ଖଣ୍ଡଗିରି: ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ଥାନାରେ ଅଟକ ଥିବା ଭରତପୁରସ୍ଥିତ ନର୍ସିଂ କଲେଜର ନିର୍ଦେଶକ କୋଦଣ୍ଡଧର ସାହୁ ଓରଫ୍ ସୁନୀଲଙ୍କୁ ରବିବାର ଖଣ୍ଡଗିରି ଥାନା ପୁଲିସ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କୋଦଣ୍ଡଧର ଚଳାଇଥିବା ଇନ୍ଦିରା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଆଇଆଇଏମ୍ଏସ୍ଆର୍) ନାମକ ପାରାମେଡିକାଲ ଅନୁଷ୍ଠାନଟି ଏକ ସ୍ୱେଚ୍ଛାସେବୀ ସଂଗଠନ (ଏନ୍ଜିଓ) ଦ୍ୱାରା ସରକାରଙ୍କଠାରୁ ସ୍ୱୀକୃତି ପାଇଛି। ତେଣୁ ଗତକାଲି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅଣାଯାଇଥିବା ନକଲି ଅନୁଷ୍ଠାନ ଅଭିଯୋଗ ଠିକ୍ ନୁହେଁ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ କଲେଜର ରେକର୍ଡପତ୍ର ଯାଞ୍ଚ କରିବା ପରେ ସୂଚନା ଦେଇଛନ୍ତି। କିନ୍ତୁ ଛାତ୍ରୀମାନଙ୍କୁ ଅଶାଳୀନ ଇଙ୍ଗିତ କରିବା ଓ ଅସଦାଚରଣ କରିବା ଅଭିଯୋଗରେ ସତ୍ୟତା ରହିଛି। ଖାଇବା ପିଇବାଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଛାତ୍ରୀମାନଙ୍କୁ ସେ ଛାତ୍ରୀ ନିବାସରେ ହଇରାଣ କରୁଥିଲେ ବୋଲି ଅଭିଯୋଗକାରିଣୀ ଛାତ୍ରୀମାନେ ପୁଲିସକୁ ପ୍ରମାଣ ଦେଇଥିଲେ। ଜଣେ ନୁହେଁ, ଅନେକ ଛାତ୍ରୀ ଦୃଢ଼ ଭାବେ ଏଭଳି ଅଭିଯୋଗ ଆଣିଥିବାରୁ କୋଦଣ୍ଡଧରଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।
ଉଲ୍ଲେଖଯୋଗ୍ୟ, ଆଇଆଇଏମ୍ଏସ୍ଆର୍ରେ ପ୍ରାୟ ୬୦ଜଣ ଛାତ୍ରଛାତ୍ରୀ ରହୁଥିଲେ ଓ ସେମାନଙ୍କୁ ପାଥୋଲୋଜି ତାଲିମ୍ ଦିଆଯାଉଥିଲା। କୋର୍ସ ଫି’ ବାବଦରେ ସେମାନେ ୧୮ ହଜାର ଟଙ୍କା ପଇଠ କରି ନାମ ଲେଖାଇଥିଲେ ଓ ମାସିକ ୨୫ଶହ ଟଙ୍କା ବିନିୟମରେ ଛାତ୍ରୀ ନିବାସରେ ରହୁଥିଲେ। କିନ୍ତୁ କୋଦଣ୍ଡଧର ସୁଯୋଗ ଦେଖି ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିଲେ। ଧୀରେଧୀରେ ପୁଞ୍ଜୀଭୂତ ଅସନ୍ତୋଷ ଘନେଇବାରେ ଲାଗିଥିଲା ଓ କଥା ପ୍ରଘଟ ହେବା ପରେ ଶନିବାର ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କଲେଜରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ପରେ ସେମାନେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରି କୋଦଣ୍ଡଧରଙ୍କ ଗିରଫ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/arjuna-fraud-case.jpg)