ବର୍ଷା ଚାରି ମାସ ପାଣିଘେରରେ ଓସିସି କଲୋନି ବାସିନ୍ଦା

ମଶା, ମାଛି, ସାପଙ୍କ ମେଳରେ କଟୁଛି ଦିନ

ଭୁବନେଶ୍ୱର : ରାତି ତ ରାତି, ଦିନରେ ବି ଘରେ ରହିବା ମୁସ୍କିଲ ହୋଇପଡ଼ୁଛି। କେତେବେଳେ ଘରକୁ ବେଙ୍ଗ ଡେଇଁ ପଶି ଆସୁଛି, ତ କେତେବେଳେ ସାପ। ଦିନରେ ବି ଘରେ ମଶାବତି ଲଗେଇ ରହିବାକୁ ପଡ଼ୁଛି। ଘର ଚାରିକଡ଼ରେ ପଚା ପାଣି ଜମି ରହୁଥିବାରୁ ଝରକା ବି ଖୋଲି ହଉନି। ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଏମିତି ଚରମ ଅବ୍ୟବସ୍ଥାର କଥା ବଖାଣିଛନ୍ତିି ଓଡ଼ିଶା କନ୍‌ଷ୍ଟ୍ରକସନ୍‌ କର୍ପୋରେସନ୍‌ (ଓସିସି)ର ରସୁଲଗଡ଼ ଓ୍ଵାର୍ଡ ନଂ ୧୦ ରେ ଥିବା ଓସିସି କଲୋନି ବାସିନ୍ଦା।

୪୦ ବର୍ଷରୁ ଅଧିକ ବର୍ଷ ହେଲାଣି ନିର୍ମାଣ କରାଯାଇଥିବା ଏହି କଲୋନି ବାସିନ୍ଦା ଗତ ପାଞ୍ଚ ବର୍ଷ ଛଅ ବର୍ଷ ହେଲା ଏମିତି ଦୁର୍ଦଶା ଭିତରେ ରହୁଛନ୍ତି। ବିଶେଷ କରି ବର୍ଷାଦିନ ତାଙ୍କ ପାଇଁ କାଳ ସାଜୁଥିବା କହିଛନ୍ତି। ଏହି କଲୋନିରେ ୪୦ଟି କ୍ୱାର୍ଟର୍ସ ରହିଛି। ମାତ୍ର ପରିବେଶ ଏମିତି ଯେ ଏଠାରେ ବାସ କରୁଥିବା କର୍ମଚାରୀଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି। ଆବର୍ଜନାମୟ ପରିବେଶ ପାଇଁ କିଏ ଚର୍ମ ରୋଗର ଶିକାର ହେଲାଣି ତ ଆଉ କେହି ଝାଡ଼ବାନ୍ତିରେ ପଡ଼ିଲାଣି। ଚାକରି ଚାଲିଯିବା ଭୟରେ ଓସିସି ବିରୋଧରେ କେହି ସିଧାସଳଖ ମୁହଁ ଖୋଲୁ ନଥିଲେ ମଧ୍ୟ ଏପରି ଦୁରବସ୍ଥା ସହ୍ୟ କରିବାର କଷ୍ଟକର ବୋଲି ଜଣେ ବରିଷ୍ଠ ନାଗରିକ କହିଛନ୍ତି। ବର୍ଷା ଚାରି ମାସ କଲୋନିବାସିନ୍ଦା ଜଳ ବନ୍ଦୀ ହୋଇ ରହୁଛନ୍ତି। ବର୍ଷା ସମୟରେ ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇ ପଡ଼ୁଛି।

ବର୍ଷା ପାଣି ପଚି ଯିବାରୁ ମଶାଙ୍କ ଉପଦ୍ରବ ବଢ଼ି ଚାଲିଛି। ଏଥିସହିତ ଘର ଭିତରେ ବେଙ୍ଗ, ସାପ ଆଦି ପଶୁଛନ୍ତି। ପ୍ରତିମାସରେ ପାଞ୍ଚ ଛଅ ଥର କଲୋନି ବାସିନ୍ଦା ଘର ଭିତରୁ ସାପ ବାଡ଼େଇ ମାରୁଥିବା କହିଛନ୍ତି। କଲୋନିର ଅବ୍ୟବସ୍ଥା ନେଇ କଲୋନି ଦାୟିତ୍ୱରେ ଥିବା ଜେନେରାଲ ମ୍ୟାନେଜର ନୂତନ କୁମାର ପଣ୍ଡାଙ୍କୁ ଅଭିଯୋଗ କରିବାରୁ ସେ ଏଠାରେ ଏକ ପମ୍ପର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ପମ୍ପ ଆସିଲା ଦିନରୁ କାର୍ଯ୍ୟକ୍ଷମ ହୋଇନି। କଲୋନିର ସମସ୍ୟା ନେଇ ଶ୍ରୀ ପଣ୍ଡାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।

ସମ୍ବନ୍ଧିତ ଖବର