ନମ୍ବର ପ୍ଲେଟ ଆର୍ଟିଷ୍ଟଙ୍କୁ ବିକଳ୍ପ ରୋଜଗାର ଦାବି

ଭୁବନେଶ୍ୱର: ୨୦୨୨ ଜୁନ୍ ୧ ତାରିଖ ଠାରୁ ସମସ୍ତ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ଏହି ନମ୍ବର ପ୍ଲେଟ ଲାଗିବା ପାଇଁ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଗଲା। ଏହି କାମର ଦାୟିତ୍ବ ମଧ୍ୟ ଏକ ଠିକା ସଂସ୍ଥାକୁ ଦିଆଗଲା। ଫଳରେ ନମ୍ବର ପ୍ଲେଟ ଆର୍ଟିଷ୍ଟମାନଙ୍କର ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ରାଜ୍ୟର ହଜାର ହଜାର ନମ୍ବର ପ୍ଲେଟ ଆର୍ଟିଷ୍ଟ ଆଜି ବେରୋଜଗାର ହୋଇଯାଇଛନ୍ତି। ଏପରିକି ପରିବାର ପ୍ରତିପୋଷଣ ପାଇଁ ସେମାନେ ଅକ୍ଷମ। ପୂର୍ବରୁ ଅଲ୍ ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ୱାର୍କର୍ସ ଆସୋସିସନ ପକ୍ଷରୁ ଏହି ସମସ୍ୟା ସମ୍ପର୍କରେ ପରିବହନ ସଚିବ ଏବଂ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ। ତେଣୁ ନମ୍ବର ପ୍ଲେଟ ଆର୍ଟିଷ୍ଟଙ୍କୁ ବିକଳ୍ପ ରୋଜଗାର ଯୋଗାଇ ଦେବା ଦାବିରେ ଆଜି ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଛି।

ସଂଘର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଜାରି ରହିବ ବୋଲି ଅଲ୍ ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ୱାର୍କର୍ସ ଆସୋସିଏସନର ରାଜ୍ୟ ସମ୍ପାଦକ ରଞ୍ଜନ ମିଶ୍ର ଚେତାବନୀ ଦେଇଛନ୍ତି। ଏଥିସହିତ ପରିବାର ପ୍ରତିପୋଷଣ ପାଇଁ ନମ୍ବର ପ୍ଲେଟ ଆର୍ଟିଷ୍ଟଙ୍କୁ ମାସିକ ସର୍ବନିମ୍ନ ୨୦ ହଜାର ଟଙ୍କା ଯୋଗାଇ ଦେବାକୁ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦ୍ବାରା ନିବେଦନ କରାଯାଇଛି। ଏହି ଧାରଣାରେ ନମ୍ବର ପ୍ଲେଟ ଆର୍ଟିଷ୍ଟ କମିଟିର ସଭାପତି ରଣଜିତ ସିଂ, ସମ୍ପାଦକ ଚିତ୍ତରଞ୍ଜନ ଦାସ, କୃଷ୍ଣଚନ୍ଦ୍ର ସାହୁ, ଶିବ ଶଙ୍କର ଡାକୁଆ, ରାଜେନ୍ଦ୍ର ନାଥ, ପ୍ରକାଶ ମହାରଣା, ସନାତନ ମହାରଣା, ଆଦିତ୍ୟ ପ୍ରସାଦ ଲେଙ୍କା ପ୍ରମୁଖ ଧାରଣାର ନେତୃତ୍ବ ନେବା ସହ ଏଥିରେ ରାଜ୍ୟର ପ୍ରତି ଜିଲ୍ଲାରୁ ବହୁ ସଂଖ୍ୟକ ନମ୍ବର ପ୍ଲେଟ ଆର୍ଟିଷ୍ଟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର