୧୦ମ ପାସ୍ ପରେ ସୁନନ୍ଦା ସଂଗୀତ ଶିକ୍ଷା ପାଇଁ ପୁନେ ଗଲେ। ସଂଗୀତ ସାଧନାର ସେଇ ସମୟ ଏତେ ସହଜ ନଥିଲା। ମୋଟ୍ ୭୫ ଟଙ୍କା ଷ୍ଟାଇପେଣ୍ଡ୍ ପାଉଥିଲେ ବି ସଂଗୀତ ଶିକ୍ଷା ପାଇଁ ପଣ୍ଡିତ ପଟ୍ଟବର୍ଧନଙ୍କୁ ୩୦ ଟଙ୍କା ଦେଉଥିଲେ। ମେସ୍ରେ ଦୁଇ ଓଳି ଖାଇବା ପାଇଁ ୩୬ ଟଙ୍କା ଖର୍ଚ ହେଇଯାଉଥିଲା। କଲେଜ୍ ଦରମା ଥିଲା ମାସକୁ ୫ଟଙ୍କା। ବାକି ବଳି ପଡ଼ୁଥିଲା ମାତ୍ର ୪ଟଙ୍କା। ସେଥିରେ ଚା’ ଟିକେ ଖାଇବାକୁ ବି ପଇସା ଅଣ୍ଟୁନଥିଲା। ସେଇଥିରେ ବି ସେ ୧୯୫୬ ମସିହାରେ ସଂଗୀତରେ ସ୍ନାତକୋତ୍ତର ହେଲେ। କୋଲକାତାର ସର୍ବଭାରତୀୟ ସଦାରନ ସଂଗୀତ ସମ୍ମେଳନରେ ଗୀତ ଗାଇବାର ସୁଯୋଗ ପାଇଲେ। ସେଇ କାର୍ଯ୍ୟକ୍ରମରେ ତତ୍କାଳୀନ ପ୍ରସିଦ୍ଧ କଣ୍ଠଶିଳ୍ପୀ ବଡ଼େ ଗୁଲାମ ଅଲ୍ଲି ଖାଁଙ୍କୁ ସେଠାକୁ ଗାଇବାକୁ ଡକାଯାଇଥାଏ। ତେବେ ସୁନନ୍ଦାଙ୍କୁ ଏମିତି ଏକ ସମୟରେ ଡକାଗଲା ଯେତେବେଳେ ବିରତିର ବେଳ। ଏଣେ ନୂଆ ଗାୟିକାଙ୍କ ସହ ସଂଗୀତରେ ସଙ୍ଗତ ପାଇଁ କାନାଇ ଦତ୍ତ ଓ କେରମତଉଲ୍ଲା ଖାଁ ମନା କରିଦେଇଥାଆନ୍ତି। ତେବେ ସମ୍ମେଳନର ସମ୍ପାଦକଙ୍କ ଅନୁରୋଧ କ୍ରମେ ଦିହେଁ ସୁନନ୍ଦାଙ୍କୁ ସଂଗୀତରେ ସହଯୋଗ କଲେ। ସୁନନ୍ଦା ମିଶ୍ରରାଗ ଜୟନ୍ତ ମହ୍ଲାର ଗାନ କଲେ। ଖୁବ୍ ଅଳ୍ପ ସମୟ ମଧ୍ୟରେ ପ୍ରେକ୍ଷାଳୟ ଭରପୂର ହେଇଗଲା। ତାଳି ଓ ଉତ୍ସାହଭରା ଗର୍ଜନରେ ପୂରା ପ୍ରେକ୍ଷାଳୟ ଗର୍ଜି ଉଠିଲା। ତାଙ୍କ କଣ୍ଠରେ ତରାନା ଏତେ ବିମୋହିତ କଲା ଯେ ତା’ ପରଦିନ ସେଠାରେ ରହି ତାଙ୍କୁ ପୁଣି ଗାଇବାକୁ ପଡ଼ିଲା। ସେଇ ସମ୍ମିଳନୀରେ ୧୩ଟି ସ୍ବର୍ଣ୍ଣ ପଦକ ଜିତିଲେ। ପ୍ରଚୁର ସ୍ନେହ, ଭଲ ପାଇବା ଓ ୧୩୭୦ ଟଙ୍କା ନେଇ ଘରକୁ ଫେରିଥିଲେ।
୧୭ ଟଙ୍କାରେ ଗାଇବା ଆରମ୍ଭ କରିଥିଲେ
କେହି ବିଶ୍ବାସ ବି କରୁନଥିଲେ ୧୪ ବର୍ଷ ବୟସରେ ସୁନନ୍ଦା ଅଡିସନରେ ଉତ୍ତୀର୍ଣ୍ଣ ହୋଇ ଆକାଶବାଣୀର କଣ୍ଠଶିଳ୍ପୀ ପାଲଟିଯିବେ। ମାତ୍ର ଅଡିସନର ୨ ମାସ ପରେ ସେ ୧୭ ଟଙ୍କାରେ ଗାଇବାକୁ ଚୁକ୍ତିବଦ୍ଧ ହେଲେ। ତାଙ୍କ ବାପା ତଥା ସବୁଜ ଯୁଗର ବିଶିଷ୍ଟ କବି ବୈକୁଣ୍ଠନାଥ ପଟ୍ଟନାୟକ ତାଙ୍କୁ ମୀରାବାଇ, ସୁରଦାସ ଓ ତୁଳସୀ ଦାସଙ୍କ ଭଜନ ଗୀତ ଆଣି ଧରେଇଦେଲେ। ସେସବୁ ସଂଗୀତ ସେ ଆକାଶବାଣୀରେ ଗାଇବା ଆରମ୍ଭ କଲେ। ରାଗ ନୀଳମାଧବ, ସୁବର୍ଣ୍ଣମୁଖୀ ସମେତ ୬ଟି ରାଗ ସେ ଭେଟି ଦେଇଥିଲେ ବୋଲି କେଦାର ମିଶ୍ର କହିଛନ୍ତି।