ଆହାର କେନ୍ଦ୍ର ପାଇଁ ଜବରଦଖଲ ଉଚ୍ଛେଦ

ଖଣ୍ଡଗିରି: ଭୁବନେଶ୍ବର ଏମ୍‌ସ ନିକଟରେ ପ୍ରତିଷ୍ଠା ହେବାକୁ ଥିବା ଆହାର କେନ୍ଦ୍ର ପାଇଁ ଚିହ୍ନଟ ଜମିରୁ ଶୁକ୍ରବାର ଜବରଦଖଲ ହଟାଇ ଦିଆଯାଇଛି। ତେଣୁ ଏଥର ଖୁବ୍‌ ଶୀଘ୍ର ଏଠାରେ ଆହାର କେନ୍ଦ୍ର ନିର୍ମାଣ ହେବ ବୋଲି ସ୍ପଷ୍ଟ ହୋଇଛି। ସୂଚନାନୁସାରେ ଚିହ୍ନଟ ହୋଇଥିବା ୨ ହଜାର ବର୍ଗଫୁଟ୍‌ ଜମି (ଖାତା ନଂ-୨୨୯, ପ୍ଲଟ ନଂ-୬)ରେ ୧୦ଟି ଅସ୍ଥାୟୀ ଦୋକାନ ଥିଲା। ପୂର୍ବରୁ ବିଡିଏ ପକ୍ଷରୁ ନୋଟିସ୍ କରାଯାଇଥିଲେ ମଧ୍ୟ ଦୋକାନୀମାନେ ଶୁଣୁ ନଥିଲେ। ତେଣୁ ଆଜି ବିଡିଏ, ବିଏମ୍‌ସି ଓ କମିସନରେଟ ପୁଲିସ ମିଳିତ ଭାବେ ଜବରଦଖଲ ଉଚ୍ଛେଦ କରାଇଥିଲେ। ଦୋକାନୀମାନେ ବିନା ପ୍ରତିବାଦରେ ହଟିଯିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା।  ସେହିଭଳି ଆଜି ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିରୁ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯାଇଛି। ମାଫିଆମାନଙ୍କଠାରୁ ସରକାରୀ ଜମି (ଖାତା ନଂ-୭୮୦, ପ୍ଲଟ ନଂ- ୩୨୧)ରୁ ପ୍ଲଟ କିଣି ଘର କରୁଥିବା ୬ ଜଣଙ୍କ ଅର୍ଧନିର୍ମିତ ଘରକୁ ଭାଙ୍ଗି ଦିଆଯାଇଛି। ଭଡ଼ା ଲଗାଇବାକୁ ଏହି ଘର ନିର୍ମାଣ କରାଯାଉଥିବା ଜଣାପଡ଼ିଛି। ଆଜି ଏହି ଉଚ୍ଛେଦକୁ ବିଡିଏ ଅଧିକାରୀ ପ୍ରମୋଦ କୁମାର ପାତ୍ର, ଶୁଭ୍ରାଂଶୁ ଶେଖର ମହାନ୍ତି, ଭୁବନେଶ୍ବର ତହସିଲଦାର ସମ୍ବିତ ଗଡ଼ନାୟକ ଓ ପୁଲିସ ଏସ୍ଆଇ ବିଜୟ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର