ଭୁବନେଶ୍ୱର : ନାଁ ଶିଶୁଭବନ। କିନ୍ତୁ ଚିକିତ୍ସା ଚାଲିଛି ସର୍ବସାଧାରଣଙ୍କର। କ୍ୟାପିଟାଲ ହସ୍ପିଟାଲ ଅଧୀନରେ ଥିବା ଶିଶୁଭବନ ଆଉ କେବଳ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ରହିନାହିଁ। ହସ୍ପିଟାଲର ବହିର୍ବିଭାଗକୁ ଏବେ ସମସ୍ତ ରୋଗୀଙ୍କ ପାଇଁ ଖୋଲି ଦିଆଯାଇଛି। କେବଳ ପୂର୍ବ ନାଁରେ ଚାଲିଛି ଶିଶୁ ଭବନ।

Advertisment

ଅପରପକ୍ଷରେ ଅପପୁଷ୍ଟି ରୋକିବା ପାଇଁ ଅକ୍ଟୋବର ୨୭ତାରିଖରେ ଶିଶୁଭବନରେ ଏକ ପୁଷ୍ଟିସାଧନ କେନ୍ଦ୍ର ବା ଏନ୍‌ଆରସିର ଉଦ୍‌ଘାଟନ କରାଯାଇଥିଲା। ଏହାକୁ ପରବର୍ତୀ ସମୟରେ ସେଣ୍ଟର ଅଫ ଏକ୍ସଲେନ୍‌ସରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି। ମାତ୍ର ଉଦ୍‌ଘାଟନ ୫ମାସ ପରେ ମଧ୍ୟ ଏହି କେନ୍ଦ୍ର ଯେଉଁ ଉଦ୍ଦେଶ୍ୟ ନେଇ ଖୋଲା ଯାଇଥିବା ତାହା ପୂରଣ ହୋଇପାରି ନାହିଁ। ୧୦ଟି ଶଯ୍ୟା ଉଦ୍ଦିଷ୍ଟ ଥିବା ଏହି କେନ୍ଦ୍ରରେ ଆଜି ଜଣେ ମାତ୍ର ଶିଶୁ ଥିବା ଦେଖିବାକୁ ମିଳିଛି। ସମସ୍ତଙ୍କ ନଜର ହଟାଇବା ପାଇଁ ବେଳେ ବେଳେ କ୍ୟାପିଟାଲ ହସ୍ପିଟାଲରୁ ଶିଶୁଙ୍କୁ ଆଣି ଏନ୍‌ଆରସିରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।

ରାଜ୍ୟର ୩୦ଟି ଜିଲ୍ଲାରେ ଏବେ ୫୫ଟି ପୁଷ୍ଟି ସାଧାନ କେନ୍ଦ୍ର କାର୍ଯ୍ୟ କରୁଛି। କେବଳ ଖୋର୍ଧା ଜିଲ୍ଲାକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ପୁଷ୍ଟି ସାଧାନ କାର୍ଯ୍ୟ କରୁଥିଲା। ତେବେ ନଗଡ଼ାରେ ଅପପୁଷ୍ଟି ଜନିତ ମୃତ୍ୟୁ ରାଜ୍ୟ ସରକାରଙ୍କୁ ଦୋହଲାଇ ଦେବା ପରେ ରାଜ୍ୟ ସରକାର ଶିଶୁଭବନରେ ଏନ୍‌ଆରସି ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ରାଜଧାନୀରେ ଥିବା ଶତାଧିକ ବସ୍ତିକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିଲେ। ଗତବର୍ଷ ଅକ୍ଟୋବର ମାସରେ ଏହାର ଉଦ୍‌ଘାଟନ କରାଯାଇଥିଲା। ଏନ୍‌ଆରସିରେ ୧ମାସରୁ ଅଧିକ ୫ବର୍ଷରୁ କମ୍‌ ଶିଶୁଙ୍କୁ ଏଥିରେ ଚିକିତ୍ସା କରିବାର ନିୟମ ରହିଛି। ମାତ୍ର ଶିଶୁଭବନସ୍ଥିତ ଏନ୍‌ଆରସିରେ କାଁ ଭାଁ ଶିଶୁଙ୍କୁ ଚିକିତ୍ସା କରାଯାଉଛି। ଏନ୍‌ଆରସି ଏକପ୍ରକାର ପ୍ରହସନରେ ପରିଣତ ହୋଇଛି।

ସେହିପରି ଶିଶୁଭବନରେ ମଧ୍ୟ ଆଉ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ହୋଇ ରହିନାହିଁ। ତାହା ସାଧାରଣ ବହିର୍ବିଭାଗରେ ପରିଣତ ହୋଇଛି। ଜଣେ ଆୟୁଷ ଡାକ୍ତର ସେଠାରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସେଠାରେ ନିଯୁକ୍ତ ହୋଇଥିବା ଶିଶୁ ଡାକ୍ତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଡ୍ୟୁଟି ଦିଆଯାଇଛି। ସେ କେବଳ ଏନ୍‌ଆରସି ପରିଦର୍ଶନ କରୁଥିବା ଜଣପଡ଼ିଛି। ତେବେ ଏନ୍‌ଆରସିକୁ କିଭଳି ଅଧିକରୁ ଅଧିକ ଶିଶୁଙ୍କୁ ଅଣାଯିବ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହିଳା ଓ ଶିଶୁ ବିକାଶ ଓ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ କାର୍ଯ୍ୟରତ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଏନ୍‌ଆରସି ସହିତ ଯୋଡ଼ିବା ନିଷ୍ପତ୍ତି ନିଆଯିବ। ଡାକ୍ତରଙ୍କ ଡ୍ୟୁଟି ପାଇଁ ଅଚାନକ ଯାଞ୍ଚ କରାଯିବ। ରାଜ୍ୟରେ ଏ ପର୍ଯ୍ୟନ୍ତ ୩୦ହଜାର ଶିଶୁଙ୍କୁ ଏନ୍‌ଆରସି ଜରିଆରେ ଅପପୁଷ୍ଟିରୁ ମୁକ୍ତ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

କ୍ୟାପିଟାଲ ହସ୍ପିଟାଲର ଭାରପ୍ରାପ୍ତ ନିର୍ଦେଶକ ଡା.ଏମ୍‌ଆର ଦାସ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲର ଶିଶୁ ଓ୍ଵାର୍ଡରେ ହେଉଥିବା ଚାପକୁ ନଜରରେ ରଖି ଶିଶୁଭବନ ପାଇଁ ନିଯୁକ୍ତ ହୋଇଥିବା ଡାକ୍ତରଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଛି। ଯେହେତୁ ଶିଶୁ ଭବନରେ କେବଳ ଶିଶୁଙ୍କ ଚିକିତ୍ସା କରାଯାଉ ନାହିଁ, ସେଥିପାଇଁ ଡାକ୍ତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଡ୍ୟୁଟି ଦିଆଯାଇଛି। ସେ ଏଠାରେ ଡ୍ୟୁଟି କରିବା ସହିତ ନିୟମିତ ଭାବେ ଏନ୍‌ଆରସି ପରିଦର୍ଶନ କରୁଥିବା ଡା. ଦାସ ସୂଚନା ଦେଇଛନ୍ତି।