ଓଡ଼ିଆ ପୁସ୍ତକର ଡିଜିଟାଇଜେସନ ଓ ନୂତନ ୟୁନିକୋଡ୍‌ ଫଣ୍ଟ୍‌ ବିକାଶ କର୍ମଶାଳା

ଜୁନ୍‌ ସୁଦ୍ଧା ୩ ହଜାର ପୁସ୍ତକର ଡିଜିଟାଇଜେସନ୍‌

ଭୁବନେଶ୍ବର: ଓଡ଼ିଆ ଭର୍ଚୁଆଲ ଏକାଡେମି ଦ୍ବାରା ଏବେ ସୁଦ୍ଧା ୭୦୦ ବହିର ଡିଜିଟାଇଜେସନ୍‌ ହୋଇଛି। ଫେବ୍ରୁଆରି ମାସ ମଧ୍ୟରେ ଏକ ହଜାର ବହିର ଡିଜିଟାଇଜେସନ୍‌ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ହାତରେ ଉନ୍ମୋଚନ କରାଯିବ। ଏଥିସହ ଜୁନ୍‌ ଶେଷ ସୁଦ୍ଧା ୩ ହଜାର ଓଡ଼ିଆ ପୁସ୍ତକର ଡିଜିଟାଇଜେସନ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଅନୁମତି ମିଳିଛି। ଏଜେନ୍ସି ଚୟନ ଶେଷ ହୋଇଛି ବୋଲି ଓଡ଼ିଆ ଭର୍ଚୁଆଲ ଏକାଡେମିର ସମ୍ପାଦକ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି। ଓଡ଼ିଆ ପୁସ୍ତକର ଡିଜିଟାଇଜେସନ୍ ଓ ନୂତନ ୟୁନିକୋଡ୍‌ ଫଣ୍ଟ୍‌ ବିକାଶ ସମ୍ବନ୍ଧୀୟ କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ‌ସେ ଏହା କହିଛନ୍ତି। ସାଣ୍ଡିସ୍‌ ଟାୱାରରେ ଅନୁଷ୍ଠିତ ଏହି କର୍ମଶାଳାରେ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ଯେ ନିଜ କଣ୍ଠରେ ପଠିତ ଗଳ୍ପ, ଉପନ୍ୟାସ, କବିତାର ଡିଜିଟାଇଜେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ସାକ୍ଷାତକାର, କବିତା, ଗଳ୍ପର ରେକର୍ଡିଂ ସରିଛି। କାବ୍ୟ, କବିତା ଅପେକ୍ଷା ଗଳ୍ପ ଓ ଉପନ୍ୟାସ ପ୍ରତି ପାଠକମାନଙ୍କ ଅଧିକ ଆଗ୍ରହ ରହିଛି। ତେଣୁ ପର୍ଯ୍ୟାୟକ୍ରମେ କବି, ଲେଖକଙ୍କ ସହଯୋଗ ଲୋଡ଼ାଯାଉଛି। ନର୍ସରି ଗୀତ, ଶିଶୁ ସଙ୍ଗୀତ, କାର୍ଟୁନ୍‌ ଫିଲ୍ମକୁ କିଭଳି ସାମିଲ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ଏସମ୍ପର୍କିତ କର୍ମଶାଳା ହେବ। ଫେବ୍ରୁଆରି ମାସରେ କଟକରେ କର୍ମଶାଳା ହେବ। ଏଥିରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୁଦ୍ଧିଜୀବୀଙ୍କୁ ସାମିଲ କରାଯିବ। କର୍ମଶାଳାକୁ ଉଦ୍‌ଘାଟନ କରି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା କହିଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏକାଡେମିର ଶୁଭାରମ୍ଭ ବେଳେ ଡିଜିଟାଇଜେସନ୍‌ ବହି ସଂଖ୍ୟା ମାତ୍ର ୧୭୦ ରହିଥିଲା। ଏବେ ୩୦୦ ଟପିଛି। ବୈଷୟିକ ଜ୍ଞାନକୌଶଳର ବିକାଶ ହେଉଥିବାରୁ ଆଗାମୀ ଦିନରେ ଏହାକୁ ଆହୁରି ସୁଦୃଢ଼ କରାଯିବ। ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବା‌ ପାଇଁ ଟେକ୍ନୋଲୋଜି ହେଉଛି ଏକମାତ୍ର ମାଧ୍ୟମ ବୋଲି ସେ କହିଥିଲେ।

