ଆଜି ରାଖୀ ପୂର୍ଣ୍ଣିମା: ଭାଇ ହାତରେ ଭଉଣୀ ବାନ୍ଧିବ ସେନେହ ଡୋରି

ବଜାରରୁ ଚାଇନା ରାକ୍ଷୀ ଉଭାନ୍‌, ଚାହିଦାରେ ମାଟି ଓ କାଦୁଅ ତିଆରି ରାଖୀ

ଭୁବନେଶ୍ବର: ଖଣ୍ଡେ ପତଳା ରେଶମୀ ଡୋରି ପାଲଟିବ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ। ଏହାକୁ ବାନ୍ଧି ଭଉଣୀ ମାଗିବ ରକ୍ଷାର ପ୍ରତିଶ୍ରୁତି। ରାତି ପାଇଲେ ରାଖୀ ପୂର୍ଣ୍ଣିମା। ଏଥିପାଇଁ ଆଜି ସଟ୍‌ଡାଉନ୍‌ ସତ୍ତ୍ବେ ଚଳଚଞ୍ଚଳ ଥିଲା ରାଖୀ ବଜାର। କିଏ ମନ ପସନ୍ଦର ରାଖୀ ଖଣ୍ଡେ ଭାଇ ପାଇଁ କିଣି ନେଉଥିଲା ତ’ ଆଉ କିଏ ଭଲ ବେପାର ଆଶାରେ ଗ୍ରାହକଙ୍କୁ ଚାହିଁ ରହିଥିଲା। ଚଳିତ ବର୍ଷ ରାଖୀ ଦର ବି ଆକାଶଛୁଆଁ ଥିଲା। ପ୍ରତି ରାଖୀ ପିଛା ଅଢ଼େଇରୁ ୩ ଗୁଣ ଦରଦାମ୍‌ ବୃଦ୍ଧି ଗ୍ରାହକଙ୍କୁ ତାଜୁବ୍‌ କରିଛି। ଏଥର ବଜାରରେ ଚାଇନା ରାଖୀ ନଥିବାରୁ ହାତ ତିଆରି ସ୍ବଦେଶୀ ରାଖୀର ଚାହିଦା ଦେଖିବାକୁ ମିଳିଛି। କିଛି କାରିଗର ମଧ୍ୟ ନିଜ ସୃଜନକୁ ରେଶମୀ ଡୋରରେ ଗୁନ୍ଥି ପରିବେଶ ଅନୁକୂଳ ରାଖୀ ପ୍ରସ୍ତୁତ କରି ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି।

ବଜାରରୁ ଚାଇନା ରାକ୍ଷୀ ଉଭାନ୍‌
ଦରଦାମ୍‌ ବୃଦ୍ଧିର ଏ ସମୟରେ ରାଖୀର ସର୍ବନିମ୍ନ ମୂଲ୍ୟ ହୋଇଛି ୩୦ ଟଙ୍କା। ଦୁଇଖଣ୍ଡ ରଙ୍ଗିନ ସୂତାରେ କିଛି ମାଳି ଗୁନ୍ଥା ହୋଇ ଯେଉଁ ରାଖୀ ଗତବର୍ଷ ୧୦ ଟଙ୍କାରେ ମିଳୁଥିଲା, ତାହା ଏବେ ୩୦ଟଙ୍କା ହୋଇଛି। ଏଥିସହ ଫ୍ୟାନ୍‌ସି ରାଖୀର ମୂଲ୍ୟ ୮୦ଟଙ୍କା ପାର୍‌ କରିଛି। ଏଥର ବଜାରକୁ ଚାଇନା ରାଖୀ ଆସି ନଥିବାରୁ ରାଖୀ ଦାମ୍‌ ଏହି ଭଳି ଆକାଶଛୁଆଁ ରହିଥିବା ଜଣାପଡ଼ିଛି। ଅନ୍ୟପଟେ ବେପାର ମାନ୍ଦ‌ା‌ ଯୋଗୁଁ କିଛି ବ୍ୟବସାୟୀ ମନ ଇଚ୍ଛା ଦାମ୍‌ ବଢ଼ାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ରସୁଲଗଡ଼ ଛକରେ ରାକ୍ଷୀ ପସରା ମେଲାଇଥିବା ସୁବ୍ରତ ମହାରଣା କହିଛନ୍ତି, ଗତବର୍ଷ ଲକ୍‌ଡାଉନ୍‌ ଯୋଗୁଁ ପୂର୍ବବର୍ଷର ଯାହା ଷ୍ଟକ୍‌ ଥିଲା ସେଗୁଡ଼ିକ ବିକ୍ରି କରି ବେଶ୍‌ ଦୁଇ ପଇସା ଲାଭ କରିଥିଲୁ। ଚଳିତ ବର୍ଷ କିନ୍ତୁ ଦାମ୍‌ ଅଧିକ ଥିବାରୁ ଗ୍ରାହକଙ୍କ ଦେଖାନାହିଁ। ଚଳିତ ବର୍ଷ ଚାଇନା ରାଖୀ ବଜାରକୁ ଆସିନଥିବାରୁ ଲୋକାଲ୍‌ ମାଲ୍‌ କିଣୁଛୁ। ଲୋକାଲ୍‌ ମାଲ୍‌ ଆମକୁ ବି ଅଧିକ ଟଙ୍କା ପଡ଼ୁଛି। ଏଣୁ ଆମ ପରିବହନ ଖର୍ଚ୍ଚ ଓ ଲାଭକୁ ମିଶାଇ ବିକ୍ରି କଲା ବେଳକୁ ରାଖୀ ‌ଦାମ୍‌ ଆହୁରି ବଢ଼ିଯାଉଛି।

