ଭୁବନେଶ୍ବର: ସରିଛି କପି ପେଷ୍ଟ୍‌ ସିନେମାର ଯୁଗ। ମୌଳିକ ଓଡ଼ିଆ କାହାଣୀକୁ ନେଇ ନିର୍ମାଣ ହେଉଛି ଚଳଚ୍ଚିତ୍ର। ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ଠାରୁ ଆରମ୍ଭ ହୋଇଥିବା ଏହି ଧାରାକୁ ଆଗକୁ ନେଇଛି ‘କର୍ମ’, ‘ପାବାର’ ଓ ‘ପରବ’ ଭଳି ଭଲ କାହାଣୀର ଓଡ଼ିଆ ଚଳଚ୍ଚିତ୍ର। ଏହି ଧାରା ୨୦୨୫ ନୂଆବର୍ଷରେ ଜାରି ରଖିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି। କରୋନା ପରେ କିଛି ଯୁବ ପ୍ରତିଭାଙ୍କ ନିରନ୍ତର ଉଦ୍ୟମରେ ପୁଣି ଟ୍ରାକ୍‌କୁ ଫେରିଥିଲା ଓଡ଼ିଆ ସିନେମା। ଦର୍ଶକ ପୁଣି ଥରେ ସିନେମା ହଲ୍‌ରେ ଓଡ଼ିଆ ଫିଲ୍ମ ଦେଖି ପ୍ରଶଂସା କଲେ। ୨୦୨୨ରେ ସତ ଘଟଣାକୁ ନେଇ ନିର୍ମିତ ହୋଇଥିଲା ‘ଦମନ’। ସୁପରଷ୍ଟାର ବାବୁସାନ୍‌ଙ୍କ ଅଭିନୀତ ଏହି ଫିଲ୍ମ ୨୦୨୨ ବର୍ଷର ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇଛି। ଏହାପରେ ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ଓଡ଼ିଆ ଘରର ନିଚ୍ଛକ କଥାକୁ ଖୁବ୍‌ ପସନ୍ଦ କରିଥିଲେ ଦର୍ଶକ। ଏ ଫିଲ୍ମ କେବଳ ଯୁବପିଢ଼ି ନୁହେଁ ବୟସ୍କଙ୍କୁ ମଧ୍ୟ ହଲ୍‌କୁ ଟାଣିଥିଲା। ଗତ ଦୁର୍ଗାପୂଜାରେ ଅମୀୟ ପଟ୍ଟନାୟକ ପ୍ରଡକସନ୍ ବ୍ୟାନର୍‌ରେ ନିର୍ମିତ ‘କର୍ମ’ ଓଡ଼ିଆ ସିନେମାର ସବୁ ରେକର୍ଡକୁ କାଟି ପ୍ରାୟ ୮ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଓଡ଼ିଶା ସମେତ ଦେଶର ଅନେକ ସହରରେ ଏବେ ବି ସଫଳତାର ସହ ଚାଲିଛି। ବର୍ଷ ଶେଷରେ ସୀମାନ୍ତରେ ଓଡ଼ିଆଙ୍କ ଯନ୍ତ୍ରଣାକୁ ନେଇ ନିର୍ମିତ ‘ପରବ’ର କାହାଣୀକୁ ବେଶ୍‌ ପସନ୍ଦ କରିଛନ୍ତି ଦର୍ଶକ।

