ଓସ୍କାର ଦୌଡ଼ରେ ‘କାଲିର ଅତୀତ’ ବିବାଦ ପରେ ସ୍ପଷ୍ଟୀକରଣ ଦେଲେ ନୀଳମାଧବ

ଓସ୍କାର ଜେନେରାଲ ଏଣ୍ଟ୍ରି ବର୍ଗରେ ଆବେଦନ କରାଯାଇଛି, ଓସ୍କାର ବିଚାରକ ମଣ୍ଡଳୀ ଦେଖିଲା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ

ଭୁବନେଶ୍ବର: ଓସ୍କାର ଦୌଡ଼ରେ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ସାମିଲ ହେବାକୁ ନେଇ ଏବେ ବିବାଦ ଉପୁଜିଛି। ଗତ ୧୯ ତାରିଖରେ ନିଜେ ନୀଳମାଧବ ପଣ୍ଡା ଟ୍ବିଟ୍‌ ଯୋଗେ ‘କାଲିର ଅତୀତ’ ଓସ୍କାର ଦୌଡ଼ରେ ସାମିଲ ହୋଇଥିବା ସୂଚନା ଦେଇଥିଲେ। ମାତ୍ର ଓସ୍କାର ୱେବ୍‌ସାଇଟ୍‌ରେ କୌଣସି ବର୍ଗରେ ‘କାଲିର ଅତୀତ’ ଚଳଚ୍ଚିତ୍ର ସ୍ଥାନ ପାଇ ନଥିବା ଜଣାପଡ଼ିଛି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଶ୍ରୀ ପଣ୍ଡା ଏକ ସ୍ପଷ୍ଟୀକରଣ ଦେଇ ଏହି ଚଳଚ୍ଚିତ୍ରକୁ ସାମିଲ ପାଇଁ ଓସ୍କାର ଜେନେରାଲ ଏଣ୍ଟ୍ରି ବର୍ଗରେ ଆବେଦନ କରାଯାଇଥିବା ସୂଚନା ଦେଇଛନ୍ତି।

ପ୍ରଥମେ ଟ୍ବିଟର୍‌ରେ ଶ୍ରୀ ପଣ୍ଡା ଉଲ୍ଲେଖ କରିଥିଲେ ଯେ ‘କାଲିର ଅତୀତ’ ଓସ୍କାରର ଜେନେରାଲ ଏଣ୍ଟ୍ରି କାଟାଗୋରିରେ ଶ୍ରେଷ୍ଠ ସିନେମା, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଏମିତି ବହୁ ବିଭାଗରେ ଓସ୍କାର ଦୌଡ଼ରେ ସାମିଲ ହୋଇଛି। କିନ୍ତୁ ଅସଲ କଥା ହେଉଛି; ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁସରଣ କରି ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେଇ ଯେ କୌଣସି ଚଳଚ୍ଚିତ୍ର ଓସ୍କାରର ଏହି ଜେନେରାଲ ଏଣ୍ଟ୍ରି କାଟାଗୋରିରେ ସାମିଲ ହୋଇପାରିବ। ଏହି ପ୍ରକ୍ରିୟା ଅନୁସରଣ କରି ‘କାଲିର ଅତୀତ’ ଚଳଚ୍ଚିତ୍ର ପାଇଁ ଓସ୍କାର ଜେନେରାଲ କାଟାଗୋରିରେ ଆବେଦନ କରାଯାଇଛି।
ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ଭାରତରୁ ଗୋଟିଏ ମାତ୍ର ଚଳଚ୍ଚିତ୍ର ଓସ୍କାର ଅଫିସିଆଲ୍‌ ଏଣ୍ଟ୍ରି ନେବାରେ ସଫଳ ହୋଇଥିଲା। ଏହି ଚଳଚ୍ଚିତ୍ରଟି ଥିଲା ଲିଜୋ ଜୋସ୍‌ ପେଲିସେରୀଙ୍କ ନିର୍ଦ୍ଦେଶିତ ମାଲାୟଲମ୍‌ ଚଳଚ୍ଚିତ୍ର ‘ଜାଲ୍ଲିକାଟୁ’। କିନ୍ତୁ ପରେ ଏହା ମଧ୍ୟ ଓସ୍କାର ତାଲିକାରୁ ବାଦ୍‌ ପଡ଼ିଯାଇଥିଲା। ତେବେ କୌଣସି ଚଳଚ୍ଚିତ୍ରକୁ ଓସ୍କାରର ଜେନେରାଲ ଏଣ୍ଟ୍ରି କାଟାଗୋରିରେ ସାମିଲ କରାଇବାକୁ ପ୍ରାୟ ୧୨ ହଜାର ଡଲାର୍‌ ଅର୍ଥାତ୍‌ ୮ ଲକ୍ଷ ୪୦ ହଜାର ଟଙ୍କା ପୈଠ କରିବାକୁ ପଡ଼ିଥାଏ। ନୀଳମାଧବ ପଣ୍ଡାଙ୍କ ଭଳି ଅନେକ ନିର୍ଦ୍ଦେଶକ ଏହି ସମାନ ପ୍ରକ୍ରିୟା ଅନୁସରଣ କରି ସେମାନଙ୍କ ଚଳଚ୍ଚିତ୍ରକୁ ଏହି କାଟାଗୋରିରେ ସାମିଲ କରାଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ଚଳଚ୍ଚିତ୍ରର ପ୍ରଚାର ପ୍ରସାର ପାଇଁ ଏହା ଏକ ଅଭିଯାନର ଅଂଶବିଶେଷ ବୋଲି କୁହାଯାଉଛି।

