଟିମ୍‌ ଆକ୍ରାନ୍ତଙ୍କ ଘରେ ଔଷଧ ପହଞ୍ଚାଇବା ସହ ସମସ୍ତ ଡାକ୍ତରୀ ପରାମର୍ଶ ଦେଉଛନ୍ତି। ପୂର୍ବରୁ ପ୍ରତି ଜୋନ୍‌କୁ ୧୩ଟି ଲେଖାଏଁ ଟିମ୍‌ ଦିଆଯାଇଥିବାବେଳେ ଏବେ ଏହା ବଢ଼ାଇ ଦିଆଯାଇଛି। ଟିମ୍ ୨୪ଘଣ୍ଟା ଆଲର୍ଟ ରହିବ।