ଏକାଡେମିର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ୍‌ କହିଲେ ବ୍ରିଟିସ୍‌ ଲାଇବ୍ରେରି ଦ୍ବାରା ପ୍ରକାଶିତ ଏକ ପୁସ୍ତକରେ ଦେଖିବାକୁ ମିଳିଛି ଯେ ୧୫୫୬ରୁ ୧୮୦୦ ମସିହା ମଧ୍ୟରେ ଇଂରାଜୀ ଭାଷା‌ରେ ୧୦୮୯ ବହି ପ୍ରକାଶ ପାଇଥିଲା। ଏହି ସମୟରେ ‌ଭାରତୀୟ ଭାଷାରେ ୬୭୨ ପୁସ୍ତକ ଛପାଯାଇଥିଲା। ସେଥିରେ ତାମିଲରେ ୨୬୬ଟି ପୁସ୍ତକ ଥିବା ବେଳେ ବଙ୍ଗଳାରେ ୮୪, କୋଙ୍କଣି, ଗୁଜୁରାଟି, ମାଲାୟାଲମ୍‌, ମରାଠି, ସଂସ୍କୃତ ଆଦି ଭାଷାରେ ମଧ୍ୟ ପୁସ୍ତକ ପ୍ରକାଶ ପାଇଥିଲା। ଓଡ଼ିଆ ଭାଷାରେ ଗୋଟିଏ ବି ପୁସ୍ତକ ପ୍ରକାଶ ପାଇ ନଥିଲା। ୧୯୦୧-୫୩ ମସିହା ମଧ୍ୟରେ ୨୨୭୧ଟି ଓଡ଼ିଆ ପୁସ୍ତକ ପ୍ରକାଶ ହୋଇଛି। ବର୍ତମାନ ସମୟରେ ଲାଇବ୍ରେରିକୁ ଯାଇ ବହି ପଢ଼ିବା ପାଇଁ ଲୋକଙ୍କ ପାଖରେ ସମୟ ନାହିଁ। ତେଣୁ ଆଗାମୀ ପିଢ଼ିଙ୍କ ପାଖରେ ପହଞ୍ଚିବାକୁ ପ୍ରାଥମିକତା ଦେବାକୁ ହେବ। ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ସି ଜେ ବେଣୁଗୋପାଳ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତପ୍ରକାଶ କରିଥିଲେ।

କର୍ମଶାଳାର ପ୍ରଥମ ଅଧିବେଶନରେ ସାହିତ୍ୟିକ ହର ପ୍ରସାଦ ଦାସ ଯୋଗଦେଇ କହିଲେ, ସାରଳା ମହାଭାରତ ପରି ପ୍ରାଚୀନ କୃତି ଆମ ପାଖରେ ରହିଛି। ତାହାର ବିଶ୍ବସ୍ତରୀୟ ଅନୁବାଦ କରାଯାଇ ଅନ୍ତର୍ଜାତୀୟ ପ୍ରକାଶକଙ୍କ ଦ୍ବାରା ପ୍ରକାଶ କରିବା ଦିଗରେ ସରକାର ଧ୍ୟାନ ଦେବା ଆବଶ୍ୟକ। ତେବେ ଡିଜିଟାଇଜେସନ୍‌ ପ୍ରକ୍ରିୟାରେ ଓଡ଼ିଆ ଲିପି କିମ୍ବା ସାହିତ୍ୟର କଳାତ୍ମକ ଦିଗ ଯେପରି କ୍ଷୁର୍ଣ୍ଣ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ। ସାହିତ୍ୟିକ ସାତକଡ଼ି ହୋତା ଯୋଗଦେଇ ଓଡ଼ିଆ ଭାଷାର ଗ୍ରହଣଶୀଳତା ବଢ଼ିବା ଦରକାର ବୋଲି ମତପ୍ରକାଶ କରିଥିଲେ। ଭାଷାବିତ୍‌ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ, ଓଡ଼ିଶାରେ ସାହିତ୍ୟକୁ ‌ଯେଉଁଭଳି ଗୁରୁତ୍ବ ଦିଆଯାଉଛି ଭାଷା କ୍ଷେତ୍ରରେ ଗବେଷଣାକୁ ମଧ୍ୟ ଅନୁରୂପ ଗୁରୁତ୍ବ ଦିଆଯିବା ଆବଶ୍ୟକ। କଥାକାର ଗୌରହରି ଦାସ କହିଲେ, ପ୍ରଚୀନ ସାହିତ୍ୟର ଡିଜିଟାଇଜେସନ୍‌ ସହ ସେଥିରେ ବ୍ୟବହୃତ ଶବ୍ଦାବଳୀର ଅର୍ଥ ସମ୍ବଳିତ ଶବ୍ଦକୋଷ ମଧ୍ୟ ପ୍ରକାଶ ହେବା ଦରକାର। ଫକିର ମୋହନ ସେନାପତିଙ୍କ ସାହିତ୍ୟରେ ବ୍ୟବହୃତ କିଛି ଶବ୍ଦର ଉଲ୍ଲେଖ କରି ଶ୍ରୀ ଦାସ କହିଲେ ଏହି ସାହିତ୍ୟର ଅର୍ଥ ସାମ୍ପ୍ରତିକ ସମୟର ପାଠକ ବୁଝିବା କଷ୍ଟକର ହୋଇପଡ଼ୁଛି। ଓଡ଼ିଆ ସାହିତ୍ୟର ଡିଜିଟାଇଜେସନ ସମୟରେ କବି ଓ ଲେଖକ ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି ସେଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଦ୍ବିତୀୟ ଅଧିବେଶନରେ ବୈଷୟିକ ତଥ୍ୟ ପ୍ରଦାନ କରାଯାଇଥିଲା। ଏଥିରେ ପେରୁମଲ୍ଲ ରାଜା, ପରେଶ ଚୌଧୁରୀ, ତୁଷାର ପଟ୍ଟନାୟକ ଓ ତନ୍ମୟ ମହାନ୍ତି ଯୋଗଦେଇ ନୂତନ ୟୁନିକୋଡ୍‌ ଫଣ୍ଟ୍‌ ବିଷୟରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର