ସ୍କାଏଲାଇଟ୍‌ ବାଟେ ପଶିଲା ଦୁବୃର୍ତ୍ତ : ନର୍ସଙ୍କୁ ଅସଦାଚରଣ ଉଦ୍ୟମ ବିଫଳ

ଭୁବନେଶ୍ବର : ଗତରାତିରେ ମଞ୍ଚେଶ୍ବର ଥାନା ସତ୍ୟବିହାରରେ ଜଣେ ନର୍ସଙ୍କ ପ୍ରତି ହୋଇଥିବା ଅସଦାଚରଣ ଉଦ୍ୟମ ବିଫଳ ହୋଇଛି। ସ୍କାଏଲାଇଟ୍‌ ଭାଙ୍ଗି ଘରକୁ ପଶିଥିଲେ ବି ଠିକଣା ସମୟରେ ପାଖ ପଡ଼ୋଶୀମାନେ ଉଠି ପଡ଼ିବାରୁ ଦୁର୍ବୃତ୍ତ ଜଣକ ଚମ୍ପଟ ମାରିଛି। ପୁଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଦୁର୍ବୃତ୍ତକୁ ଚିହ୍ନଟ କରିଥିଲେ ବି ତାକୁ ଧରିବାରେ ସକ୍ଷମ ହୋଇପାରିନାହିଁ। ତା ନାଁ ଅକ୍ଷୟ ସାହୁ ବୋଲି ପୁଲିସ ସୂଚନା ଦେଇଛି। ପୂର୍ବରୁ ଏକ ଅପରାଧିକ ମାମଲାରେ ସେ ଗିରଫ ହୋଇଥିଲା ବୋଲି ଜଣାପଡ଼ିଛି।

ସୂଚନାନୂସାରେ ମଙ୍ଗଳବାର ଭୋର୍ ପ୍ରାୟ ୪ଟାବେଳେ ଦୁର୍ବୃତ୍ତ ଜଣକ ନର୍ସ ରହୁଥିବା ଭଡ଼ା ଘରର ସ୍କାଏଲାଇଟ୍‌ ତାଡ଼ି ଭିତରେ ପଶିଥିଲା। ନର୍ସଙ୍କ ବେଡ୍‌ରୁମ୍‌ର କବାଟ ବାଡ଼େଇ ଭାଙ୍ଗିବାକୁ ଉଦ୍ୟମ କରିଥିଲା। କିନ୍ତୁ ସୌଭାଗ୍ୟକୁ ସେତିକିବେଳେ କବାଟ ବାଡ଼ିଆ ଶବ୍ଦ ଶୁଣି ପଡ଼ୋଶୀମାନେ ଉଠି ପଡ଼ିଥିଲେ। ତେଣୁ ଦୁର୍ବୃତ୍ତ ଜଣକ ନର୍ସଙ୍କ ବେଡ୍‌ ରୁମ୍‌କୁ ବାହାର ପଟୁ କବାଟ କିଳି ସେଠାରୁ ଫେରାର୍‌ ହୋଇଯାଇଥିଲା। ପଡ଼ୋଶୀମାନେ ୧୦୦କୁ ଫୋନ୍‌ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିଥିଲା ଏବଂ ନର୍ସ ଓ ତାଙ୍କ ସହ ରହୁଥିବା ଅନ୍ୟ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲା।

ନର୍ସଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ କିଛି ଦିନ ହେଲା ତାଙ୍କୁ ପିଛା କରୁଥିଲା। ଥରେ ତାଙ୍କ ଅଫିସ୍‌ରେ ମିଟିଂ ଚାଲିଥିବା ବେଳେ ସେ ସେଠାରେ ପହଞ୍ଚି ହଙ୍ଗାମା କରିଥିଲା। କିନ୍ତୁ ପୁଲିସ ପହଞ୍ଚିବା ପୂର୍ବରୁ ସେ ଫେରାର୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର