ଭୁବନେଶ୍ବର: ଆଜି ଏକା ସାଙ୍ଗରେ ତିନୋଟି ଓଡ଼ିଆ ଚଳଚ୍ଚିତ୍ର ‘ପାଦେ ଆକାଶ’, ‘ଆଜିର ରେବତୀ’ ଓ ‘ଡଷ୍ଟବିନ୍’ ମୁକ୍ତିଲାଭ କରିଛି। ଶ୍ରୀୟା, ସ୍ତୁତି ଓ ସ୍ବାତୀ ସିନେ କମ୍ପ୍ଲେକ୍ସ କିଛି ସମୟ ବ୍ୟବଧାନରେ ଏହି ତିନୋଟି ଚଳଚ୍ଚିତ୍ରର ପ୍ରିମିୟର୍ ସୋ ଅନୁଷ୍ଠିତ ହୋଇଛି। ଯାହା ଫଳରେ ତିନୋଟି ଫିଲ୍ମର କଳାକାରଙ୍କ ସହ ଶତାଧିକ ପ୍ରଶଂସକ ଏକାଠି ହୋଇ ଉତ୍ସବ ପାଳନ କରିଥିଲେ। ଏଥିସହ କଳାକାରଙ୍କ ଶୋଭାଯାତ୍ରା ସହ ବାଜା, ବାଣରେ ଦୁଲୁକି ଯାଇଥିଲା ପୂରା ଅଞ୍ଚଳ। ବଡ଼ କଥା ହେଲା ଏହି ୩ଟି ଫିଲ୍ମକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଆ ସିନେମା ଜଗତର ଅଧିକାଂଶ କଳାକାର ଆଜି ଏକାଠି ହୋଇଥିଲେ। ଅପରାହ୍ନରୁ ରାତି ଯାଏମେଳାର ଭ୍ରମ ସୃଷ୍ଟି ହୋଇଥିଲା।
ପ୍ରଥମେ ଅପରାହ୍ନ ସାଢ଼େ ୪ଟାରେ ତରଙ୍ଗ ସିନେ ପ୍ରଡକ୍ସନ ଦ୍ବାରା ପ୍ରସ୍ତୁତ ‘ପାଦେ ଆକାଶ’ର ପ୍ରିମିୟର ସୋ ହୋଇଥିଲା। ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀକୁ ନେଇ ଏହି ଫିଲ୍ମ ହୋଇଥିବା ବେଳେ ଆଜି ସେ ନିଜେ ଉପସ୍ଥିତ ରହିଥିଲେ। ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଅର୍ଚ୍ଚିତା, ଅଭିନେତା ସବ୍ୟସାଚୀ ମିଶ୍ର ଓ ଅନ୍ୟ ସମସ୍ତ କଳାକାରମାନେ ଉପସ୍ଥିତ ଥିଲେ। ଆର୍ଆର୍ ଇଭେଣ୍ଟ ଓ ସିନେ ପ୍ରଡକସନ୍ ପ୍ରସ୍ତୁତ ‘ଆଜିର ରେବତୀ’ର ପ୍ରିମିୟର ସୋ ୫ଟା ୪୦ ମିନିଟ୍ରେ ହୋଇଥିଲା। ଶୋଭାଯାତ୍ରାରେ ଅଭିନେତ୍ରୀ ଶୀତଲ ପାତ୍ର ଓ ଅନ୍ୟ କଳାକାରମାନେ ଧମାକାଦାର ଏଣ୍ଟ୍ରି ମାରିଥିଲେ। ଏହାପରେ ସସ୍ପେନ୍ସ ଥ୍ରିଲର ଓ ମର୍ଡର ମିଷ୍ଟ୍ରି ‘ଡଷ୍ଟବିନ୍’ର ପ୍ରିମିୟର ସୋ ଲାଗିଥିଲା। ଏଥିରେ କାହାଣୀ, ଚିତ୍ରନାଟ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଓ ନିର୍ଦ୍ଦେଶନା ଦେଇଥିବା ପପୁ ପମ୍ ପମ୍, ନାୟିକା ପ୍ରାଚୀ ଓ ଅନ୍ୟ କଳାକାରମାନେ ଏକାଠି ହୋଇଥିଲେ।