ଶିଶୁ ଭବନରେ ଉଦ୍‌ଘାଟିତ ହେଲା ପୁଷ୍ଟିସାଧନ କେନ୍ଦ୍ର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଶିଶୁ ଭବନ ପରିସରରେ ଏକ ପୁଷ୍ଟିସାଧନ କେନ୍ଦ୍ର/ଏନ୍‌ଆର୍‌ସି ଆଜି ଉଦ୍‌ଘାଟିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। କ୍ୟାପିଟାଲ ହସ୍‌ପିଟାଲ୍‌ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ। ଉଦ୍‌ଘାଟନୀ ଅବସରରେ ଶ୍ରୀ ଜେନା କହିଲେ, ଏହି ୧୦ ଶଯ୍ୟାବିଶିଷ୍ଟ ଏହି କେନ୍ଦ୍ରରେ ଜନ୍ମରୁ ୫ ବର୍ଷ ମଧ୍ୟରେ ଅତ୍ୟଧିକ ପୁଷ୍ଟିହୀନତା ସହ ଅସୁସ୍ଥତାର ଶିକାର ହେଉଥିବା ପ୍ରତ୍ୟେକଟି ଶିଶୁକୁ ବିନା ମୂଲ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଏହା ଦ୍ୱାରା ରାଜ୍ୟରେ ବଢ଼ି ଚାଲିଥିବା ଅପପୁଷ୍ଟିଜନିତ ମୃତ୍ୟୁକୁ ହ୍ରାସ କରାଯାଇ ପାରିବ ବୋଲି ସେ କହିଛନ୍ତି।

ଏଠାରେ ଭୁବନେଶ୍ୱର ସମେତ ଖୋର୍ଧା ଜିଲ୍ଲାର ପୁଷ୍ଟିହୀନତାର ଶିକାର ହେଉଥିବା ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରରେ ଅପପୁଷ୍ଟିର ଶିକାର ଶିଶୁ ସହ ସେମାନଙ୍କ ମା’ମାନଙ୍କୁ ମଧ୍ୟ ବିନା ମୂଲ୍ୟରେ ଖାଦ୍ୟ ଓ ରହିବାର ସୁବିଧା କରାଯାଇଛି। ପୁଣି ଆଗାମୀ ଦିନରେ ଏହି କେନ୍ଦ୍ରକୁ ଏକ ‘ଉତ୍କର୍ଷ ପୁଷ୍ଟିସାଧନ କେନ୍ଦ୍ର’ରେ ପରିଣତ କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୭ଟି ପୁଷ୍ଟିସାଧନ କେନ୍ଦ୍ର ରହିଛି। ଆଗାମୀ ଦିନରେ ଏଭଳି କେନ୍ଦ୍ର ଅଧିକରୁ ଅଧିକ ପ୍ରତିଷ୍ଠା କରାଯିବ।

ଆଜି ଉଦ୍‌ଘାଟନୀ ଅବସରରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ କୁମାର ମହାନ୍ତିଙ୍କ ସମେତ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ନିର୍ଦ୍ଦେଶିକ ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର