ଭୁବନେଶ୍ବର: ଚକଲେଟ୍ ପ୍ରଡକସନ୍ସର ନୂଆ ନାଟକ ‘ଓଡ଼ିଆ ଦାସ’ ମଞ୍ଚକୁ ଆସିବା ଲାଗି ସଜବାଜ ହେଉଛି। ଆସନ୍ତା ୨୧ ଓ ୨୨ ତାରିଖରେ ମଞ୍ଚସ୍ଥ ହେବାକୁ ଯାଉଥିବା ଏହି ନାଟକର ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ଦ୍ଦେଶକ ଓ କଳାକାରମାନେ ନାଟକକୁ ନିଖୁଣ ଭାବେ ପରିବେଷଣ କରିବା ଲାଗି ରିହର୍ସାଲରେ ପୂର୍ଣ୍ଣମାତ୍ରାରେ ଲାଗି ପଡ଼ିଛନ୍ତି। ଅନ୍ୟ ପକ୍ଷରେ ନାଟକ ଦେଖିବା ଲାଗି ମଧ୍ୟ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ‘ବୁକ୍ ମାଇଁ ସୋ’ ଜରିଆରେ ବହୁ ଦର୍ଶକ ଅନ୍‌ଲାଇନ୍‌ରେ ଅଗ୍ରିମ ଟିକେଟ୍ ବୁକିଂ କରି ସାରିଥିବା ବେଳେ ଅନେକ ଅଫ୍‌ଲାଇନ୍ ମାଧ୍ୟମରେ ଟିକେଟ୍ କ୍ରୟ କରୁଛନ୍ତି।

Advertisment

‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଚକଲେଟ୍ ପ୍ରଡକସନ୍ସର ଏହି ଅଭିନବ ପ୍ରୟାସ ସଂପର୍କରେ କହିଛନ୍ତି, ‘‘ଆମର ପ୍ରଥମ ନାଟକ ‘ଆହେ ନୀଳଶଇଳ’କୁ ଦର୍ଶକ ବହୁତ ଭଲପାଇବା ଦେଇଛନ୍ତି। ଏଥର ମଧ୍ୟ ‘ଓଡ଼ିଆ ଦାସ’ ଲାଗି ସେଭଳି ସମର୍ଥନ ମିଳିବ ବୋଲି ଆଶା କରୁଛୁ। ଭବିଷ୍ୟତରେ ହୁଏତ ଏଭଳି ସମୟ ଆସିପାରେ ଯେତେବେଳେ ନିଜ ମାତୃଭାଷାକୁ ବଞ୍ଚାଇ ରଖିବାକୁ ସଂଘର୍ଷ କରିବାକୁ ପଡ଼ିପାରେ। ଏଭଳି ଏକ ଚିନ୍ତାଧାରାକୁ ନେଇ ପ୍ରସ୍ତୁତ ହୋଇଛି ‘ଓଡ଼ିଆ ଦାସ’। ପ୍ରାୟ ଦୁଇ ଶତାବ୍ଦୀ ପରେ ଓଡ଼ିଆ କହୁଥିବା ଅନ୍ତିମ ବ୍ୟକ୍ତିଟି କିଭଳି ନିଜ ଭାଷାକୁ ବିଲୁପ୍ତି ଦ୍ବାରଦେଶରୁ ଫେରାଇ ଆଣିବାକୁ ସଂଗ୍ରାମ କରୁଛି, ତାହାର ପରିକଳ୍ପିତ ରୂପ ପ୍ରଦର୍ଶିତ ହୋଇଛି ଏ ନାଟକରେ।’’ ଓଡ଼ିଆ ନାଟକ, ଓଡ଼ିଆ ଭାଷା ଓ ଓଡ଼ିଆ ସଂସ୍କୃତିକୁ ସମର୍ଥନ କରିବାକୁ ସମସ୍ତେ ଆଗେଇ ଆସନ୍ତୁ। ଟିକେଟ୍ କିଣି ପରିବାର ସହ ଏ ନାଟକ ଦେଖିବାକୁ ଆସନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ଆହ୍ବାନ ଜଣାଇଛନ୍ତି।

ଡିସେମ୍ବର ୨୧ ଓ ୨୨ ତାରିଖ, ଦୁଇଦିନ ଧରି ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ଚକଲେଟ୍ ପ୍ରଡକସନ୍ସ ପ୍ରଯୋଜିତ ‘ଓଡ଼ିଆ ଦାସ’। ଦର୍ଶକଙ୍କ ସୁବିଧା ନିମନ୍ତେ ପ୍ରତି ସନ୍ଧ୍ୟାରେ ନାଟକ ଦୁଇଥର ମଞ୍ଚସ୍ଥ ହେବ। ପ୍ରଥମ ସୋ’ ସନ୍ଧ୍ୟା ୬ଟାରେ ଏବଂ ଦ୍ୱିତୀୟ ସୋ’ ରାତି ୮ଟାରେ ପ୍ରଦର୍ଶିତ ହେବ ବୋଲି ପ୍ରଯୋଜନା ସଂସ୍ଥା ସୂତ୍ରରୁ ପ୍ରକାଶ। ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ପରିକଳ୍ପିତ ଭବିଷ୍ୟ ଆଧାରିତ ଏକ କାହାଣୀ ଉପରେ ନାଟକ ପର୍ଯ୍ୟବସିତ ହୋଇଥିବା ବେଳେ ଏଥିରେ ରହିଛି ଏକ ଶକ୍ତିଶାଳୀ ସାମାଜିକ ବାର୍ତ୍ତା। ନାଟକର ନିର୍ଦ୍ଦେଶନା ଦାୟିତ୍ବ ଅଭିଜ୍ଞ ନିର୍ଦ୍ଦେଶକ ଦର୍ପ ନାରାୟଣ ସେଠୀଙ୍କ କାନ୍ଧରେ ଥିବା ବେଳେ ରବି ନାରାୟଣ ତ୍ରିପାଠୀ, ମମତା ତ୍ରିପାଠୀ, କୈଳାସ ପାଣିଗ୍ରାହୀ, ବୁଲୁ ପଣ୍ଡା, ମନୋଜ ମହାପାତ୍ର, ବିଶ୍ୱରଂଜନ ମହାପାତ୍ର, ରାଜଲକ୍ଷ୍ମୀ ଦାସ, ସହସ୍ରାକ୍ଷ ରଥ, ରାଜେଶ ମହାନ୍ତି ଓ ସୁନୀଲ କୁମାର ପଟ୍ଟନାୟକଙ୍କ ଭଳି ପ୍ରବୀଣ ଓ ନବୀନ କଳାକାର ‘ଓଡ଼ିଆ ଦାସ’ର ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ନାଟକରେ ପାର୍ଶ୍ବସଂଗୀତ ମିଳିତ ଭାବରେ ସୌମିତ୍ରୀ, ଶ୍ରୀକାନ୍ତ ଓ ଆଶିଷ ପ୍ରସ୍ତୁତ କରିଥିବା ବେଳେ ପରିଚାଳନା କରିଛନ୍ତି ଆଶିଷ। ‘ଓଡ଼ିଆ ଦାସ’ର ଅଗ୍ରିମ ଟିକେଟ୍ ଅନଲାଇନ୍‌ରେ ଉପଲବ୍ଧ ହେଉଛି। ଆଗ୍ରହୀ ଦର୍ଶକ ‘ବୁକ୍ ମାଇଁ ସୋ’ ୱେବସାଇଟ୍‌ରୁ ଟିକେଟ୍ ସଂଗ୍ରହ କରିପାରିବେ। ଏଥିସହ ନାଟକର ଟିକେଟ୍ କ୍ରୟ ଲାଗି ୮୯୦୮୦୨୦୧୦୪/୯୮୫୩୦୩୫୧୦୪ ନମ୍ବରକୁ ମଧ୍ୟ ଯୋଗଯୋଗ କରାଯାଇପାରିବ ବୋଲି ଚକଲେଟ୍ ପ୍ରଡକସନ୍ସ ପକ୍ଷରୁ ସୂଚନା ଦିଆଯାଇଛି।