ଚାହିଦାରେ ମାଟି ଓ କାଦୁଅ ତିଆରି ରାଖୀ
ସବାଇ ଘାସଠାରୁ ଆରମ୍ଭ କରି ଗହମ, ସାଗୁ ଓ ଚାଉଳରେ ପ୍ରସ୍ତୁତ ରାକ୍ଷୀ ଏବେ ରାଜଧାନୀ ବଜାରରେ ଏକତ୍ରିତ ହୋଇଛନ୍ତି। ଖୋର୍ଧା, ଯାଜପୁର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ମୟୂରଭଞ୍ଜରୁ ବିଭିନ୍ନ ପରିବେଶ ଅନୁକୂଳ ରାଖୀ ପ୍ରସ୍ତୁତ ହୋଇ ରାଜଧାନୀକୁ ଆସିଛି। ଏଠାରେ ସ୍ବତନ୍ତ୍ର ଆଦର ବି ପାଇଛି। ମୟୂରଭଞ୍ଜରୁ ସବାଇ ଘାସରେ ପ୍ରସ୍ତୁତ ରାଖୀ ଆସିଥିବା ବେଳେ ଯାଜପୁର କାଗଜ ରାଖୀ, ପୁରୀରୁ ପଟ୍ଟଚିତ୍ର ରାଖୀ, ଜଗତସିଂପୁରରୁ ବାଉଁଶ ଟେରାକୋଟା ଓ ଷଢ଼େଇ ପ୍ରସ୍ତୁତ ରାଖୀ ସହ ଖୋର୍ଧା‌ ଜିଲ୍ଲା ବାଲିପାଟଣା‌ରୁ ଧାନ, ଚାଉଳ, ଗହମ ଓ ସାଗୁରୁ ପ୍ରସ୍ତୁତ ହୋଇଛି ପରିବେଶ ଅନୁକୂଳ ରାଖୀ। ଏସବୁ ପ୍ରସ୍ତୁତ କରୁଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ‘ତ୍ରିଶକ୍ତି ମହିଳା ପରିଷଦ’। କଟକ ଓ ଭୁବନେଶ୍ବରରୁ ମାଟ‌ି ଓ କାଦୁଅରେ ପ୍ରସ୍ତୁତ ରାଖୀର ସବୁଠାରୁ ଅଧିକ ବିକ୍ରି ହୋଇଥିବା କଥା କହିଛନ୍ତି ତ୍ରିଶକ୍ତି ମହିଳା ପରିଷଦର ସଭାନେତ୍ରୀ ସଂଯୁକ୍ତା ଭୂତିଆ। ତାଙ୍କ କହିବା କଥା, ବର୍ତ୍ତମାନ ସମୟରେ ପ୍ରାକୃତିକ ବସ୍ତୁର ବ୍ୟବହାର କରି ପୁଣି ନିଜ ଜୀବନକୁ ଚଳଚଞ୍ଚଳ କରିବାର ସମୟ ଆସିଛି। ପ୍ରତି ରାଖୀ ପାଇଁ ୫ରୁ ୧୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୦ରୁ ୨୦ ଟଙ୍କାରେ ବିକ୍ରି ହେଉଛି।

 

ସମ୍ବନ୍ଧିତ ଖବର