୧୯୨୯ କଲ୍‌ ସେଣ୍ଟର ବୁଲିଲେ ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ରାଜଧାନୀର ଯେ କୌଣସି କରୋନା ଆକ୍ରାନ୍ତ କିଛି ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ୧୯୨୯ ନମ୍ବରରେ ଫୋନ୍‌ କରିବାକୁ କୁହାଯାଇଛି। ତେଣୁ ୧୯୨୯ କଲ୍‌ ସେଣ୍ଟରକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଆଜି ଭୁବନେଶ୍ବରର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଓ ଏନ୍‌.ଥିରୁମାଳା ନାୟକ ଆଜି ଭୁବନେଶ୍ବର ଅପରେସନ୍ ସେଣ୍ଟରରେ ଥିବା କଲ୍‌ ସେଣ୍ଟରକୁ ବୁଲି ଦେଖିଛନ୍ତି।

ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ନିୟମିତ ବ୍ୟବଧାନରେ ଫୋନ୍‌ କରିବା, ଔଷଧ ଖାଇବା ନେଇ ପରାମର୍ଶ ଦେବା, କୋଭିଡ କଟକଣା ପାଳନ ନେଇ ପରାମର୍ଶ ଦେବାକୁ କଲ୍‌ ସେଣ୍ଟର କର୍ମଚାରୀଙ୍କୁ ପର୍ଯ୍ୟବେକ୍ଷକ ପରାମର୍ଶ ଦେଇଛନ୍ତି। ଏହାସହ କଲ୍‌ ସେଣ୍ଟରରେ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ନେଇ ଆଲୋଚନା ହୋଇଛି। ପର୍ଯ୍ୟବେକ୍ଷଙ୍କ ପରିଦର୍ଶନ ସମୟରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୨୫ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଏହି କଲ୍‌ ସେଣ୍ଟରକୁ ଏପ୍ରିଲ ୧୮ ସୁଦ୍ଧା ୮୮୬ଟି ଫୋନ୍‌ ଆସିଥିବାବେଳେ କଲ୍‌ ସେଣ୍ଟର କର୍ମଚାରୀ ୩୭୯୨ଟି କଲ୍‌ କରିଛନ୍ତି।

ଟିକା ନେବାକୁ ଧସ୍ତାଧସ୍ତି, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
ବାଲିଅନ୍ତା: ଟିକା ନେବାକୁ କେନ୍ଦ୍ର କରି ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିକାକରଣ କେନ୍ଦ୍ରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଟିକା ନେବା ପାଇଁ ଆଜି ସକାଳେ ସ୍ବାସ୍ଥ୍ୟକେନ୍ଦ୍ରରେ ପାଖାପାଖି ୩୫୦ ଲୋକ ଜମା ହୋଇଯାଇଥିଲେ। ତେବେ ଆଗ ଟିକା ନେବା ପାଇଁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ, ଠେଲାପେଲା ଓ ଧସ୍ତାଧସ୍ତି ଯୋଗୁଁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ବାଳକାଟି ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପରେ ପୁଲିସ୍‌ ଉପସ୍ଥିତିରେ ସକାଳ ୮ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଟିକାକରଣ କରାଯାଇଥିଲା। ସୂଚନା‌ ଅନୁଯାୟୀ, କରୋନାର ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣ ଯୋଗୁଁ ବହୁ ଲୋକ ଆକ୍ରାନ୍ତ ହେଉଛନ୍ତି। ତେଣୁ ଟିକାକରଣ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ି ଯାଇଛି।

ସମ୍ବନ୍ଧିତ ଖବର