ଭୁବନେଶ୍ବର: ଓଡ଼ିଶାରେ ଅଣ ଓଡ଼ିଆ ମୂର୍ତ୍ତି କାରିଗର ପ୍ରଭୁତ୍ବ ବିସ୍ତାର କରି ଚାଲିଛନ୍ତି। ପୂଜାର ଆଲୋକସଜ୍ଜା, ଟେଣ୍ଟ୍ କାମ ଆଦିରେ ମଧ୍ୟ ସେମାନଙ୍କ ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଓଡ଼ିଆ କାରିଗରିମାନେ ପ୍ରତିବର୍ଷ ପାର୍ବଣ ଋତୁରେ ଉପେକ୍ଷିତ ହେଉଛନ୍ତି। ତେଣୁ ‘ଓଡ଼ିଆ ମୂର୍ତ୍ତି କାରିଗର ଅନ୍ବେଷଣ ଅଭିଯାନ’ଉତ୍ସବରେ ଏହାକୁ ଘୋର ବିରୋଧ କରାଯିବା ସହ ଏଥିପ୍ରତି ଓଡ଼ିଆମାନେ ସଚେତନ ହେବାକୁ ଆହ୍ବାନ ଦିଆଯାଇଛି।
ଟାଇମ୍ସ ସ୍କଲାର୍ସ ଗୁରୁକୁଳ ଗୋଠପାଟଣା, ଟିଏସିଜି ବାଳକାଟୀ ଓ ସାଇ ସବୁରି ନର୍ସିଂ ଆଣ୍ଡ ହେଲ୍ଥ ସାଇନ୍ସ ଶିକ୍ଷାନୁଷ୍ଠାନ ମିଳିତ ଭାବେ ଗଣେଶ ପୂଜା ଅବସରରେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଅନୁଷ୍ଠାନର ଗୋଠପାଟଣା କ୍ୟାମ୍ପସ ପରିସରରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଏସଜି ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ସାରଦା ମିଶ୍ର, ପ୍ରଶାସନିକ ମୁଖ୍ୟ ରଞ୍ଜିତା ମହାପାତ୍ର ଓ ପ୍ରିନ୍ସିପାଲ ବିକାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦୁଇ ଜଣ ଓଡ଼ିଆ ମୂର୍ତ୍ତି କାରିଗର ଶଙ୍କର ମହାରଣା ଓ ବିନୋଦ ରାଉତଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ଭାଇସ୍ ପ୍ରିନ୍ସିପାଲ ଗୋବର୍ଦ୍ଧନ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।