କରୋନା ସଂକ୍ରମଣ ଭୟରେ ବିଏମ୍‌ସି ହସ୍ପିଟାଲରୁ ୩ଡାକ୍ତର ଉଭାନ

ଭୁବନେଶ୍ବର : କରୋନା ସଂକ୍ରମଣ ଭୟ ସରକାରଙ୍କୁ ଘାରିଥିବା ବେଳେ ବିଏମ୍‌ସି ହସ୍ପିଟାଲର ୩ଜଣ ଡାକ୍ତର ଆସୁ ନାହାନ୍ତି। ଛୁଟି ନନେଇ ଏହି ୩ଜଣ ଡାକ୍ତର ଏବେ ହସ୍ପିଟାଲରେ କାର୍ଯ୍ୟରୁ ନିବୃତ ରହିଛନ୍ତି। ସେମାନେ ହେଲେ ଅସ୍ତିଶଲ୍ୟ ବିଭାଗର ଦୁଇ ଜଣ ଓ ଅସ୍ତ୍ରୋପଚାର ବିଭାଗର ଜଣେ ଡାକ୍ତର। କରୋନା ଭୟରେ ସେମାନେ ହସ୍ପିଟାଲକୁ ଆସୁନଥିବା କୁହାଯାଉଛି।

ପ୍ରକାଶ ଥାଉକି, ବିଏମ୍‌ସି ହସ୍ପିଟାଲରେ ଆଇସେଲେସନ୍‌ ୱାର୍ଡ ଖୋଲାଯାଇଛି। ହେଲେ ଏହି ୱାର୍ଡ ଥାଇ ନଥିବା ପରି। ଏହି ୱାର୍ଡରେ ୪ଟି ବେଡ୍‌ ପଡ଼ିଥିଲେ ମଧ୍ୟ ହସ୍ପିଟାଲରେ ବ୍ୟାପକ ମାସ୍କ, ସାନିଟାଇଜର ନାହିଁ। ଅନ୍ୟପଟେ ବିଏମ୍‌ସି ରକ୍ତ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ରକ୍ତନାହିଁ। ରକ୍ତଭଣ୍ଡାରରେ ଆବଶ୍ୟକ ସଂଖ୍ୟକ ରକ୍ତ ମହଜୁଦ ନଥିବାରୁ ନୟାଗଡ଼ ହସ୍ପିଟାଲରୁ ଶହେ ପ୍ୟାକେଟ୍ ରକ୍ତ ସଂଗ୍ରହ କରାଯାଇଛି। ଏବେ ବିଏମ୍‌ସି ହସପିଟାଲ ରକ୍ତଭଣ୍ଡାରରେ ମୋଟ ୨୬୩ ପ୍ୟାକେଟ୍ ରକ୍ତ ମହଜୁଦ ରହିଛି। ତାହା କେବଳ ଜରୁରୀ ସେବା ପାଇଁ ରଖା ଯାଇଛି। ପ୍ରତିଦିନ ବିଏମ୍‌ସି ହସପିଟାଲକୁ ଥାଲାସେମିଆ ଏବଂ ରକ୍ତହୀନତା ଭଳି ୧୦ରୁ ୧୨ଜଣ ରୋଗୀ ରକ୍ତ ନେବାକୁ ଆସିଥାନ୍ତି। ସେମାନଙ୍କୁ ହସ୍ପିଟାଲ ତରଫରୁ ରକ୍ତନେବା ବଦଳରେ ରକ୍ତଦାତାଙ୍କୁ ସାଙ୍ଗରେ ନେଇ ଆସିବାକୁ କୁହାଯାଇଛି। ସେଥିମଧ୍ୟରୁ ଯେଉଁ ରୋଗୀ ସଂକଟାପନ୍ନ ଅବସ୍ଥାରେ ରହିଛନ୍ତି ତାଙ୍କୁ ବିନା ରକ୍ତଦାତାରେ ରକ୍ତ ଯୋଗାଇ ଦିଆଯାଉଥିବା ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡା. ଗଣେଶ ପ୍ରସାଦ ଦାଶ କହିଛନ୍ତି। ସେହିପରି ଆସୁନଥିବା ୩ଜଣ ଡାକ୍ତରଙ୍କ ସମ୍ପର୍କରେ ବିଭାଗୀୟ କତୃପକ୍ଷଙ୍କୁ ଅବଗତ କରଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡା. ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର