ଭୁବନେଶ୍ବର: ‘ଆର୍‌ଜେଡି ଆର୍ଟସ୍’ ନିବେଦିତ ଓଡ଼ିଆ ସିନେମା ‘ବାଜିବ ଲୋ ସାହାନାଇ’ ଆଜି ମୁକ୍ତିଲାଭ କରିଛି। ଭୁବନେଶ୍ବରସ୍ଥିତ ସିନେପଲିସ୍‌ ସମେତ ରାଜ୍ୟର ୨୫ଟି ପ୍ରେକ୍ଷାଳୟ‌ରେ ଏହା ପ୍ରଦର୍ଶିତ ହୋଇଛି। ଏଥିରେ ଅମ୍ଳାନ୍, ଝିଲିକ୍ ଓ ସମ୍ବିତ ମୁଖ୍ୟ ଭୂମିକାରେ ରହିଥିବା ବେଳେ ସ୍ବର୍ଗତ ରାଇମୋହନ ପରିଡ଼ାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏମାନଙ୍କ ବ୍ୟତୀତ ହୃଷୀକେଶ, ଅଶ୍ରୁମୋଚନ, ଜୟୀରାମ ସାମଲ, ପ୍ରତିଭା ପଣ୍ଡା ଓ ଆଶୁତୋଷଙ୍କୁ ମଧ୍ୟ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ଚଳଚ୍ଚିତ୍ରଟି ଏକ ପାରିବାରିକ କାହାଣୀ ଉପରେ ପର୍ଯ୍ୟବସିତ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରଚାରପ୍ରସାର ଦାୟିତ୍ବରେ ଥିବା ଅମରେଶ କହିଛନ୍ତି। ଜନ୍ମେଞ୍ଜୟ ଡୋଗରାଙ୍କ ପ୍ରଯୋଜିତ ଏହି ସିନେମାର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ଆଶୁତୋଷ ମହାପାତ୍ର। ସଂଳାପ ଲେଖିଛନ୍ତି ବିଶ୍ବ ଓ ଆଶୁତୋଷ। ସଙ୍ଗୀତ ସଜାଇଛନ୍ତି ଅମୃତାଂଶୁ ଓ ତାପସ। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର ଓ ବିଭୁକିଶୋର।