ଭୁବନେଶ୍ୱର : ଶୁକବ୍ରାର ଶିଶୁଭବନସ୍ଥିତ ପୁଷ୍ଟି ପୁନର୍ବାସ କେନ୍ଦ୍ର ବା ଏନ୍ଆରସି କେନ୍ଦ୍ରର ଉଦ୍ଘାଟନ ହେବ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶିଶୁଭବନ ଏନ୍ଆରସିକୁ ବାଦ୍ ଦେଲେ ରାଜ୍ୟରେ ଆହୁରି ୧୨ଟି ଏନ୍ଆରସି ନିର୍ମାଣ ହେବ ବୋଲି ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶିଶୁଭବନସ୍ଥିତ ଏନ୍ଆରସି କ୍ୟାପିଟାଲ ହସ୍ପିଟାଲ ଅଧୀନରେ କାର୍ଯ୍ୟ କରିବ। ଏଥିପାଇଁ ସେଠାରେ ୧୦ଟି ବେଡ୍ ରହିଥିବା ବେଳେ ଜଣେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରହିଛନ୍ତି। ଆବଶ୍ୟକ ପଡ଼ିଲେ କ୍ୟାପିଟାଲ ହସ୍ପିଟାଲରୁ ଡାକ୍ତର ଓ ଅନ୍ୟ କର୍ମଚାରୀ ଏନ୍ଆରସିକୁ ଆସି କାର୍ଯ୍ୟ କରିବେ। ଏବେ ରାଜ୍ୟରେ ୫୫ଟି ଏନ୍ଆରସି କାର୍ଯ୍ୟ କରୁଛି। ଆଗାମୀ ଦିନରେ ଆହୁରି ୧୨ଟି ଏନ୍ଆରସି ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନୁଗୁଳ, ଆରଜିଏଚ୍ ରାଉରକେଲା, ଉପଖଣ୍ଡ ଚିକିତ୍ସାଳୟ ଆଠଗଡ଼, ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଲେଶ୍ୱର ଜିଲ୍ଲାର ଭଟ୍ଟର ସିଏଚ୍ସି, ଦାରିଂବାଡ଼ି ସିଏଚ୍ସି, କେନ୍ଦୁଝର ଜିଲ୍ଲା ବଡ଼ବିଲ ସିଏଚ୍ସି, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସିଏଚ୍ସି ଓ ନୂଆପଡ଼ା ଜିଲ୍ଲାର ଖରିଆର ସିଏଚସିରେ ଏନ୍ଆରସି ନିର୍ମାଣ କରାଯିବ। ଏହାସହ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ନବରଙ୍ଗପୁର ଜିଲ୍ଲାର ଉମରକୋଟସ୍ଥିତ ଏନ୍ଆରସିରେ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରାଯାଇଛି। ଏଠାରେ ପୂର୍ବରୁ ୧୦ଟି ଶଯ୍ୟା ରହିଥିବା ବେଳେ ଅପପୁଷ୍ଟିକୁ ଦୂର କରିବା ଲକ୍ଷ୍ୟରେ ଶଯ୍ୟା ସଂଖ୍ୟାକୁ ୧୫କୁ ବୃଦ୍ଧି କରାଯାଇଛି।
ସ୍ୱାସ୍ଥ୍ୟ ବିଭାଗର ଜନୈକ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଶିଶୁଭବନ ଏନ୍ଆରସିକୁ ପରର୍ବତୀ ସମୟରେ ସେଣ୍ଟର ଅଫ ଏକ୍ସଲେନ୍ସରେ ପରିଣତ କରାଯିବ। ଏହିଠାରୁ ରାଜ୍ୟରେ ଥିବା ଅନ୍ୟ ଏନ୍ଆରସିଗୁଡ଼ିକର ତଦାରଖ କରାଯିବ। ତେଣୁ ରାଜ୍ୟରେ ଅପପୁଷ୍ଟିକୁ ରୋକିବା ଦିଗରେ ଏନ୍ଆରସି ସହାୟକ ହୋଇପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।