ରାଜଧାନୀରେ ରେକର୍ଡ ଭାଙ୍ଗିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୮୬ ଆକ୍ରାନ୍ତ, ୨୧୩ ସୁସ୍ଥ

ଭୁବନେଶ୍ୱର : ରାଜଧାନୀରେ ଆଜି ଗୋଟିଏ ଦିନରେ କରୋନା ଆକ୍ରାନ୍ତ ବାହାରିବା ସଂଖ୍ୟା ରେକର୍ଡ ଭାଙ୍ଗିଛି। ପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ୩୭୪ଜଣ ଆକ୍ରାନ୍ତ ବାହାରିଥିଲେ। କିନ୍ତୁ ଆଜି ଏହା ୩୮୬ ଛୁଇଁଛି। ଅଗଷ୍ଟରେ ଅଧିକାଂଶ ଦିନ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୬୪୭ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୫୧୨୪ଜଣ ସୁସ୍ଥ ହୋଇଥିବା ବେଳେ ୩୪୭୮ଜଣ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୩ଜଣ ସଙ୍ଗରୋଧରେ ଥିଲେ ଏବଂ ୨୦୩ଜଣ ସ୍ଥାନୀୟ ସଂକ୍ରମିତ। ଆଜି ସବୁଠୁ ଅଧିକ ଆକ୍ରାନ୍ତ ଗଙ୍ଗନଗରସ୍ଥିତ ସହରାଞ୍ଚଳ ଆଶ୍ରୟସ୍ଥଳରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୨ଜଣ ମହିଳା ଥିବା ବେଳେ ୨୬ଜଣ ପୁରୁଷ ଅଛନ୍ତି। ସେହିପରି ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍ ନିକଟସ୍ଥ ସରକାରୀ କାର୍ଯ୍ୟାଳୟରୁ ୧୫ଜଣ, ୭ମ ବାଟାଲିଅନରୁ ୨୧ଜଣ, ଏକ ଘରୋଇ ହସ୍ପିଟାଲରୁ ୧୨ଜଣ, ଚନ୍ଦ୍ରଶେଖରପୁର କନକଦୁର୍ଗା ମନ୍ଦିର ନିକଟରୁ ୪ଜଣ, ଆଇଆରସି ଭିଲେଜରେ ଗୋଟିଏ ଘରୁ ୮ଜଣ, ବିଶେଶ୍ବର ବସ୍ତିରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୧୩ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର