ମିସ୍‌ ଟିନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ରେ ଓଡ଼ିଆ ଝିଅ ମୈତ୍ରୀ : ଜିତିଲେ ‘ଶ୍ରେଷ୍ଠ ଜାତୀୟ ପୋଷାକ’ ଓ ‘ଶ୍ରେଷ୍ଠ ପ୍ରତିଭା-୨୦୧୮’ ଟାଇଟଲ୍‌

ଭୁବନେଶ୍ୱର : ପୁଣି ଏକ ସୁନ୍ଦରୀ ଦୌଡ଼ରେ ସାମିଲ ହୋଇଛନ୍ତି ଓଡ଼ିିଆ ଝିଅ ମୈତ୍ରୀ ମୋନାଲି ପ୍ରଧାନ। ଥାଇଲାଣ୍ଡର ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ମିସ୍‌ ଟିନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌-୨୦୧୮ରେ ଅଂଶଗ୍ରହଣ କରି ସେ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏଥିସହ ‘ଶ୍ରେଷ୍ଠ ଜାତୀୟ ପୋଷାକ’ ଓ ‘ଶ୍ରେଷ୍ଠ ପ୍ରତିଭା-୨୦୧୮’ ଟାଇଟେଲ୍‌ ଜିତିଛନ୍ତି। ‘ଶ୍ରେଷ୍ଠ ଜାତୀୟ ପୋଷାକ’ ରାଉଣ୍ଡ୍‌ରେ ସେ ପିନ୍ଧିଥିବା ଲେହେଙ୍ଗାରେ ପଡ଼ିଥିଲା ଓଡ଼ିଶା ମାଟିର ସ୍ପର୍ଶ। କୋଣାର୍କ, ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଚିତ୍ର, ପୁରୀ ସମୁଦ୍ର କୂଳ, ସମ୍ବଲପୁରୀ ପ୍ରିଣ୍ଟ୍‌ ଓ ପିନ୍ଧିଥିବା ଟାହିଆରେ ମାଣବସା ଝୋଟି ଚିତା, ଷ୍ଟୋନ୍‌ ଓ ସୂତା କାରିଗରୀ ତାଙ୍କୁ ଏହି ଟାଇଟେଲ୍‌ ଜିତିବାରେ ସାହାଯ୍ୟ କରିଥିଲା ବୋଲି ମୈତ୍ରୀ କହିଛନ୍ତି। ପୁଣି ନିଜ ପ୍ରତିଭା ପ୍ରଦର୍ଶନ କରି ପ୍ରତିଯୋଗିତାରେ ଭାଗ ନେଇଥିବା ୩୦ ଦେଶର ୩୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ମୈତ୍ରୀ ମୋନାଲି ‘ଶ୍ରେଷ୍ଠ ପ୍ରତିଭା-୨୦୧୮’ ଟାଇଟେଲ୍‌ ବିଜୟିନୀ  ହୋଇପାରିଛନ୍ତି।

ମୈତ୍ରୀ ବାପା ଭଗବାନ ପ୍ରଧାନ ଓ ମା’ ପ୍ରତିଭା ପ୍ରଧାନଙ୍କ ସହ ଭୁବନେଶ୍ୱରର ନୂଆପଲ୍ଲୀ ରୁହନ୍ତି। ସେ ବର୍ତ୍ତମାନ ୟୁନିଟ୍‌-୮ ଡିଏଭି ସ୍କୁଲ୍‌ରେ ଷ୍ଟାଣ୍ଡାର୍ଡ ୧୧ରେ ବାଣିଜ୍ୟ ବିଭାଗରେ ଅଧ୍ୟୟନ କରୁଛନ୍ତି। ମଡେଲିଂ ପ୍ରତି ପିଲାଟି ଦିନରୁ ତାଙ୍କର ରୁଚି ରହିଥିବା ବେଳେ ସେ ଲିଟିଲ୍‌ ମିସ୍‌ ଇଣ୍ଡିଆ-୨୦୧୬ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଆଗକୁ ‘ବିଶ୍ୱ ସୁନ୍ଦରୀ’ ପ୍ରତିଯୋଗିତାରେ ଭାଗ ନେବାର ଲକ୍ଷ୍ୟ ରଖିଛନ୍ତି ବୋଲି ମୈତ୍ରୀ ମୋନାଲି କହିଛନ୍ତି।

ସମ୍ବନ୍ଧିତ ଖବର