ବରିଷ୍ଠ ଓଏଏସ୍‌ ବି ହ୍ୟାକରଙ୍କ ଶିକାର : ଫେସ୍‌ବୁକ୍‌ ହ୍ୟାକ୍‌ କରି ଅଧିକାରୀଙ୍କ ବନ୍ଧୁମାନଙ୍କୁ ଟଙ୍କା ମାଗିଲା ହାକର୍

ଭୁବନେଶ୍ବର : ମୁଣ୍ଡବିନ୍ଧା ବଢ଼ାଇଲେଣି ହ୍ୟାକର। ସୋସିଆଲ୍‌ ମିଡିଆରେ ଆକାଉଣ୍ଟ ହ୍ୟାକ୍‌ କରି କାହାଠାରୁ ଟଙ୍କା ଲୁଟ୍‌ କଲେଣି ତ’ କେଉଁଠି ଇମେଲ୍‌ ପାସ୍‌ୱାର୍ଡ ହ୍ୟା‌କ୍‌ କରି ବ୍ଲାକ୍‌ମେଲ୍‌ କଲେଣି। ସାଇବର ଥାନାରେ ଅଭିଯୋଗ ଉପରେ ଅଭିଯୋଗ ଗଦା ହେଲାଣି। ହେଲେ କାର୍ଯ୍ୟାନୁଷ୍ଠାନ ହେଉନି। ପୂର୍ବରୁ ଭୁବନେଶ୍ବରରେ ୨ ଜଣ ବରିଷ୍ଠ ପୁଲିସ ଅଧିକାରୀ, ସାମ୍ବାଦିକ ଓ ସରକାରୀ କର୍ମଚାରୀ ହ୍ୟାକରଙ୍କ ଜାଲରେ ପଡ଼ିଥିବା ବେଳେ ଆଜି ଜଣେ ବରିଷ୍ଠ ଓଏଏସ୍‌ ଅଫିସରଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଛି। ହ୍ୟାକର ସମ୍ପୃକ୍ତ ଅଧିକାରୀଙ୍କ ବନ୍ଧୁମାନଙ୍କୁ ଟଙ୍କା ମାଗୁଛି। ଜଣେ ବନ୍ଧୁ ତାଙ୍କୁ ଫୋନ୍‌ କରି ଏ ବାବଦରେ କହିବା ପରେ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଫେସ୍‌ବୁକ୍‌ରେ ଥିବା ବନ୍ଧୁମାନଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଇ ହ୍ୟାକରକୁ ଟଙ୍କା ନ ଦେବା ଅନୁରୋଧ କରିଛନ୍ତି।

Tech Startups

ବରିଷ୍ଠ ଓଏଏସ୍‌ ଅଫିସର ହେଉଛନ୍ତି ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ। ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌ କରି ମେସେଞ୍ଜର ଜରିଆରେ ହ୍ୟାକର ଅଫିସରଙ୍କ ବନ୍ଧୁମାନଙ୍କ ସହ ଯୋଗାଯୋଗରେ ଥିଲା। ଜଣେ ବନ୍ଧୁଙ୍କ ସହ କଥା ହୋଇ ୧୦ ହଜାର ଟଙ୍କା ପଠାଇବାକୁ କହିଥିଲା। ଗୁଗୁଲ ପେ’ରେ ପଠାଇବା ପାଇଁ ସେ ଏକ ଫୋନ୍‌ ନମ୍ବର(୮୬୯୬୩୦୯୯୭୩) ମଧ୍ୟ ଦେଇଥିଲା। ସେ ହିନ୍ଦୀରେ କଥା ହେଉଥିବା ଏବଂ ଫୋନ୍‌ ନମ୍ବର ଓଡ଼ିଶାର ହୋଇ ନ ଥିବାରୁ ବନ୍ଧୁଙ୍କର ସନ୍ଦେହ ହୋଇଥିଲା। ସେ ସଙ୍ଗେ ସଙ୍ଗେ ସମ୍ପୃକ୍ତ ଓଏଏସ୍‌ ଅଫିସରଙ୍କୁ ଫୋନ୍‌ କରିଥିଲେ। ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ସେତେବେଳେ ହିଁ ଜଣାପଡ଼ିଥିଲା। ପାସ୍‌ୱାର୍ଡ ପରିବର୍ତ୍ତନ ହୋଇଯାଇ ଥିବାରୁ ସେ ନିଜ ଆକାଉଣ୍ଟ ଆକ୍ସେସ ମଧ୍ୟ କରି ପାରୁ ନ ଥିଲେ। ତେଣୁ ପତ୍ନୀ ଓ ପୁଅ ସେମାନଙ୍କ ଆକାଉଣ୍ଟ ଜରିଆରେ ଏହି ସୂଚନା ବନ୍ଧୁମାନଙ୍କୁ ଦେଇଥିଲେ। ହ୍ୟାକରକୁ ଟଙ୍କା ନ ଦେବା ପାଇଁ ଅନୁରୋଧ କରିଥିଲେ।

ତେବେ କେବଳ ଏହି ଘଟଣା ନୁହେଁ, ବରଂ ପୂର୍ବରୁ ଅନ୍‌ଲାଇନ୍‌ରେ ଠକେଇର ଅନେକ ପ୍ରମାଣ ରହିଛି। ସାଇବର ଥାନା ବା କ୍ରାଇମ୍‌ବ୍ରାଞ୍ଚ ଏ ନେଇ କୌଣସି ସଫଳତା ପାଉ ନ ଥିବାରୁ ଠକମାନେ ନିଜର ପ୍ରଭାବ ବିସ୍ତାର କରୁଛନ୍ତି। ବାରମ୍ବାର ଏଭଳି ଠକାମି କରି ଚାଲିଛନ୍ତି। ଏବେ ତାଲା ବନ୍ଦ ଚାଲିଥିବାରୁ ଅନ୍‌ଲାଇନ୍‌ରେ ମଦ ଯୋଗାଇ ଦେବା ଆଳରେ ଦୋକାନ ନାମରେ ବିଜ୍ଞାପନ ଦେଇ କେବଳ ଭୁବନେଶ୍ବରରୁ ଠକ ୬ ଲକ୍ଷ ଟଙ୍କା ଅନ୍‌ଲାଇନ୍‌ରେ ଠକି ନେଇଛନ୍ତି। ଗତ ୧୫ ଦିନ ଭିତରେ ପ୍ରାୟ ଦେଢ଼ଶହରୁ ଅଧିକ ଫେସବୁକ ହ୍ୟାକ ହୋଇଥିବା ଜଣାପଡିଛି। ବରିଷ୍ଠ କ୍ରୀଡା ସାମ୍ବାଦିକ ସଂଜୀବ ବିଶ୍ୱାଳ, ସାମ୍ବାଦିକ ଯତୀନ୍ଦ୍ର ସେଣ୍ଢ, ଆଲୋକ ବାରିକଙ୍କ ଫେସବୁକ ଆକାଉଣ୍ଟ ମଧ୍ୟ ହ୍ୟାକ୍‌ ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର