ଭୁବନେଶ୍ବର: ଖଣ୍ଡଗିରିସ୍ଥିତ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ସିଷ୍ଟମ୍(କିମ୍ସ) ଉପଯୁକ୍ତ ନର୍ସିଂ ସାର୍ଟିଫିକେଟ୍ ଦେବାକୁ ନେଇ ଜାଲିଆତି କରାଯାଇଥିବା ଅଭିଯୋଗ ହେବା ପରେ ଏବେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। କଲେଜ୍ କର୍ତ୍ତୃପକ୍ଷ ସିଟ୍ ପୂରଣ କରିବା ପାଇଁ କିଟ୍ ବିଶ୍ବବିଦ୍ୟାଳୟର ନାଁ’ ନେଇ ପିଲାଙ୍କୁ ଆଡ୍ମିସନ୍ କରୁଥିବା ଜଣେ ଛାତ୍ର ଆଜି ଅଭିଯୋଗ କରିଛନ୍ତି। ଛାତ୍ରଙ୍କ କହିବା ମୁତାବକ ସେ ଏହି କଲେଜରେ ୩ବର୍ଷିଆ ଜିଏନ୍ଏମ୍ କୋର୍ସ କରିବାକୁ ଆସିଥିଲେ। କୋର୍ସ ଶେଷ ହେବା ପରେ ତାଙ୍କୁ କଲେଜ ପକ୍ଷରୁ ଇଣ୍ଡିଆନ୍ ନର୍ସିଂ ସାର୍ଟିଫିକେଟ୍(ଆଇଏନ୍ଏସ୍) ସ୍ବୀକୃତିପ୍ରାପ୍ତ ସାର୍ଟିଫିକେଟ୍ ଦିଆଯିବ ବୋଲି କୁହାଯାଇଥିଲା। ଏହା ସହିତ କିଟ୍ ବିଶ୍ବବିଦ୍ୟାଳୟର ଏହା ଏକ ଶାଖା ବୋଲି କଲେଜ କର୍ତ୍ତୃପକ୍ଷ କହିଥିଲେ। ସେଥିପାଇଁ ସେ ଏହି କଲେଜ୍ରେ ନାଁ ଲେଖାଇଥିଲେ ବୋଲି ଛାତ୍ର ଜଣକ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ କଲେଜ୍କୁ ପ୍ରାୟ ୪୦ ହଜାର ଟଙ୍କା ଦେଇସାରିଥିବା ବେଳେ ଦ୍ବିତୀୟ ବର୍ଷରେ ପଢ଼ୁଛନ୍ତି।
ଅପରପକ୍ଷରେ ବର୍ତ୍ତମାନ କଲେଜ୍ର ଦ୍ବିତୀୟ ଓ ତୃତୀୟ ବର୍ଷର ସମୁଦାୟ ୬୦ ଜଣ ପିଲା ଆଇଏନ୍ଏସ୍ ସ୍ବୀକୃତିପ୍ରାପ୍ତ ସାର୍ଟିଫିକେଟ୍ ପାଇବାକୁ ନେଇ ଆଶଙ୍କାରେ ରହିଛନ୍ତି। ତୃତୀୟ ବର୍ଷର ଅଧିକାଂଶ ଛାତ୍ରଛାତ୍ରୀ କୋର୍ସ ଫି’ ଅର୍ଥାତ୍ ୯୫ ହଜାର ଟଙ୍କା ଦେଇସାରିଥିବା ବେଳେ ଦ୍ବିତୀୟ ବର୍ଷର ବହୁ ପିଲା ୫୦ହଜାରରୁ ଅଧିକ ଟଙ୍କା ପୈଠ କରିସାରିଛନ୍ତି। ଅପରପକ୍ଷରେ ଖଣ୍ଡଗିରି ପୁଲିସ୍ ଘଟଣାର ତଦନ୍ତ କରି ଏ ନେଇ ଏକ ମାମଲା ରୁଜୁ କରିଥିବା ବେଳେ କଲେଜ ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ଡାକି ପଚରାଉଚରା କରୁଛି। ତେବେ ପିଲାଙ୍କୁ ଆଡମିସନ୍ ବେଳେ କଲେଜ୍ ପକ୍ଷରୁ ଆଇଏନ୍ଏସ୍ ସ୍ବୀକୃତିପ୍ରାପ୍ତ ସାର୍ଟିଫିକେଟ୍ ଦେବାକୁ ନେଇ କୌଣସି ଲେଖା ଦିଆଯାଇନାହିଁ। ଏହା ସହ କୌଣସି ପିଲାଙ୍କର ଏଯାବତ୍ କୋର୍ସ ଶେଷ ହୋଇନଥିବାରୁ କିଛି ସାର୍ଟିଫିକେଟ୍ ମଧ୍ୟ ଦିଆଯାଇନାହିଁ ବୋଲି କଲେଜ କର୍ତ୍ତୃପକ୍ଷଙ୍କ ବୟାନ ଦେଇଥିବା ଜଣାପଡ଼ିଛି। ତେଣୁ ପୁଲିସ ଉଭୟ ପକ୍ଷରୁ ସଂପୂର୍ଣ୍ଣ ବିବରଣୀ ଜାଣିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି।