ଭୁବନେଶ୍ବର: ବିଏମ୍ସି ମାର୍କେଟ୍ ଉପବିଭାଗକୁ ବିବାଦ ପିଛା ଛାଡ଼ୁନି। ଭିଏସ୍ଏସ୍ ନଗର ହାଟ ହେଉ ବା ୟୁନିଟ୍-୨ ଫଳ ବଜାର, ଗଣ୍ଡମୁଣ୍ଡା ହାଟ ହେଉ ବା ୧ ନମ୍ବର ହାଟରେ ବେଆଇନ ମ୍ୟୁଟେସନ; ସବୁଠି ମାର୍କେଟ ଦାୟିତ୍ବରେ ଥିବା ଅଧିକାରୀ ଅନିୟମିତତା କରିଥିବା ଅଭିଯୋଗ ରହିଛି। ଆଜି ଏକ ଖୋଲା ବୈଠକରେ ସମ୍ପୃକ୍ତ ଅଧିକାରୀଙ୍କ ଉପରକୁ ଆଙ୍ଗୁଠି ଉଠିଛି। ରସୁଲଗଡ଼ ମା’ କୋଚିଲେଇ ହାଟରେ ୨୦୦୯ ମସିହାରେ ହୋଇଥିବା ହିତାଧିକାରୀଙ୍କ ତାଲିକାକୁ ହାତଗୁଞ୍ଜା ନେଇ ଅଧିକାରୀ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଅଞ୍ଚଳର କର୍ପୋରେଟର ତଥା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କୁମାରେନ୍ଦ୍ର ମହାପାତ୍ର। ଆଜି ଏକ ସମୀକ୍ଷା ବୈଠକରେ ମାର୍କେଟ୍ ଉପବିଭାଗ ଦାୟିତ୍ବରେ ଥିବା ପ୍ରମୋଦ ପୃଷ୍ଟିଙ୍କୁ ସେ ଏହି ଅଭିଯୋଗ ଭିତରକୁ ଟାଣିଛନ୍ତି। ‘ରାତିରେ ବାବୁଙ୍କ ଗାଡ଼ି ଲାଗୁଛି, ତାଲିକାରେ ନାଁ ଯୋଡ଼ିବା, ନାଁ କାଟିବା ପାଇଁ ମୋଟା ଅଙ୍କର ହାତଗୁଞ୍ଜା ମିଳୁଛି’ ବୋଲି ସେ ସିଧାସଳଖ ଆରୋପ ଲଗାଇଛନ୍ତି। ଦୀର୍ଘ ସମୟ ଧରି ବୈଠରେ ଏହି ପ୍ରସଙ୍ଗକୁ ନେଇ ତନାଘନା ହୋଇଛି। ହାଟଗୁଡ଼ିକୁ ନେଇ ସମ୍ପୃକ୍ତ ଅଧିକାରୀଙ୍କଠାରୁ ଏକ ବିସ୍ତୃତ ରିପୋର୍ଟ ତଲବ କରାଯାଇଛି।
ୟୁନିଟ୍-୧ ହାଟ ପାଇଁ ସାଧାରଣ ପ୍ରଶାସନ ବିଭାଗ ଯେତେବେଳେ ଜମି ଯୋଗାଇଥିଲା, ସେତେବେଳେ ଦୋକାନଗୁଡ଼ିକୁ ବ୍ୟକ୍ତିଗତ ମାଲିକାନାକୁ ନ ଦେବା ପାଇଁ ସର୍ତ୍ତ ରହିଥିଲା। ହେଲେ ମାର୍କେଟ୍ ଉପବିଭାଗ ଜରିଆରେ ବିଏମ୍ସି ୫୦୭ ଦୋକାନକୁ ଦୋକାନୀଙ୍କ ନାମରେ କରି ଦେଲା। ପୂର୍ବରୁ ଦୋକାନୀମାନେ କେବଳ ସମ୍ପୃକ୍ତ ଜାଗାର ଲାଇସେନ୍ସ ହୋଲ୍ଡର ରହିଥିବା ବେଳେ ଅଧିକାରୀମାନେ କୌଶଳ କରି ଦୋକାନୀଙ୍କ ନାମରେ ଚୁକ୍ତି କଲା ବେଳେ ଏହି ‘ଲାଇସେନ୍ସ ହୋଲ୍ଡର’ ଶବ୍ଦକୁ ହଟାଇ ‘ଆଲଟି’ ଶବ୍ଦ ବ୍ୟବହାର କଲେ। ଏଥିପାଇଁ ଲାଇସେନ୍ସ ବା ଆଲଟି ପିଛା ୩୦ ହଜାର ଲେଖାଏଁ କୋଟି କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା।
୭୮ ଫଳ ଦୋକାନୀଙ୍କୁ ଥଇଥାନ କରିବା ପାଇଁ ବିଏମ୍ସି ୟୁନିଟ୍-୨ ମାର୍କେଟ୍ରେ ୨କୋଟି ଟଙ୍କା ଖର୍ଚ୍ଚ କରି ଫଳ ବଜାର ନିର୍ମାଣ କରିଥିଲା। ୨୦୧୫ ଅଗଷ୍ଟ ୩୧ ତାରିଖରେ ଏହା ଉଦ୍ଘାଟନ ହୋଇଥିଲା। ହେଲେ ଏଠାରେ ଯେଉଁ ଫଳ ଦୋକାଦନୀଙ୍କୁ ଆଲଟ୍ କରାଯାଇଥିଲା ସେଥିରେ ମୂଳ ଫଳ ଦୋକାନୀ ନଥିଲେ। ମାର୍କେଟ୍ ଉପବିଭାଗରେ ଥିବା ଅଧିକାରୀ ହାତଗୁଞ୍ଜା ନେଇ ମୂଳ ଦୋକାନୀଙ୍କ ନାମ ତାଲିକାରୁ କାଟି ନୂଆ ନାମ ଯୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଫଳରେ ଆଜି ପର୍ଯ୍ୟନ୍ତ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ଏବେ ଏହାକୁ ନୂଆ କମିସନର ଗୁରୁତ୍ବର ସହ ନେଇଛନ୍ତି। ଏହାର ମୂଳ ଖୋଜି ରିପୋର୍ଟ ଦେବାପାଇଁ ଏକ କମିଟି ଗଠନ କରିଛନ୍ତି।
