ଭୁବନେଶ୍ବର: ଗତରାତିରେ ଭରତପୁର ଥାନା ପୁଲିସ କଳିଙ୍ଗ ବିହାରସ୍ଥିତ ଏକ ଘରୋଇ ନର୍ସିଂ କଲେଜ ଛାତ୍ରାବାସରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ହେଲେ, ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ସୌରଭ ଦେ(୧୯)। ସେ ଉକ୍ତ କଲେଜରେ ଦ୍ବିତୀୟ ବାର୍ଷିକ ଛାତ୍ର ଥିଲେ। ପୁଲିସ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ଏବଂ ସେଇଟି ଜଣେ ଯୁବତୀଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଛି ବୋଲି ଜଣାପଡ଼ିଛି। ଯୁବତୀଜଣଙ୍କ ତାଙ୍କୁ ପ୍ରତାରଣା ଦେଇଥିବାରୁ ସୌରଭ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ୍ ନୋଟ୍ରୁ ଅନୁମାନ କରାଯାଉଛି। ବଙ୍ଗଳା ଭାଷାରେ ଯୁବତୀଙ୍କ ନାଁରେ ଥିବା ଏହି ଚିଠିରେ ସୌରଭ ଲେଖିଛନ୍ତି, ‘ତୁମେ ଆଉ କାହାକୁ ହୃଦୟ ଦେବନି, ମଲା ପରେ ବି ମୁଁ ତୁମ ପାଖେପାଖେ ରହିଥିବି।’
ସୋମବାର ରାତିରେ ସୌରଭ ଖାଇବାକୁ ନ ଆସିବାରୁ ସାଙ୍ଗମାନେ ତାଙ୍କୁ ଡାକିବା ପାଇଁ ଯାଇଥିଲେ। ସେମାନେ ସୌରଭଙ୍କ ରୁମ୍ କବାଟ ବାଡ଼େଇଥିଲେ ବି ସେ ଜବାବ ଦେଇନଥିଲେ। ସନ୍ଦେହ କରି ସେମାନେ ଝରକା ପଟେ ଦେଖିବା ବେଳକୁ ସୌରଭ ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ତାଙ୍କ ପରିବାରଲୋକଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ସୌରଭଙ୍କ ମୋବାଇଲ୍ ଫୋନ୍ ଜବତ କରି କଲ୍ ଡିଟେଲ୍ସ ଯାଞ୍ଚ କରୁଛି।