ଏ ସଂପର୍କରେ ନିଜ ପ୍ରତିକ୍ରିୟା ରଖି ଶ୍ରୀ ପଣ୍ଡା କହିଛନ୍ତି ଯେ ଓସ୍କାର ଏକାଡେମିର ସମସ୍ତ ନିୟମାବଳୀ ଅନୁସରଣ କରି ମୁଁ ଏହି ଚଳଚ୍ଚିତ୍ରକୁ ଜେ‌ନେରାଲ ଏଣ୍ଟ୍ରି କାଟାଗୋରିରେ ସାମିଲ କରାଇଛି। ଚଳଚ୍ଚିତ୍ରଟି ଏବେ ଓସ୍କାର କମିଟି ଦ୍ବାରା ବିଧିବଦ୍ଧ ଭାବେ ସ୍ବୀକୃତି ଲାଭ କରିଥିବା ‌‌ବେଳେ ଏବେ ଏକାଡେମି ସ୍କ୍ରିନିଂ ରୁମ୍‌ରେ ବିଚାରକମାନଙ୍କୁ ପ୍ରଦର୍ଶିତ କରିବାକୁ ଉପଲବ୍ଧ ରହିଛି। ‌‘କାଲିର ଅତୀତ’ ଭଳି ବିଶ୍ବର ପ୍ରାୟ ୨୨୦ଟି ଚଳଚ୍ଚିତ୍ର ଏବେ ଜେନେରାଲ ଏଣ୍ଟ୍ରି କାଟାଗୋରିରେ ଓସ୍କାର ତାଲିକାରେ ସାମିଲ ହୋଇଛନ୍ତି। ଏଥିସହ ଏବେ ପ୍ରାୟ ୫,୫୪୯ ଜଣ ବିଚାରକମଣ୍ଡଳୀର ସଦସ୍ୟ ଏକାଡେମି ସ୍କ୍ରିନିଂ ରୁମ୍‌ରେ ଏହି ଚଳଚ୍ଚିତ୍ର ଦେଖୁଛନ୍ତି। ଆସନ୍ତା ୫ରୁ ୧୦ ମାର୍ଚ୍ଚ ଭିତରେ ସେମାନେ ଏହି ସବୁ ଚଳଚ୍ଚିତ୍ର ପାଇଁ ନିଜ ମତଦାନ କରିବେ। ଚୂଡ଼ାନ୍ତ ନିଷ୍ପତ୍ତି ମାର୍ଚ୍ଚ ୧୫ ଆଡ଼କୁ ପ୍ରକାଶ ପା‌ଇବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର