କ୍ୟାପିଟାଲ ହସ୍ପିଟାଲ୍‌ରେ ୧୦୪ ଷ୍ଟାଫ୍‌ ନର୍ସ ପଦବି ଖାଲି, ଉତ୍କଟ ହେଉଛି ରୋଗୀ ସେବା

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଶହେରୁ ଅଧିକ ଷ୍ଟାଫ୍‌ ନର୍ସ ପଦବି ଖାଲି ପଡ଼ିଛି। ମାସେ କି ଦୁଇ ମାସ ନୁହେଁ, ବର୍ଷ ବର୍ଷ ଧରି ଏହି ପଦବି ଖାଲି ରହିଛି। ହସ୍ପିଟାଲରେ ଗୋଟିଏ ପରେ ଗୋଟିଏ ନୂଆ ବିଭାଗ ଖୋଲୁଛି। ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ହସ୍ପିଟାଲକୁ ଆସୁଛନ୍ତି। ମାତ୍ର ଖାଲି ପଡ଼ିଥିବା କର୍ମଚାରୀଙ୍କ ପଦବି କିଭଳି ପୂରଣ କରାଯିବ, ସେଥିପାଇଁ କେହି ଗୁରୁତ୍ୱ ଦେଉନାହାନ୍ତି। ଦିନକୁ ଦିନ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରୋଗୀ ସେବା ଉତ୍କଟ ହେବାରେ ଲାଗିଛି। କ୍ୟାପିଟାଲ୍‌ ହସ୍ପିଟାଲକୁ ରାଜ୍ୟ ସରକାର ଏକ ରେଫରାଲ ହସ୍ପିଟାଲ ଭାବେ ଗ୍ରହଣ କରିଛନ୍ତି। ଖୋର୍ଧା ଜିଲ୍ଲା ସମେତ ପୁରୀ, ନୟାଗଡ଼ ଭଳି ଜିଲ୍ଲାରୁ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଗୋଟିଏ ଓ୍ଵାର୍ଡରେ ଯେତିକି ଶଯ୍ୟା ରହିଛି, ତା’ଠାରୁ ଦୁଇଗୁଣ ରୋଗୀ ସେଠାରେ ଚିକିତ୍ସିତ ହେଉଛନ୍ତି। ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ହସ୍ପିଟାଲରେ ଉଭୟ ଡାକ୍ତର ଓ ଷ୍ଟାଫ ନର୍ସଙ୍କ ଅଭାବ ରହିଛି। ହସ୍ପିଟାଲ୍‌ରେ ଡାକ୍ତରଙ୍କ ପାଇଁ ୧୩୧ ପଦବି ଥିବା ବେଳେ ଏଥିରୁ ୩୦ ପଦବି ଖାଲି ପଡ଼ିଛି। ତେବେ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ଷ୍ଟାଫ ନର୍ସ ପଦବି। ହସ୍ପିଟାଲ ପାଇଁ ୨୭୦ ଷ୍ଟାଫ ନର୍ସ ପଦବି ରହିଛି। ଏବେ ୧୬୬ଜଣ ଷ୍ଟାଫ୍‌ ନର୍ସ କାର୍ଯ୍ୟ କରୁଥିବା ବେଳେ ୧୦୪ ପଦବି ଖାଲି ପଡ଼ିଛି। ଯାହାକି ସଂପୂର୍ଣ୍ଣ ଷ୍ଟାଫ ନର୍ସ ପଦବିର ପ୍ରାୟ ୪୦ପ୍ରତିଶତ। ଖାଲି ପଡ଼ିଥିବା ପଦବି ମଧ୍ୟରୁ ୮୬ଟି ସରକାରୀ ଓ ୨୮ଟି ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ପକ୍ଷରୁ ନିଯୁକ୍ତି ଦେବାର ନିୟମ ରହିଛି। ମାତ୍ର ଏହି ପଦବିକୁ ପୂରଣ କରାଯାଉ ନାହିଁ। ଫଳରେ ଯେଉଁ ରୋଗୀମାନେ ହସ୍ପିଟାଲରେ ଆଡମିଟ୍‌ ହେଉଛନ୍ତି ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନାହିଁ। ସେହିପରି ହସ୍ପିଟାଲ୍‌ରେ ଆଟେଣ୍ଡାଣ୍ଟ ପଦବି ମଧ୍ୟ ଯଥେଷ୍ଟ ଖାଲି ପଡ଼ିଛି। ହସ୍ପିଟାଲ୍‌ରେ ଆଟେଣ୍ଡାଣ୍ଟ ପାଇଁ ସମୁଦାୟ ୯୭ ପଦବି ରହିଥିବା ବେଳେ ୬୨ ହେଉଛନ୍ତି ସ୍ଥାୟୀ ଓ ୩୫ ଠିକାରେ ନିଯୁକ୍ତି ହେବା କଥା। ମାତ୍ର ୩୦ଜଣ ଆଟେଣ୍ଡାଣ୍ଟଙ୍କ ଜରିଆରେ କାମ ଚାଲିଛି। ୬୭ ପଦବି ଖାଲି ରହିଛି।

