ଭୁବନେଶ୍ବର: ଆସନ୍ତା ମେ ୧ରୁ ପଛୁଆ ବର୍ଗ ସର୍ଭେ ଆରମ୍ଭ ହେବ। ଏଥିପାଇଁ ବିଏମ୍ସି ପ୍ରସ୍ତୁତି ଆରମ୍ଭ କରିଛି। ୨୭ ତାରିଖ ପର୍ଯ୍ୟନ୍ତ ପଛୁଆ ବର୍ଗଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିବ। ଚିହ୍ନଟ ପକ୍ରିୟା ଲାଗି ଆଜି ଠାରୁ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ପଛୁଆ ବର୍ଗ ଚିହ୍ନଟ ପ୍ରକ୍ରିୟାରେ ଯେଉଁ ଗଣନାକାରୀ ଭାଗ ନେବେ ସେମାନଙ୍କୁ ମାଷ୍ଟର ଟ୍ରେନରମାନେ ପ୍ରଶିକ୍ଷଣ ଦେବେ। ଆଜି ଏହି ମାଷ୍ଟର ଟ୍ରେନରଙ୍କୁ ବିଏମ୍ସି ତାଲିମ ଦେଇଛି। ୩ ଜୋନର ମାଷ୍ଟର ଟ୍ରେନରଙ୍କ ସମେତ ମୁଖ୍ୟ କାର୍ଯ୍ୟାଳୟର ୫ ଜଣ ମାଷ୍ଟର ଟ୍ରେନର ଏଥିରେ ସାମିଲ ହୋଇଛନ୍ତି। ବିଏମ୍ସିରେ ୧୦୧ ସର୍ଭେ କେନ୍ଦ୍ର ହୋଇଛି।
୧୦୧ କେନ୍ଦ୍ର, ୨୦୮ ବର୍ଗ
ପ୍ରଶିକ୍ଷଣ ନେଲେ ମାଷ୍ଟର ଟ୍ରେନର
ବିଏମସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ତାମିଲ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସ୍ବତନ୍ତ୍ର ସଚିବ ସଂଗ୍ରାମ କେଶରୀ ସ୍ବାଇଁ ଯୋଗ ଦେଇଥିଲେ। ଆସନ୍ତା ୧୧, ୧୨ ଓ ୧୩ ତାରିଖରେ ଆଜି ଟ୍ରେନିଂ ନେଇଥିବା ମାଷ୍ଟର ଟ୍ରେନରମାନେ ଏନୁମେଟର ଓ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦେବେ। ପଛୁଆ ବର୍ଗର ପ୍ରମାଣ ପତ୍ର ପାଇଁ ‘ଆଇସିଆର’ କିଭଳି ପୂରଣ କିଭଳି କରିବେ, ସେ ନେଇ ପ୍ରଶିକ୍ଷଣ ଦେବେ। ମୋଟ ୨୦୮ ବର୍ଗଙ୍କୁ ଜାତିଗତ ପ୍ରମାଣପତ୍ର ସର୍ଭେରେ ସାମିଲ କରାଯିବ। ସର୍ଭେ ଲାଗି କରାଯାଇଥିବା ସ୍କୁଲ ବା କେନ୍ଦ୍ର ଗୁଡିକରେ ଲୋକମାନେ ନିଜର ସୁବିଧା ମୁତାବକ ସମସ୍ତ କାଗଜ ପତ୍ର ଧରି ପହଞ୍ଚିବାକୁ ବିଏମସି ଅନୁରୋଧ କରିଛି। ପଛୁଆ ବର୍ଗର ସମସ୍ତ ବ୍ୟକ୍ତି ସମୟ ସୀମା ଭିତରେ କେନ୍ଦ୍ରକୁ ଆସି ଏହି ସର୍ଭେରେ ସାମିଲ ହେବାକୁ କୁହାଯାଇଛି।
ଅନଲାଇନରେ ମଧ୍ୟ ଆବେଦନ କରାଯାଇ ପାରିବ। ଅନଲାଇନରେ ଜଣେ ବ୍ୟକ୍ତି ଓଏସସିବିସି ବା ଓବିସି କମିସନଙ୍କ ୱେବସାଇଟ୍କୁ ଯାଇ ଆବଶ୍ୟକ ହେଉଥିବା ସମସ୍ତ ତଥ୍ୟ ଦେଇ ଆବେଦନ କରିପାରିବେ। ଅଫଲାଇନ ସର୍ଭେ ପାଇଁ ୱାର୍ଡ଼ରେ ଏନୁମରେଟର ସେଣ୍ଟର ଖୋଲିବ। ପରିବାର ମୁଖ୍ୟ କିମ୍ବା ସଦସ୍ୟ ଏନୁମରେଟର ସେଣ୍ଟରକୁ ଯାଇ ପରିବାରର ସମସ୍ତ ସଦସ୍ୟ ତଥ୍ୟ ଦେଇ ପଞ୍ଜୀକରଣ କରିବେ। ପଞ୍ଜୀକରଣ ପାଇଁ ଆଧାର, ଭୋଟର କାର୍ଡ, ପାନ କାର୍ଡ କିମ୍ଭା ପାସପୋର୍ଟକୁ ଦେଖାଇ ବାକୁ ପଡ଼ିବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମସ୍ତ କେନ୍ଦ୍ର ଖୋଲରହିବ। ଏନୁମରେଟର ଏବଂ ସୁପରଭାଇଜରଙ୍କୁ ୬ରୁ ୧୩ ତାରିଖ ଭିତରେ ପ୍ରଥମ ପର୍ଯ୍ୟାୟ ତାଲିମ ଏବଂ ୧୮ରୁ ୨୪ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯିବ। ପ୍ରତ୍ୟେକ ୧୦ ଜଣ ଗଣନାକାରୀଙ୍କ କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏଁ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରତ୍ୟେକ ସର୍ଭେ କେନ୍ଦ୍ରରେ ୨ ରୁ ୫ ଜଣ ଲେଖାଏଁ ଗଣନାକାରୀ ରହିବେ।