ଭୁବନେଶ୍ୱର: ମାସିକ ପତ୍ରିକା ‘ରତ୍ନଚିରା’ର ଅକ୍ଟୋବର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି। ‘ରତ୍ନଚିରା’ ଅକ୍ଟୋବର ସଂଖ୍ୟାରୁ ଧାରାବାହିକ ଭାବରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁରଙ୍କ ଆତ୍ମଚରିତ ‘ବାସ୍ତରି ବର୍ଷ’ ପ୍ରକାଶ ପାଉଥିବାରୁ ଏହା ରତ୍ନଚିରା ପାଇଁ ନିଶ୍ଚିତ ଭାବରେ ଏକ ସୌଭାଗ୍ୟର କଥା ବୋଲି ଅତିଥିମାନେ କହିଥିଲେ। ରତ୍ନଚିରା କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପତ୍ରିକାର ଉପଦେଷ୍ଟା ମନୋରଞ୍ଜନ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାସିକ ପତ୍ରିକା ‘ରତ୍ନଚିରା’ ଏବଂ ଏହାର ସମ୍ପାଦିକା ସ୍ନେହଲତା ପୃଷ୍ଟିଙ୍କର ନିଷ୍ଠା ଓ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ।
ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁରଙ୍କ ଆତ୍ମଚରିତ ଧାରାବାହିକ ଭାବରେ ପ୍ରକାଶ ପାଉଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। କବି ସ୍ୱୟଂପ୍ରଭା ରଥ ଓ କବି ଶିବଶଙ୍କର ସାହୁ ଅତିଥିଭାବରେ ଯୋଗଦେଇଥିଲେ। ସଭାରେ ଗାଳ୍ପିକା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କ ପ୍ରବନ୍ଧ ‘ଆଦି ଓ ମଧ୍ୟପର୍ବର ମହୀୟସୀ ଲେଖିକା’ ଓ ଅବସରପ୍ରାପ୍ତ ପ୍ରଶାସକ ତଥା ସାହିତ୍ୟିକ ହୁଲ୍ଲାସ ବେହେରାଙ୍କ ଉପନ୍ୟାସ ‘ଲଭ୍ ମାରାଥନ୍ଅଫ୍ ନଳ ଦମୟନ୍ତୀ’ ଅତିଥିଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ଦେବାଶିଷ ମହାପାତ୍ର ସଂଯୋଜନା କରିଥିବାବେଳେ ମନୋରଞ୍ଜନ ଷଡ଼ଙ୍ଗୀ, ପ୍ରଭାତ ନଳିନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ‘ରତ୍ନଚିରା’ର ପ୍ରକାଶକ କରୁଣାକର ପୃଷ୍ଟି ଉପସ୍ଥିତ ଥିଲେ ଏବଂ ସମ୍ପାଦିକା ସ୍ନେହଲତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।