ରାଜଧାନୀରେ ଯୁଗ୍ମ-ଅଯୁଗ୍ମ ନିୟମକୁ ବେଖାତିର

ଭୁବନେଶ୍ବର : କରୋନା ମୁକାବିଲା ଲାଗି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆଜିଠୁ ରାଜଧାନୀରେ ଯୁଗ୍ମ-ଅଯୁଗ୍ମ ନମ୍ବର ଗାଡ଼ି ଚାଲିବ ବୋଲି ବିଏମସି ପକ୍ଷରୁ କୁହା ଯାଇଥିଲା। ଏହାକୁ ଘରୋଇ ବସ୍, ଟ୍ୟାକ୍ସି, ଅଟୋ କଡ଼ାକଡ଼ି ପାଳନ କରିବାକୁ ଉଲ୍ଲେଖ ଥିଲା। କିନ୍ତୁ ଏହି ନିୟମ ଅଧିକାଂଶ ପାଳନ କରି ନ ଥିବା ଦେଖିବାକୁ ମିଳି ଥିଲା। ବିଶେଷକରି ଅଟୋ ଓ ଟ୍ୟାକ୍ସି ଏହାର ଉଲ୍ଲଂଘନ କରିଥିଲେ। ଆଜି ୨୧ତାରିଖ ହୋଇଥିବାରୁ ଅଯୁଗ୍ମ ନମ୍ବର ବିଶିଷ୍ଟ ଯାତ୍ରୀବାହୀ ଗାଡ଼ି ଚାଲିବ ବୋଲି କୁହାଯାଇଥିଲା। କିନ୍ତୁ ଯୁଗ୍ମ ରେଜିଷ୍ଟ୍ରେସନ ନମ୍ବର ଥିବା ଗାଡ଼ି ବି ରାସ୍ତାରେ ଗଡ଼ିଥିଲା। କିନ୍ତୁ ବିଏମ୍‌ସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।

ଅଧା ସଟର୍‌ ଖୋଲି ଚାଲିଲା ବେପାର
ଭୁବନେଶ୍ବର : କଟକଣା ସତ୍ତ୍ବେ ବି ଅଧା ସଟର ଖୋଲି କେତେକ ସୋ’ରୁମ୍‌ରେ ବେପାର ଚାଲିଥିଲା। ରାଜଧାନୀର ବାପୁଜୀନଗର, ଜନପଥ, ସହିଦନଗର, ମାର୍କେଟ୍‌ ବିଲ୍ଡିଂ, ଖାରବେଳନଗର, ଚନ୍ଦ୍ରଶେଖରପୁର, ପଟିଆ, ଭିଏସ୍ଏସ୍ ନଗର ଆଦି କେତେକ ଅଞ୍ଚଳର ଅଧା ସଟର୍‌ ଖୋଲାଯାଇ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଥିଲା। ବାପୁଜୀନଗରରେ ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ୟୁନିଫର୍ମରେ ଥିବା ଜଣେ ସବ୍ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ବେପାର ଚାଲିଥିଲା। ଖୋର୍ଦ୍ଧାର ଜଣେ ବ୍ୟକ୍ତିଙ୍କର ଏହି ସାମଗ୍ରୀ ଗାଡ଼ିରେ ଲୋଡ୍ ହୋଇ ଯାଇଥିଲା। ଆଲମିରା, ଫ୍ରିଜ୍, ଵାସିଂ ମେସିନ୍, ଏସି, ଷ୍ଟାଣ୍ଡ ଫ୍ୟାନ୍ ଗାଡ଼ିରେ ଲୋଡ୍ ହୋଇ ଯାଇଥିଲା। ଗାଡ଼ିରେ ମାଲ୍ ଲୋଡ୍ ହୋଇଯିବା ପରେ ସବ୍ ଇନ୍ସପେକ୍ଟରଜଣଙ୍କ ସେଠାରୁ ପଳାଇଥିଲେ। ସେହିପରି ଭିଏସ୍ଏସ୍ ନଗରରେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଦୋକାନରେ ଚାଲିଥିଲା ଖୁଲମଖୁଲା ବେପାର। ଖାରବେଳନଗର ଅଞ୍ଚଳରେ ଏକ ଇଲେକ୍ଟ୍ରୋନିକ୍ସ ଦୋକାନ ଖୋଲାଯାଇ ବେପାର ଚାଲୁଥିବା ବେଳେ ଖବର ପାଇ ପୁଲିସ ପହଞ୍ଚିଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ଦୋକାନକୁ ବନ୍ଦ କରିଥିଲା ପୁଲିସ। ଦୋକାନ ଖୋଲି ବେପାର ଚାଲୁଥିବା ଖବର ପାଇବା ପରେ ବିଭିନ୍ନ ଥାନା ପୁଲିସ ପାଟ୍ରୋଲିଂ କରିଥିଲା।

ସମ୍ବନ୍ଧିତ ଖବର