ଭୁବନେଶ୍ବର: ଭୁବନେଶ୍ବରର ମହାରାଜା ଓ କଟକର ବୃନ୍ଦାବନ ସମେତ ସାରା ଓଡ଼ିଶାରେ ମୋଟ ୪୩ଟି ପ୍ରେକ୍ଷାଳୟରେ ଦମ୍ଦାର ଓପନିଂ କରିଛି ଓଡ଼ିଆ ଚଳଚ୍ଚିତ୍ର ‘ଦମନ’। ଉପାନ୍ତ ଅଞ୍ଚଳର ସ୍ବାସ୍ଥ୍ୟସେବାର ନିଚ୍ଛକ ଚିତ୍ରକୁ ନେଇ ସିନେମାଟି ଗତିଶୀଳ। ବଡ଼ କଥା ହେଲା ଚଳଚ୍ଚିତ୍ରର ପ୍ରିମିୟର୍ ସୋ’ ପରେ ଦର୍ଶକ ମୁହଁ ଫେରାଇ ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦର୍ଶକମାନଙ୍କ ବାନ୍ଧି ରଖିବା ଉଦ୍ଦେଶ୍ୟରେ ଜୟପୁରର ହଲ୍ ମାଲିକ ଏସ୍. ଆର୍ ନୋଭା ପ୍ରତି ବର୍ଗର ଟିକେଟ୍ ଉପରେ ୫୦ଟଙ୍କା ଛାଡ଼ ଘୋଷଣା କରିଛନ୍ତି। ବଲିଉଡ୍ର ଫିଲ୍ମ ଫ୍ରାଇଡେ’ ଟ୍ରେଣ୍ଡକୁ ଆପଣାଇ ଏହି ସିନେମାଟି ମହାରାଜା ଓ ବୃନ୍ଦାବନ ହଲ୍ରେ ଶୁକ୍ରବାର ସଂଧ୍ୟା ସୋ’ରେ ପ୍ରିମିୟର ହୋଇଛି ବୋଲି ସୂଚନା ଦେଇଛନ୍ତି ମ୍ୟୁଜିକ୍ ପ୍ରସାରକ ଆମର ମ୍ୟୁଜିକ୍ ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ।
ଅଭିନେତା ବାବୁସାନ୍ ତାଙ୍କ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି ଚଳଚ୍ଚିତ୍ର ‘ଦମନ’। ଫିଲ୍ମରେ ବାବୁସାନ୍ଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି। ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତରଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି, ତାହା ଦେଖିବାକୁ ମିଳିଛି। ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ। ଜେପି ୱାର୍ଲଡ୍ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍। ଚଳଚ୍ଚିତ୍ରଟି ଟିଭିରେ ନୁହେଁ, ଦୀର୍ଘଦିନ ଧରି କେବଳ ପ୍ରେକ୍ଷାଳୟରେ ପ୍ରଦର୍ଶିିତ ହେବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Daman-Pic.jpg)