Advertisment

ଆସୁଛି ମୌଳିକ ଓଡ଼ିଆ କାହାଣୀ
ଜାନୁଆରିରେ ରିଲିଜ୍‌ ହେବ ୩ ଫିଲ୍ମ
ସଂଶୋଧନ ହେବ ଚଳଚ୍ଚିତ୍ର ନୀତି

୨୦୨୫ରେ ମଧ୍ୟ ଓଲିଉଡ୍‌ରେ କିଛି ଭଲ କାହାଣୀ ସହ ଆଧୁନିକ ଜ୍ଞାନକୌଶଳକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏହି ଧାରାରେ ଚଳିତ ଜାନୁଆରିରେ ୩ଟି ଓଡ଼ିଆ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ପ୍ରଥମେ ୩ ତାରିଖରେ ବଡ଼ ପରଦାରେ ରିଲିଜ୍‌ ହେବ ବର୍ଷା ପ୍ରିୟଦର୍ଶିନୀଙ୍କ ‘ୱାଇଫ୍‌’। ଜଣେ ନାରୀର ଅକୁହା କଥାକୁ ନେଇ ଏହି ପାରିବାରିକ କାହାଣୀ ଲେଖାହୋଇଛି। ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକକଳା ନୃତ୍ୟ ବାଘ ନାଚକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ‘ରଙ୍ଗଶୁର’। ଯାହା ଜାନୁଆରି ୧୨ରେ ମୁକ୍ତିଲାଭ କରିବ। ସେହିପରି ଧମାକାଦାର ଆକ୍ସନ ସହିତ ରୋଚକ ଓଡ଼ିଆ କାହାଣୀ ଥିବା ଫିଲ୍ମ ‘ଘମାଘୋଟ’ ଜାନୁଆରି ଶେଷ ସପ୍ତାହରେ ରିଲିଜ୍‌ ହେବ।

୨୦୨୪ରେ ରେକର୍ଡ କରିଥିବା ‘କର୍ମ’ ଟିମ୍‌ ୨୦୨୫ ଦୁର୍ଗାପୂଜାରେ ନେଇ ଆସୁଛନ୍ତି କ୍ରାଇମ୍‌ ଥ୍ରିଲର୍‌ ‘ରାବଣ’। ‌ଏଥିରେ ମଧ୍ୟ ସୁପରଷ୍ଟାର ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ନଜର ଆସିବେ। ଅନୁପମ ପଟ୍ଟନାୟକଙ୍କ ନି‌ର୍ଦ୍ଦେଶିତ ହରର୍‌ ଫିଲ୍ମ ‘ଡାହାନ୍‌’ ଏବଂ ବହୁ ଚର୍ଚ୍ଚିତ ୱେବ୍‌ ସିରିଜ୍‌ ‘ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ ସିଜନ୍‌-୨’ ମାର୍ଚ୍ଚ ମାସରେ ଆସିବ। ଏଥର ସୁପରଷ୍ଟାର ବାବୁସାନ୍‌ ମହାନ୍ତି ନିଜ ବ୍ୟାନର୍‌ରେ ଏକ ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ଫିଲ୍ମ କରିବାକୁ ଯାଉଛନ୍ତି। ଯାହା ରଜରେ ରିଲିଜ୍‌ ହେବ। ଜାନୁଆରି ଦ୍ବିତୀୟ ସପ୍ତାହରେ ଏହାର ଟାଇଟଲ୍‌ ଘୋଷଣା ହେବ। ଏମିତି ଆଗକୁ ଭଲ କାହାଣୀକୁ ନେଇ ଫିଲ୍ମ ନିର୍ମାଣ ପାଇଁ ଅନେକ ପ୍ରଯୋଜକ, ନିର୍ଦ୍ଦେଶକ ଲାଗିଛନ୍ତି। ପୂର୍ବ ସରକାର ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ଆଣିଥିଲେ। ହେଲେ ଏହି ନୀତି ଓଡ଼ିଆ ସିନେମା ଶିଳ୍ପର ବିକାଶ ପାଇଁ ସେତେଟା ପ୍ରଭାବୀ ହେଲାନାହିଁ। ତେଣୁ ନୂଆ ଚଳଚ୍ଚିତ୍ର ନୀତି ଲାଗୁ କରିବା ପାଇଁ ଅନେକ ସମୟରେ ଦାବି ହେଉଥିଲା। ଆଉ ନୂଆ ସରକାର ଆସିବା ପରେ ଏନେଇ ବିଚାର ବିମର୍ଶ ଚାଲିଛି। ଖୁବ୍‌ଶୀଘ୍ର ନୂଆ ନୀତି ଆସିବ ବୋଲି ସୂଚନା ମିଳିଛି। ୨୦୨୪ରେ ବେଗ ବଢ଼ାଉଥିବା ଓଡ଼ିଆ ଫିଲ୍ମ ଇଞ୍ଜିନ୍‌ ୨୦୨୫ ମସିହାରେ ବୁଲେଟ୍‌ ଟ୍ରେନ୍‌ ପରି ଦୌଡ଼ିବ ବୋଲି ଓଡ଼ିଆ ଦର୍ଶକ ଆଶା ବାନ୍ଧିଛନ୍ତି।