ଇଣ୍ତିଆନ ଆଇଡଲ ଟପ୍-୧୫ରେ କଟକ ଝିଅ ଚେଲ୍‌ସି, ବିଚାରକ ଅନୁ ମଲ୍ଲିକ, ନେହା ଓ ବିଶାଲ କରୁଛନ୍ତି ପସନ୍ଦ

କଟକ: ସୋନି ଟିଭିରେ ପ୍ରସାରିତ ରିୟଲିଟି ସୋ’ ଇଣ୍ତିଆନ ଆଇଡଲ୍‌ର ଟପ-୧୫ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥ‌ାନ ପାଇଛନ୍ତି କଟକ ଶିଖରପୁର ନଦୀକୂଳ ସାହିର ଝିଅ ଚେଲ୍‌ସି। ଚେଲସି ଏହି ପ୍ରତିଯୋଗିତାରେ ‘ଗୋଲଡ଼େନ୍ ଟିକେଟ ଓ ମାଇକ’ ସହ ଟପ୍-୧୫ରେ ପ୍ରବେଶ କରିଛନ୍ତି। ପିଲାଟି ଦିନରୁ ସଙ୍ଗୀତରେ ରୁଚି ରଖିଥିବା ୧୪ ବର୍ଷୀୟ ଏହି କଣ୍ଠଶିଳ୍ପୀ ଥିଏଟର ରାଉଣ୍ତରେ ଦମଦାର ପ୍ରଦର୍ଶନ କରିବା ସହ ସୋ’ର ଟପ-୧୫ରେ ପ୍ରବେଶ କରିଛନ୍ତି। ସେ ପ୍ରଥମେ ଅଡିସନ ରାଉଣ୍ତରେ ‘ମେ ପରେସାନ’ ଗୀତ ଗାଇ ‘ଗୋଲଡ଼େନ ଟିକେଟ’ ପାଇ ଥିଏ‌ଟର ରାଉଣ୍ତ ପାଇଁ ଚୟନ ହୋଇଥିଲେ। ପରେ ଥିଏଟର ରାଉଣ୍ତରେ ‘ଓଫୋ’ ଗୀତ ଗାଇ ସେ ଟପ-୧୫କୁ ପ୍ରବେଶ କରିଛନ୍ତି। ସୋ’ରେ ବିଚାରକ ଥିବା ଅନୁ ମଲ୍ଲିକ, ନେହା କକ୍କର ଓ ବିଶାଲ ଦଦ୍‌ଲାନୀ ଚେଲ୍‌ସିଙ୍କ ଗୀତକୁ ବେଶ ପସନ୍ଦ କରୁଛନ୍ତି।

ଛୋଟବେଳୁ ବାପା ସୁଧାଂଶୁ ବେହୁରାଙ୍କୁ ହରାଇଥିବା ଚେଲ୍‌ସି ମା’ ରେଖାଙ୍କ ଉତ୍ସାହ ଓ ସହଯୋଗରେ ଗୀତକୁ ଆପଣାଇଛନ୍ତି। ବାପାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ସଂଗୀତକୁ ଅଧିକ ଗୁରୁତ୍ବ ଦେଇଛନ୍ତି ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସେ ଇଣ୍ତିଆନ ଆଇଡଲ ଜୁନିୟର, ରାଇଜିଙ୍ଗ ଷ୍ଟାର, ସାର୍ଥକ ଟିଭିରେ ପ୍ରସାରିତ ସାରେଗାମାପା ସିଜନ-୧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଅଭିଜ୍ଞତା ରଖିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ‘ଲତା ମଙ୍ଗେସକରଙ୍କ ଗୀତ ମୋର ବହୁତ ପସନ୍ଦ। ତା’ ସହ ସୁନିଧି ଚୌହାନ, ଅରିଜିତ ସିଂହଙ୍କ ସବୁ ଗୀତକୁ ଶୁଣେ ଓ ଅଭ୍ୟାସ ବି କରେ। ବଲିଉଡ୍‌ ଓ ୱେଷ୍ଟର୍ଣ୍ଣ ଗୀତ ଗାଇବା ପାଇଁ ବହୁତ ଭଲ ଲାଗେ। ପାଠପଢ଼ା ଯୋଗୁଁ ଦିନକୁ ମାତ୍ର ୨ ଘଣ୍ଟା ଅଭ୍ୟାସ କରେ। ଟପ-୧୫ରେ ପ୍ରବେଶ କରିବା ପରେ ଆହୁରି ଅଧିକ ସମୟ ଦେଇ ନିଜକୁ ପ୍ରସ୍ତୁତ କରୁଛି। ବଲିଉଡ୍ ପ୍ଲେ ବ୍ୟାକ ସିଙ୍ଗର ହେବାକୁ ଲକ୍ଷ୍ୟ ରହିଛି।’

ସମ୍ବନ୍ଧିତ ଖବର