ଏହାସହ କ୍ୟାପିଟାଲ ହସ୍ପିଟାଲରେ ସରକାରଙ୍କ ବିଭିନ୍ନ ମାଗଣା ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି। ‘ନିଦାନ’ ଜରିଆରେ ଲୋକଙ୍କ ମାଗଣା ରକ୍ତ ପରୀକ୍ଷା ହେଉଛି। ତେବେ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ପରୀକ୍ଷା ସଂଖ୍ୟା ବହୁତ ବଢ଼ି ଯାଇଛି। ଏବେ ହସ୍ପିଟାଲରେ ମାଇକ୍ରୋବାଇଓଲୋଜିଷ୍ଟ ଓ ଲାବୋରେଟାରି ଟେକ୍‌ନିସିିଆନ୍‌ ବା ଏଲ୍‌ଟିଙ୍କୁ ମିଶାଇ ସମୁଦାୟ ୧୬ଟି ପଦବି ରହିଛି। ମାତ୍ର ଏଥିରେ ୧୨ଜଣ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଏଲ୍‌ଟିଙ୍କୁ ରାଜଭବନ ପରିସରରେ ଥିବା ହସ୍ପିଟାଲକୁ ବଦଳି ହୋଇଛି। ବେଳକୁ ବେଳ ରକ୍ତ ପରୀକ୍ଷା ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆହୁରି ଅଧିକ ସଂଖ୍ୟାରେ ଏଲ୍‌ଟିଙ୍କ ଆବଶ୍ୟକତା ରହିଛି। ହସ୍ପିଟାଲରେ ୭ଟି ରେଡିଓଗ୍ରାଫର ପଦବି ଥିବା ବେଳେ ମାତ୍ର ୫ଜଣ କାର୍ଯ୍ୟ କରୁଛନ୍ତି। କ୍ୟାପିଟାଲ ହସ୍ପିଟାଲ୍‌ରେ ଖାଲି ପଡ଼ିଥିବା ଷ୍ଟାଫ ନର୍ସ ପଦବିକୁ ପୂରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ବାରମ୍ବାର ଚିଠି ଲେଖୁଥିଲେ ହେଁ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି।
ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ଖାଲି ପଡ଼ିଥିବା ଷ୍ଟାଫ ନର୍ସ ପଦବି ପୂରଣ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଖୋର୍ଧା ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲାର ଅନ୍ୟ ଡାକ୍ତରଖାନାରୁ ଷ୍ଟାଫ ନର୍ସମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିବା ପାଇଁ ଯୋଜନା ହେଉଛି। ଏହା କାର୍ଯ୍ୟକାରୀ ହେଲେ କ୍ୟାପିଟାଲ ହସ୍ପିଟାଲରେ ଖାଲି ପଡ଼ିଥିବା ଷ୍ଟାଫ ନର୍ସ ପଦବିରେ ସାମାନ୍ୟ ସୁଧାର ଆସିପାରିବ ବୋଲି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର