ଓଡ଼ିଆ ଫିଲ୍ମ ଫେୟାର ପୁରସ୍କାର ଅନିର୍ଦିଷ୍ଟ କାଳ ପାଇଁ ସ୍ଥଗିତ, ସ୍ଥଗିତ ରହିଲା ଗୁରୁ ପଙ୍କଜ ଉତ୍ସବ

ଭୁବନେଶ୍ବର: ମାର୍ଚ୍ଚ ୧୫ରେ ଜନତା ମଇଦାନରେ ହେବାକୁ ଥିବା ୧୦ମ ଓଡ଼ିଆ ରୁଚି ଓଡ଼ିଆ ଫିଲ୍ମ ଫେୟାର ପୁରସ୍କାର ଉତ୍ସବ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ‘ହ୍ବାଇଟ କାନଭାସ୍‌’ ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୮ ହଜାର ଦର୍ଶକଙ୍କ ପାଇଁ ସୁବିଧା କରାଯିବା ନେଇ ଜନତା ମଇଦାନରେ କାମ ଆରମ୍ଭ ହୋଇଥିଲା। ମାତ୍ର ଶେଷରେ ଅନୁଷ୍ଠାନ ପକ୍ଷରୁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏହି ପୁରସ୍କାର ଉତ୍ସବର ୧୦ମ ସଂସ୍କରଣ କେବେ ଅନୁଷ୍ଠିତ ହେବ, ତାହା ସ୍ଥିତି ଅନୁଧ୍ୟାନ ପୂର୍ବକ କେଉଁଠି, କେତେବେଳେ କେଉଁ ସ୍ଥାନରେ ହେବ ଜଣାଇ ଦିଆଯିବ ବୋଲି ପୁରସ୍କାର ଉତ୍ସବର ମୁଖ୍ୟ ଉପଦେଷ୍ଟା ବାପୁ ଲେଙ୍କା, ଆବାହକ ଡ. ମନୋଜ ଦାଶ, ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା, ଉପାଧ୍ୟକ୍ଷ ସ୍ମୃତିଶକ୍ତି ସାମନ୍ତରାୟ, ନିର୍ଦେଶକ ଚିଣ୍ଟୁ ମିଶ୍ର ପ୍ରମୁଖ ସୂଚନା ଦେଇଛନ୍ତି।

ସ୍ଥଗିତ ରହିଲା ଗୁରୁ ପଙ୍କଜ ଉତ୍ସବ
ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶୀ ନୃତ୍ୟର ବରେଣ୍ୟ ଗୁରୁ ପଙ୍କଜ ଦାସଙ୍କ ସ୍ମୃତିରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବାକୁ ଯାଉଥିବା ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ପୁରସ୍କାର ପ୍ରଦାନ ଉତ୍ସବକୁ ବାତିଲ କରାଯାଇଛି। ଏହା କେବେ ପୁନଃ ଆୟୋଜନ ହେବ, ସେ ସଂକ୍ରାନ୍ତରେ ଜଣାଇ ଦିଆଯିବ ବୋଲି ଆୟୋଜକ ଅନୁଷ୍ଠାନର ଶରତ ଦାସ ସୂଚନା ଦେଇଛନ୍ତି। ଏଥିସହ ଜେଡିସିଏ ପକ୍ଷରୁ ଜେଡିସିଏ ପରିସରରେ ୧୪ରେ ହେବାକୁ ଥିବା ‘ମିଟ୍‌ ଦି ଆର୍ଟିଷ୍ଟ’ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଛି। ଜୟଦେବ ଭବନ‌ରେ ୧୫ ତାରିଖରେ ହେବାକୁ ଥିବା ‘ଗ୍ଲୋବାଲ ଆୱାର୍ଡ ଗିଭିଂ ସେରମନି’ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି।

ସମ୍ବନ୍ଧିତ ଖବର