ବିଭିନ୍ନ ଟିକାଦାନ କେନ୍ଦ୍ରରେ ଟିକା ସଂଖ୍ୟା ବଢ଼ିଲା

ଏସ୍‌ପ୍ଲାନେଡ୍‌ ମଲ୍‌ ପାର୍କିଂରେ ଦିଆଯିବ ଟିକା

ଭୁବନେଶ୍ବର : ବିଭିନ୍ନ ଟିକାଦାନ କେନ୍ଦ୍ରରେ ଅବ୍ୟବସ୍ଥା ଦେଖାଯାଉଥିବାରୁ ଏହାର ସମାଧାନ କରିବା ଏବଂ କମ୍‌ ଦିନରେ ଅଧିକ ଲୋକଙ୍କୁ ଟିକା ‌ଦେବାକୁ ବିଏମ୍‌ସି ପକ୍ଷରୁ ବିଭିନ୍ନ କେନ୍ଦ୍ରରେ ଟିକା ସଂଖ୍ୟା ବଢ଼ା ଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଟିକାଦାନ କେନ୍ଦ୍ରରେ ସମସ୍ତ ସ୍ଲଟ୍ ବୁକିଂ ହୋଇଯିବା ପରେ ଶନିବାର ପାଇଁ ଆଉ ୪୦୦ ସ୍ଲଟ୍ ଦିଆଯାଇଛି। ସେହିପରି ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନକୁ ଅଧିକ ୫୦୦ ଲୋକଙ୍କୁ ଟିକା ଦେବା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସ୍ଲଟ୍ ଆବଣ୍ଟନ ହୋଇଛି। ତେଣୁ ୪୫ ବର୍ଷରୁ ଅଧିକ ଲୋକ ସ୍ଲଟ୍ ବୁକିଂ କରି ଟିକା ନେଇପାରିବେ।

ଏସ୍‌ପ୍ଲାନେଡ୍‌ ମଲ୍‌ ପାର୍କିଂରେ ଦିଆଯିବ ଟିକା
ଭୁବନେଶ୍ବର : କୋଭିଡ୍‌ ଟିକା ନେବାକୁ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଥିବା ବେଳେ ବହୁ ଲୋକ ଟିକା ପାଇଁ ସ୍ଳଟ୍ ପାଉ ନଥିବା ଅଭି‌ଯୋଗ କରୁଛନ୍ତି। ଟିକାଦାନ କେନ୍ଦ୍ରରେ ଅବ୍ୟବସ୍ଥା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଏସ୍‌ପ୍ଲାନେଡ୍ ମଲ୍‌ ପାର୍କିଂରେ ଟିକା ବ୍ୟବସ୍ଥା କରାଯାଇଛି। ଶନିବାରଠାରୁ ଏଠାରେ ଟିକା ଦେବାକୁ ସ୍ଲଟ୍ ଆବଣ୍ଟନ ହୋଇଛି। ଆଜି ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀ, ଡେପୁଟି କମିସନର୍ ଶୁଭେନ୍ଦୁ ସାହୁ, ଜୋନାଲ ଡେପୁଟି କମିସନର୍ ଅଂଶୁମାନ ରଥ ପ୍ରମୁଖ ଏସ୍‌ପ୍ଲାନେଡ୍‌ ମଲ୍‌ର ପାର୍କିଂସ୍ଥଳ ‌ବୁଲି ଦେଖିଛନ୍ତି। କିପରି ଲୋକ ଏହା ଭିତରକୁ ଆସିବେ, କିପରି ବାହାରିବେ, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଦୈନିକ ୨୦୦ରୁ ୩୦୦ ଲୋକଙ୍କୁ ଟିକା ଦେବାକୁ ସ୍ଲଟ୍ ବୁକିଂ ହେଉଛି। ଯାହାର ସ୍ଲଟ୍ ବୁକିଂ ହେଉଛି, ତାଙ୍କୁ ମେସେଜ୍ ଯାଉଛି। ଯେଉଁମାନଙ୍କୁ ସ୍ଲଟ୍ ଆବଣ୍ଟନ ହୋଇଥିବ, ସେମାନଙ୍କୁ ମଲ୍‌ର ପାର୍କିଂ ଅଞ୍ଚଳକୁ ଛଡ଼ାଯିବ। ସେଠାରେ ସେମାନେ ଅପେକ୍ଷା କରିବେ। ଏହାପରେ ସେମାନଙ୍କର ଯେତେବେଳେ ପାଳି ପଡ଼ିବ, ସେମାନେ ପ୍ରସ୍ଥାନ ଦ୍ବାର ନିକଟରେ ଟିକା ନେଇ ବାହାରିବେ। ଏହା ପରେ ବାହାରେ ଅଧ ଘଣ୍ଟା ବିଶ୍ରାମ ନେଇ ଘରକୁ ଯାଇପାରିବେ। ଏଠାରେ କେବଳ ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର