ଜବରଦଖଲ ଯନ୍ତ୍ରଣା: ଶିଶୁପାଳଗଡ଼କୁ ସଂକୁଚିତ କରିବାକୁ ଷଡ଼୍‌ଯନ୍ତ୍ର

୫୬୨ ଏକର କଂକ୍ରିଟ ଜଙ୍ଗଲ କରିବାକୁ ହୀନ ପ୍ରୟାସ, ଜବରଦଖଲରେ ୨୦୦ ଏକର

ପୁରୁଣା ଭୁବନେଶ୍ବର: ରାଜଧାନୀ ଉପକଣ୍ଠ‌ରେ ଥିବା ବିଶ୍ବର ଅନ୍ୟତମ ପ୍ରାଚୀନ ଐତିହ୍ୟସ୍ଥଳ ଶିଶୁପାଳଗଡ଼ର ଐତିହ୍ୟ ଲୋପ କରିବାକୁ ଷଡ଼ଯନ୍ତ୍ର ଚାଲିଥିବା ନେଇ ଅଭିଯୋଗ ହୋଇଛି। କେବଳ ରାଜସ୍ବ ରେକର୍ଡରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନାମରେ ରେକର୍ଡଭୁକ୍ତ ୭୭୫ ଡେସିମିଲ ଜମିକୁ ଶିଶୁପାଳଗଡ଼ ଐତିହ୍ୟ କ୍ଷେତ୍ର ସୀମିତ କରିବାକୁ ଉଦ୍ୟମ କରାଯାଉଛି। କିନ୍ତୁ ବାକି ୫୬୨ ଏକର ଜମିରୁ ଐତିହ୍ୟ କ୍ଷେତ୍ର ମାନ୍ୟତା ଉଠାଇ ତାହାକୁ କଂକ୍ରିଟ୍‌ ଜଙ୍ଗଲରେ ପରିଣତ କରିବାକୁ ହୀନ ପ୍ରୟାସ ଚାଲିଥିବା ଘଟଣା ଏବେ ପଦାକୁ ଆସିଛି।

ଶିଶୁପାଳଗଡ଼କୁ ଜବରଦଖଲକାରୀମାନେ କବ୍‌ଜା କରିନେଇଥିବା ନେଇ ଅଭିଯୋଗ ହେବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଗତ ଜୁନ୍‌ ୧୧ ତାରିଖରେ ମାପ କରାଯାଇଥିଲା। ଏଏସ୍ଆଇର ମଣ୍ଡଳ ଅଧୀକ୍ଷକ ଅରୁଣ ମଲିକ, ଭୁବନେଶ୍ବର ସଂଗ୍ରାହଧୀକ୍ଷକ ନିରଜ ସିଂ, ଭୁବନେଶ୍ବର ତହସିଲଦାର, ଅତିରିକ୍ତ ତହସିଲଦାର, ଆର୍‌ଆଇ, ଅମିନ ଓ ପୁଲିସ ଉପସ୍ଥିତିରେ ଏହାର ମାପ କରାଯାଇଥିଲା। କିନ୍ତୁ ଏଏସ୍ଆଇ ନାମରେ ପଟ୍ଟା ଥିବା କେବଳ ୪ଟି ପ୍ଲଟ୍‌ର ୭୭୫ ଡିସିମିଲ ଜମିକୁ ମାପ କରାଯାଇଥିବା ବେଳେ ବାକି ୫୬୨ ଏକରକୁ ଛାଡ଼ି ଦିଆଯାଇଥିଲା। ଏଏସ୍‌ଆଇ ଓ ତହସିଲ ପ୍ରଶାସନର ଏପରି କାର୍ଯ୍ୟ ଏବେ ଜବରଦଖଲକାରୀଙ୍କୁ ଉତ୍ସାହିତ କରିଛି। ଏପରିକି ଯେଉଁମାନେ ପୂର୍ବରୁ ଜବରଦଖଲ କରିଥିଲେ, ସେମାନେ ଘର ଓ ପ୍ଲଟିଂ କରି ବିକିବାକୁ ଜୋରସୋର୍‌ରେ ଲାଗି ପଡ଼ିଲେଣି।

ଏଠାରେ ସୂଚନାଯୋଗ୍ୟ, ୧୯୪୮ ମସିହାରେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‌ ଡ. ବି.ବି ଲାଲଙ୍କ ନେତୃତ୍ୱରେ ପ୍ରଥମେ ଶିଶୁପାଳଗଡ଼ ଖନନ ହୋଇଥିଲା। ମାଟି ତଳେ ଲୁକ୍କାୟିତ ୨୫୦୦ବର୍ଷ ତଳର ସଭ୍ୟତାର ଗହନ କଥା ପଦାକୁ ଆସିବା ପରେ ଡ. ଲାଲ ଐତିହ୍ୟସ୍ଥଳୀ ଅଞ୍ଚଳ ମାପଚୁପ କରି ଭାରତ ସରକାରଙ୍କୁ ଜଣାଇଥିଲେ। ତାଙ୍କ ରିପୋର୍ଟ ଆଧାରରେ ଭାରତ ସରକାର ୧୯୫୦ ମସିହା ନଭେମ୍ବର ୨୫ ତାରିଖରେ ଗେଜେଟ୍‌ ନୋଟିଫିକେସନ୍‌ ନଂ-୩୪ ଜାରି କରିଥିଲେ। ସେଥିରେ ୫୬୨ଏକର ୬୮୧ ଡେସିମିଲ ଜମିକୁ ଶିଶୁପାଳଗଡ଼ ଐତିହ୍ୟକ୍ଷେତ୍ର ବୋଲି ଘୋଷଣା କରାଯାଇଥିଲା। ଏହି ଅମୂଲ୍ୟ ଐତିହ୍ୟ କ୍ଷେତ୍ରକୁ ଆମସାର୍‌ ଆଇନ ପରିସରଭୁକ୍ତ କରି ସମଗ୍ର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି। ଏଠାରେ ଯେକୌଣସି ନିର୍ମାଣ ଆଇନ ଅନୁଯାୟୀ ଅବୈଧ। କିନ୍ତୁ ନିଷିଦ୍ଧାଞ୍ଚଳ ସତ୍ତ୍ବେ ଆଇନକୁ ଆଖିଠାର ମାରି ଶିଶୁପାଳଗଡ଼ରେ ନାନାଦି ଅବୈଧ ନିର୍ମାଣ ଜାରି ରହିଛି। ଏଠି ମନ୍ତ୍ରୀ, ଯନ୍ତ୍ରୀ, ଅଧିକାରୀ ଜମି କିଣି ପ୍ରାସାଦ ନିର୍ମାଣ କରି ଚାଲିଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବାରମ୍ବାର ଥାନାରେ ଏତଲା ଦିଆଗଲେ ମଧ୍ୟ ମାମଲା ରୁଜୁ ହେଉନଥିଲା। ତେବେ ୪ମାସ ତଳେ ଆଇନଜୀବୀ ଅରୁଣ କୁମାର ମହାପାତ୍ର ଶିଶୁପାଳଗଡ଼ ରାମପାର୍ଟ ଅର୍ଥାତ୍‌ କାନ୍ଥ ନିକଟରେ ଗୃହ ନିର୍ମାଣ କରୁଥିବା ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଧଉଳି ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ ଏତଲା ଗ୍ରହଣ କରି ନଥିଲା। ଏହା ବିରୋଧରେ ଶ୍ରୀ ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ କୋର୍ଟ ପୁଲିସକୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଓଡ଼ିଶା ଇତିହାସରେ ପ୍ରଥମ କରି ଆମସାର୍‌ ଆକ୍ଟରେ ମାମଲା ୮୦/୨୧ ରୁଜୁ ହୋଇଛି। କିନ୍ତୁ କେବଳ ମାମଲା ରୁଜୁ କରି ପୁଲିସ ଚୁପ୍‌ ବସିପଡ଼ିଛି। ଅଭିଯୁକ୍ତଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାପରେ କିଛି ପ୍ରଭାବଶାଳୀଙ୍କ ଇଙ୍ଗିତରେ ଶିଶୁପାଳଗଡ଼ ଐତିହ୍ୟକ୍ଷେତ୍ରକୁ ସଂକୁଚିତ କରିବା ଲାଗି ଷଡ଼ଯନ୍ତ୍ର ଆରମ୍ଭ ହୋଇଛି।

ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶିଶୁପାଳଗଡ଼ ଜବରଦଖଲ ହୋଇଛି କି ନାହିଁ, ତାହାର ତଦନ୍ତ କରିବାକୁ ଭୁବନେଶ୍ୱର ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଆର୍‌ଆଇ ଏବଂ ଅମିନଙ୍କ ସହ ତହସିଲଦାର ଶିଶୁପାଳଗଡ଼ରେ ପହଞ୍ଚିଲେ। କିନ୍ତୁ କେବଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ରେକର୍ଡଭୁକ୍ତ ୭୭୫ ଡେସିମିଲ ଅଞ୍ଚଳକୁ ମାପି ବାକି ଫାସୀ ଖୁଣ୍ଟ, ରାଣୀଗାଡ଼ିଆ, ରାମପାର୍ଟ ଅଞ୍ଚଳ, ଖନନ ଅଞ୍ଚଳକୁ ଗଲେ ନାହିଁ। ସେତକ ମାପି ସରକାରଙ୍କୁ ରିପୋର୍ଟ ଦେଲେ ଶିଶୁପାଳଗଡ଼ରେ ମୋଟ ଉପରେ ଜବରଦଖଲ ହୋଇନାହିଁ। ଫଳରେ ଶିଶୁପାଳଗଡ଼କୁ ଗିଳି ଚାଲିଥିବା ଜମି ମାଫିଆ ବେଶି ଉତ୍ସାହିତ ହୋଇଯାଇଛନ୍ତି। ଜବରଦଖଲକାରୀଙ୍କ ଜମି ମାପ ନହେବା ଓ କୌଣସି ଆଲୋଚନା ବି ନ ହେବା ସେମାନଙ୍କୁ ଅଧିକ ଉତ୍ସାହିତ କରିଛି। ଶିଶୁପାଳଗଡ଼ ଐତିହ୍ୟକ୍ଷେତ୍ର ମାତ୍ର ୭୭୫ଡେସିମିଲ ବୋଲି ଭାବି ଏକାଧିକ ଡୋଜର୍‌ ରାମପାର୍ଟ ଖୋଳିବା କାମରେ ସେବେଠୁ ଲାଗି ଯାଇଛି।

ଏ ସମ୍ପର୍କରେ ଭୁବନେଶ୍ୱର ତହସିଲଦାର ପ୍ରଦୀପ ସାହୁ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆମେ ଶିଶୁପାଳଗଡ଼ ମାପଚୁପ କରିବାକୁ ଯାଇଥିଲୁ। କେବଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନାମରେ ରେକର୍ଡଭୁକ୍ତ ଜମି ମାପିଛୁ। ସେଥିରେ କୌଣସି ପ୍ରକାର ଜବରଦଖଲ ହୋଇ ନ ଥିବା ରିପୋର୍ଟ ଦେଇଛୁ। ଆଇନଜୀବୀ ଅରୁଣ କୁମାର ମହାପାତ୍ର କହିଛନ୍ତି, ଶିଶୁପାଳଗଡ଼ ଐତିହ୍ୟକ୍ଷେତ୍ରକୁ ବିଲୋପ କରିବାକୁ ଯୋଜନା ଚାଲିଛି। ଏଠାରେ ୨୦୦ ଏକରରୁ ଊର୍ଧ୍ବ ଜବରଦଖଲ ହୋଇଛି। ବହୁ ଘର ମଧ୍ୟ ତିଆରି ହୋଇଛି। ଐତିହ୍ୟ କ୍ଷେତ୍ର ଭାବେ ଗେଜେଟ୍‌ ନୋଟିଫିକେସନ୍‌ ଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନାମରେ ଥିବା ଜମି ସମଗ୍ର ଶିଶୁପାଳଗଡ଼ ଐତିହ୍ୟକ୍ଷେତ୍ରର ଏକ କ୍ଷୁଦ୍ର ଅଂଶ। ଏନେଇ ଭୁବନେଶ୍ବର ଓକିଲ ସଂଘ ସମ୍ପାଦକ ରାଜକିଶୋର ଦାସ କହିଛନ୍ତି, ଐତିହ୍ୟ କ୍ଷେତ୍ରକୁ ସୁରକ୍ଷା ଦେବା ଦାୟିତ୍ବ ସରକାରଙ୍କର। ତେବେ ଶୁଶୁପାଳଗଡ଼ରେ ଏଏସ୍ଆଇ ପ୍ରଥମ ପଦକ୍ଷେପ ଗ୍ରହଣ କରି ମାପ କରି ନୋଟିସ୍‌ କରିବା ଉଚିତ। ଏ ସଂପର୍କରେ ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲିକଙ୍କୁ ଯୋଗଯୋଗ କରିବାକୁ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସମ୍ବନ୍ଧିତ ଖବର