ବିଏମ୍‌ସି ଯାଦୁ : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପୁନି

୨୮ଦିନ ‌ହେଲା ସବୁଦିନ ୪୦୦ରୁ କମ୍‌ ଆକ୍ରାନ୍ତ, ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ରୁ ବି ଖସୁନି

ଭୁବନେଶ୍ୱର : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ କମିନି। ହଠାତ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଦିନ ଲଗାତାର ୫୦୦ ଛୁଇଁବା ପରେ କମି ଯାଇଥିଲା। ଏପରିକି ଦିନକୁ ଏବେ ୩୦୦ରୁ ୪୦୦ ଆକ୍ରାନ୍ତ ବାହାରୁଛନ୍ତି। ହଠାତ୍‌ ରାଜଧାନୀରେ କ’ଣ ହେଲା ଯେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ୍‌ ଲାଗିଗଲା। ସମାନ୍ତରାଳ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କିପରି ପ୍ରତିଦିନ ୩୦୦ରୁ ୪୦୦ ଭିତ‌‌‌‌ରେ ରହୁଛି, ତାହା ସମସ୍ତଙ୍କୁ ଚକିତ କରୁଛି। ନା ୩୦୦ରୁ କମୁଛି ନା‌ ୪୦୦ରୁ ବଢ଼ୁଛି। ରାଜଧାନୀବାସୀ କହିଲେଣି ବିଏମ୍‌ସି ଏମିତି କ’ଣ ଯାଦୁ କଲା ଯେ ସବୁଦିନ ପ୍ରାୟ ସମାନ ଆକ୍ରାନ୍ତ ବାହରୁଛନ୍ତି।

ଗତ ୨୮ଦିନ ହେଲା ରାଜଧାନୀରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ୩୦୦ରୁ ୪୦୦ ଭିତରେ ରହୁଛି। ବିଏମ୍‌ସି କମିସନର କହୁଛନ୍ତି, ଭୁବନେଶ୍ବର ଏବେ ପ୍ଲାଟୋ ସ୍ଥିତିରେ ଅଛି। ଭୁବନେଶ୍ବର ଆକ୍ରାନ୍ତ ଚିହ୍ନଟ ହେବାରେ ସପ୍ତାହେ ବି ଶିଖରରେ ରହିଲାନି। ଅଥଚ ପ୍ଲାଟୋ ସ୍ଥିତିରେ ପ୍ରାୟ ମାସେ ହେଲା ଚାଲିଛି। ଏହା କେମିତି ସମ୍ଭବ ହେଉଛି। ରାଜଧାନୀରେ ଯେଉଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖାଯାଉଛି, ଏହା ପଛରେ କିଛି ବଡ଼ଧରଣର ଏପଟ ସେପଟ ହେଉନି ତ! ବିଏମ୍‌ସି ଅଞ୍ଚଳ ଏବଂ ବାକି ଖୋର୍ଦ୍ଧା ଜିଲ୍ଲାରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଥିବା ନେଇ ବିଏମ୍‌ସି କର୍ତ୍ତୃପକ୍ଷ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଯେଉଁ ତଥ୍ୟ ଦେଇଛନ୍ତି, ତାହା ସ୍ବାସ୍ଥ୍ୟ ବିଭାଗର ‌ଖୋର୍ଦ୍ଧା ଜିଲ୍ଲାକୁ ନେଇ ଦିଆଯାଉଥିବା ତଥ୍ୟ ସହ ଆଦୌ ମେଳ ଖାଉନି। ସରକାରଙ୍କ ବିଭିନ୍ନ ବିଭାଗର ତଥ୍ୟକୁ ଯେଉଁମାନେ ବିଶ୍ଳେଷଣ କରୁଛନ୍ତି, ସେମାନେ ପ୍ରମାଣ ପାଇସାରିଲେଣି ଯେ କରୋନା ଆକ୍ରାନ୍ତଙ୍କ ତଥ୍ୟରେ ଏପଟ ସେପଟ ରହୁଛି।

ଏବେ ବିଏମ୍‌ସିର ରାପିଡ୍‌ ରେସ୍ପନ୍ସ ଟିମ୍‌ ପୂର୍ବ ଭଳି ଅଧିକ ସକ୍ରିୟ ନାହିଁ, ରାଜଧାନୀରେ ସପିଂ ମଲ୍‌ରୁ ଆରମ୍ଭ କରି ହାଟ ବଜାର କୌଣସି ଉପରେ କଟକଣା ନାହିଁ, ଲୋକଙ୍କର ହୋଟେଲରେ ବସି ଖାଇବା, ‌ହୋଟେଲରେ ରହିବା ଉପରେ ବି ରୋକ୍‌ ନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏବେ ଭୁବନେଶ୍ବରରେ ରାଜ୍ୟର ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇନି। ଏପରିସ୍ଥଳେ କିପରି ସମାନ୍ତରାଳ ଭାବେ ପ୍ରତିଦିନ ୩୦୦ରୁ ୪୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଠାରେ କି ଫର୍ମୁଲା କାମ କଲା ଯେ ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇବଢ଼ୁନି। କ’ଣ ଭୁବନେଶ୍ବର ଲୋକ ଅଧିକ ସଚେତନ ହୋଇଗଲେ? ନା କରୋନା ସଂକ୍ରମଣ ଆଉ ପୂର୍ବଭଳି ବ୍ୟାପୁନି।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୨୫୧୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୫୪୫ଜଣ ସୁସ୍ଥ ହୋଇଗଲେଣି। ୧୧୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୪୯୪ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି।

