ଭୁବନେଶ୍ବର : ୧୯୬୫ ମସିହାରୁ ପାକିସ୍ତାନ ଜେଲ୍ରେ ବନ୍ଦୀ ଜୀବନ କାଟୁଥିବା ଓଡ଼ିଆ ଯବାନ ଆନନ୍ଦ ପତ୍ରୀଙ୍କୁ ମୁକୁଳାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତାଙ୍କ ପରିବାରଲୋକ ଆକୁଳ ନିବେଦନ କରିଛନ୍ତି। ଶୁକ୍ରବାର ଦିନ ଉତ୍କଳ ସାମ୍ବାଦିକ ଭବନରେ ଆନ୍ତର୍ଜାତିକ ମାନବାଧିକାର ପରିଷଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପରିବାରଲୋକ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଗଣମାଧ୍ୟମ ଜରିଆରେ ସେମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏପରି ନିବେଦନ କରିଛନ୍ତି।
ସୂଚନାନୁସାରେ, ଭାରତ-ପାକିସ୍ତାନ ଯୁଦ୍ଧରେ ଭାଗ ନେଇଥିବା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କଲ୍ୟାଣୀ ଗ୍ରାମର ଆନନ୍ଦ ୧୯୬୫ ମସିହାରୁ ପାକିସ୍ତାନର ଲାହୋର୍ ଜେଲ୍ରେ ବନ୍ଦୀ ହୋଇ ରହିଛନ୍ତି। ଆନନ୍ଦଙ୍କ ପୁଅ ବିଦ୍ୟାଧର ୨୦୦୩ ମସିହା ଫେବ୍ରୁଆରି ୭ ତାରିଖରେ ଗଣମାଧ୍ୟମରେ ବାପାଙ୍କ ଫଟୋ ଦେଖି ଚିହ୍ନିବା ପରେ ସେବେଠାରୁ ତାଙ୍କ ମୁକ୍ତି ପାଇଁ ଚେଷ୍ଟା କରି ଆସୁଛନ୍ତି। ବୈଦେଶିକ ବିଭାଗ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ପାକିସ୍ତାନ ଲାହୋରର ଲାଜପତ ଜେଲ୍ରେ ବନ୍ଦୀ ଥିବା ନସିମ୍ ଗୋପାଲଙ୍କ ଚେହେରା ସହ ଆନନ୍ଦଙ୍କ ଚେହେରା ମେଳ ଖାଉଛି। ତେଣୁ ସେ ହିଁ ଆନନ୍ଦ ପତ୍ରୀ ହୋଇଥିବେ ବୋଲି ପରିବାର ଦାବି କରିଥିଲେ। ସେତେବେଳେ ବିଦ୍ୟାଧର ରାଷ୍ଟ୍ରପତି, କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲେ। ତେବେ ଭାରତ ସରକାର ତାଙ୍କ ମୁକ୍ତି ପାଇଁ ବ୍ୟବସ୍ଥା କରିବେ ବୋଲି କହିଥିଲେ। ବିଦ୍ୟାଧର ମଧ୍ୟ ସେ ସମୟରେ କୋଲକାତାର ଏକ ସାମାଜିକ ଅନୁଷ୍ଠାନର ସଂପାଦକ ଉତ୍ପଳ ରାୟଙ୍କ ସହାୟତାରେ ଚଣ୍ଡୀଗଡ଼ ହୋଟେଲ ତାଜ୍ଠାରେ ପାକିସ୍ତାନର ସ୍ବତନ୍ତ୍ର ଦୂତ ହମିଦ୍ ଅନସାରୀ ପାରାନିଙ୍କୁ ଭେଟି ତାଙ୍କ ବାପାଙ୍କୁ ଛାଡ଼ିଦେବାକୁ ଅନୁରୋଧ କରିଥିଲେ। ଯୁଦ୍ଧବନ୍ଦୀ ପ୍ରତ୍ୟର୍ପଣ ନୀତି ଅନୁସାରେ ତାଙ୍କ ବାପାଙ୍କୁ ୱାଘା ସୀମାରେ ଛାଡ଼ି ଦିଆଯିବ ବୋଲି ଶ୍ରୀ ପାରାନି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ୨୦୦୩ ମସିହାରୁ ଆଜି ପର୍ଯ୍ୟନ୍ତ ଆନନ୍ଦଙ୍କ ମୁକ୍ତି ସଂପର୍କରେ ଭାରତ ସରକାର କିମ୍ବା ପାକିସ୍ତାନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।