ଭୁବନେଶ୍ୱର: ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜର ହଷ୍ଟେଲ କିଛି ପୁରାତନ ଛାତ୍ରଙ୍କ କବ୍ଜାରେ ରହିଛି। କଲେଜରୁ ପାଠପଢ଼ା ସରି ଯାଇଥିଲେ ହେଁ କିଛି ଛାତ୍ର ହଷ୍ଟେଲ୍ରେ ଆଡ଼ା ଜମାଇଛନ୍ତି। ଏପରିକି କେତେକ ଛାତ୍ର ଚାକିରି କରୁଥିଲେ ହେଁ ସେମାନେ ମଧ୍ୟ ହଷ୍ଟେଲ୍ ଛାଡ଼ି ନାହାନ୍ତି। ଅଧିକାଂଶ ସମୟରେ ହଷ୍ଟେଲରେ ଭୋଜିଭାତ କରୁଛନ୍ତି। କଲେଜ କର୍ତୃପକ୍ଷ ଏ ସଂପର୍କରେ ଜାଣଥିଲେ ହେଁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ବିଏଚ୍ଏମ୍ଏସ୍ ବା ହୋମିଓପ୍ୟାଥିକ ଏଣ୍ଡ ସର୍ଜରିରେ ସ୍ନାତକ ଶିକ୍ଷା ଶେଷ କରିଥିବା କିଛି ପୁରାତନ ଛାତ୍ର ହଷ୍ଟେଲକୁ କବ୍ଜା କରି ରଖିଛନ୍ତି। କେତେକ ଛାତ୍ର ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ହଷ୍ଟେଲରେ ରହି ପ୍ରସ୍ତୁତି କରୁଛନ୍ତି। ନୂତନ ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, କିଛି ପୁରାତନ ଛାତ୍ର ମନଇଚ୍ଛା ହଷ୍ଟେଲରେ ରହି ଆଡ଼ା ଜମାଇଛନ୍ତି। ଅନେକ ସମୟରେ ଭାଜିଭାତ କରୁଥିବାରୁ ପାଠପଢ଼ାରେ ବ୍ୟାଘାତ ହେଉଛି। କର୍ତୃପକ୍ଷ ସେମାନଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଅନୈତିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଛାତ୍ରଛାତ୍ରୀଙ୍କୁ ଭୟଭୀତ କରିବା ପାଇଁ ପରୀକ୍ଷା ହଲ୍ରେ ସିସିଟିଭି ଲଗାଯାଇଛି। ମାତ୍ର ଶ୍ରେଣୀ ଗୃହରେ ସିସିଟିଭି ବ୍ୟବସ୍ଥା ନାହିଁ। ଏପରିକି ବ୍ରହ୍ମପୁରରେ ଥିବା ହୋମିଓପ୍ୟାଥିକ କଲେଜରେ ଅଧ୍ୟାପକମାନଙ୍କ ପାଇଁ ବାଇଓମେଟ୍ରିକ୍ ବ୍ୟବସ୍ଥା ହୋଇଥିବା ବେଳେ ଅଭିନ ଚନ୍ଦ୍ରରେ ଏଭଳି ବ୍ୟବସ୍ଥା ନାହିଁ। ଯାହାଫଳରେ ଶିକ୍ଷକମାନଙ୍କ ଉପସ୍ଥିତି ଜଣାପଡ଼ୁ ନାହିଁ। ସେହିପରି କିଛି ମାସ ହେବ ହଷ୍ଟେଲ ମେସ୍ ବନ୍ଦ ହୋଇଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କୁ କଲେଜ କ୍ୟାଣ୍ଟିନ୍ ଉପରେ ନିର୍ଭର କରିବାକୁ ପଡ଼ୁଛି। ମାତ୍ର ଏଥିରେ ଖାଦ୍ୟ ସନ୍ତୋଷଜନକ ନୁହେଁ ବୋଲି ଛାତ୍ରଛାତ୍ରୀ ଅଭିଯୋଗ ଆଣିଛନ୍ତି। ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ୍ର ଅଧ୍ୟକ୍ଷ ଡା.ସୁଧୀର ଦାଶଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନାହିଁ। ରାଜ୍ୟ ଆୟୁଷ ନିର୍ଦେଶକ ଅଶ୍ୱିନୀ କୁମାର ମିଶ୍ର କହିଛନ୍ତି, ପାଠପଢ଼ା ପରେ ହଷ୍ଟେଲ ଛାଡ଼ୁ ନ ଥିବା ସଂପର୍କରେ ସୂଚନା ନାହିଁ। ଏ ସଂପର୍କରେ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।