୭ଦିନ‌ରେ ୨୯୩୮୬ଜଣଙ୍କର କ‌ରୋନା ପରୀକ୍ଷା, ୫ହଜାର ଟାର୍ଗେଟ୍ ଛୁଉଁନି
ବିଏମ୍‌ସି କର୍ତ୍ତୃପକ୍ଷ କହିଥିଲେ ଯେ ଦିନକୁ ପ୍ରାୟ ୫ ହଜାର ଲୋକଙ୍କର କରୋନା ପରୀକ୍ଷା ହେବ। କିନ୍ତୁ ଏବେ ଦିନକୁ ହାରାହାରି ୪୧୯୮ଜଣଙ୍କର କରୋନା ପରୀକ୍ଷା ହେଉଛି। ସବୁ ହସ୍ପିଟାଲରେ ଚିକିତ୍ସା ପୂର୍ବରୁ କରୋନା ପରୀକ୍ଷା ବାଧ୍ୟତାମୂଳକ କରିଥିବାରୁ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ବିଏମ୍‌ସି ତା’ର ଟାର୍ଗେଟ୍‌ରେ ପହଞ୍ଚି ପାରୁନି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ୧ ତାରିଖରେ ୪୩୨୨ଜଣଙ୍କର, ୨ତାରିଖରେ ୪୧୭୧ଜଣଙ୍କର, ୩ତାରିଖରେ ୪୦୪୦ଜଣଙ୍କର, ୪ତାରିଖରେ ୩୪୧୦ଜଣଙ୍କର, ୫ତାରିଖରେ ୩୯୭୪ଜଣଙ୍କର, ୬ତାରିଖରେ ୪୮୭୮ଜଣଙ୍କର, ୭ତାରିଖରେ ୪୫୯୧ଜଣଙ୍କର କରୋନା ପରୀକ୍ଷା ହୋଇଛି।

କୁଆଡ଼େ ଗଲେ ମ୍ୟାଡମ୍‌
ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ କମାଇବା ପାଇଁ ରାଜ୍ୟ ସରକାର ବିଏମ୍‌ସିର ସ୍ବତନ୍ତ୍ର ଅତିରିକ୍ତ କମିସନର ଭାବେ ଆଇଏଏସ୍‌ ଅଫିସର ପାରୁଲ ପଟୱାରିଙ୍କୁ ନିଯୁକ୍ତି ଦେଲେ। ମ୍ୟାଡମ୍‌ କାର୍ଯ୍ୟରେ ଯୋଗଦେବା ପରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌‌ରେ ବସୁଛନ୍ତି। ଆସିବା ପରେ କହିଲେ ଯେ ଭୁବନେଶ୍ବରରେ କରୋନା କମାଇବା ପାଇଁ ଗଞ୍ଜାମ ଫର୍ମୁଲା ଲାଗୁ ହେବ। ହେଲେ ଗଞ୍ଜାମ ଫର୍ମୁଲା କ’ଣ, ଏହା କିପରି ଲାଗୁ ହେବ, କିପରି ଆକ୍ରାନ୍ତଙ୍କ ସଂଖ୍ୟା କମିବ, ତାହା କିଛି କହିଲେନି। ୩ରୁ ୪ଟି ସଚେତନତା ବୈଠକରେ ଯୋଗଦେଲେ। ଏହା ପରଠାରୁ କ’ଣ ହୋଇଛି କେଜାଣି ବିଏମ୍‌ସିର କୌଣସି ବୈଠକରେ ମ୍ୟାଡମ୍‌ଙ୍କୁ ଦେଖିବାକୁ ମିଳୁନି। ଏବେ ଦୈନିକ ୩୦୦ରୁ ୪୦୦ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ କ’ଣ ସ୍ବତନ୍ତ୍ର ରଣନୀତି ହେବା ଦରକାର, ସେନେଇ କିଛି ବି କହୁନାହାନ୍ତି। ଲୋକ ପଚାରିଲେଣି ଭୁବନେଶ୍ବରରେ କ’ଣ ନୂଆ ଫର୍ମୁଲା ଲାଗୁ ହେଲା କି ଯେଉଁଥିପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ରୁ ଖସୁନି ୪୦୦ରୁ ବଢ଼ୁନି।

ସମ୍ବନ୍ଧିତ ଖବର