ରାତିରେ ଲାଗୁଛି ଗାଡ଼ି
ହାତଗୁଞ୍ଜା ନେଇ ନାଁ କାଟୁଛନ୍ତି, ଯୋଡ଼ୁଛନ୍ତି
ସେହିଭଳି ୨୦୦୯ ମସିହାରେ ଗଣ୍ଡମୁଣ୍ଡାରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଏମ୍ସି ହାଟ ତିଆରି କରିଥିଲା। ଏଥିରେ ୧୨୬ ସେଡ୍ ଥିଲା। ସର୍ଭେରେ ଚିହ୍ନଟ ହୋଇଥିବା ସମସ୍ତ ବ୍ୟବସାୟୀଙ୍କୁ ଦୋକାନ ଦିଆଯାଇଥିବା ମାର୍କେଟ୍ ଉପବିଭାଗ ଜଣାଇଥିଲା। ହେଲେ ମାସ ମାସ ଧରି ୯୫ ବ୍ୟବସାୟୀଙ୍କଠାରୁ ଏହି ଉପବିଭାଗ ଭଡ଼ା ଆଦାୟ କଲା ନାହିଁ। ଭଡ଼ା ବାବଦକୁ ବକେୟା ଅର୍ଥ ୩୦ଲକ୍ଷ ଟଙ୍କା ବାକି ପଡ଼ିଥିଲା। ଏଥିରେ ମଧ୍ୟ ସେଡ୍ ଆବଣ୍ଟନରେ ଦୁର୍ନୀତି ହୋଇଥିଲା। କେତେକ ବାହାର ବ୍ୟବସାୟୀଙ୍କୁ ଦୋକାନ ଦିଆଯାଇଥିବାରୁ ସେମାନେ ବ୍ୟବସାୟ କରିବାକୁ ଯାଇନଥିଲେ। କେତେକଙ୍କର ବ୍ୟବସାୟ ହେଉନଥିବାରୁ ସେମାନେ ଭଡ଼ା ଦେଉନଥିଲେ।
ମାର୍କେଟ୍ ଉପବିଭାଗରେ ଏତେ ସବୁ ଦୁର୍ନୀତି ଅଭିଯୋଗ ସତ୍ତ୍ବେ ବିଏମ୍ସି ତଦନ୍ତ କରିନଥିଲା। ଅଧିକାରୀଙ୍କୁ ଘଣ୍ଟ ଘୋଡାଇ ରଖା ଯାଇଥିଲା। ହେଲେ ଆଜି ବୈଠକରେ ମାର୍କେଟ୍ ଦାୟିତ୍ବରେ ଥିବା ଡେପୁଟି କମିସନରଙ୍କ ଉପରକୁ ଆଙ୍ଗୁଠି ଉଠିବା ପରେ ବିଏମ୍ସି କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବରିଷ୍ଠ ଅଧିକାରୀମାନେ ମାନସମନ୍ଥନ କରୁଛନ୍ତି। ଏଣେ କର୍ପୋରେଟର ଶ୍ରୀ ମହାପାତ୍ର କହିଛନ୍ତି, ଅତି ଚତୁରତାର ସହ ରସୁଲଗଡ଼ ହାଟରେ କେଳେଙ୍କାରୀ ହୋଇଛି। ୨୦୦୯ ମସିହାରେ ଯେଉଁ ତାଲିକା ହୋଇଥିଲା ସେଥିରେ ଥିବା ସଂଖ୍ୟା(୬ଶହରୁ ଊର୍ଦ୍ଧ୍ବ) ସମାନ ରହିଛି। କିନ୍ତୁ କିଛି ମୂଳ ବ୍ୟବସାୟୀଙ୍କୁ କାଟି ଅନ୍ୟ କେତେକଙ୍କୁ ସେହି ଜାଗାରେ ଭର୍ତ୍ତି କରିଦେଇଛନ୍ତି। ଫଳରେ ସଂଖ୍ୟା ସମାନ ରହିଛି। କିନ୍ତୁ ମୂଳ ବ୍ୟବସାୟୀ ବାଦ୍ ପଡ଼ିଛନ୍ତି। ସେମାନେ ମୋ ପାଖରେ ପହଞ୍ଚିଛନ୍ତି। ଏଣୁ ମୁଁ ଏ ଅନିୟମିତତାକୁ କ୍ଷମା କରିବି ନାହିଁ। ଏ ସମ୍ପର୍କରେ କମିସନରଙ୍କର ଦୃଷ୍ଟି ଆକର୍ଷଣ କରିଛି ଓ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛି। ଅନ୍ୟପଟେ ମା’ କୋଚିଲେଇ ହାଟ ସଭାପତି ରାଜ କୁମାର ରାଉତରାୟ କହିଛନ୍ତି, ୨୦୦୯ରେ ଯେଉଁ ବ୍ୟବସାୟୀ ଥିଲେ ସେହିମାନେ ଅଛନ୍ତି। ବାଦ୍ ପଡ଼ିଥିବା ବ୍ୟବସାୟୀଙ୍କ ଅଭିଯୋଗ ମୋ ପାଖକୁ ଆସିନାହିଁ।