ହୁଳହୁଳିରେ କମ୍ପିଲା ମଞ୍ଚ

ଭୁବନେଶ୍ୱର : ଆମେ ଆମର ପରମ୍ପରାକୁ ଭୁଲିପାରିବୁ ନାହିଁ। ହୁଳହୁଳି ଶବ୍ଦ କାନରେ ପଡ଼ିଲା ମାନେ ତାହା ମନରେ ଏକ ଭିନ୍ନ ଆବେଗ ସୃଷ୍ଟି କରେ। ସେମିତି ଓଡ଼ିଆ ତିଅଣର ବାସ୍ନା ଯେ କୌଣସି ରାଜ୍ୟ ଓ ଦେଶର ଖାଦ୍ୟଠାରୁ ନିଆରା ଓ ସ୍ୱାଦିଷ୍ଟ; ଆଜି ଏମିତି ଅନୁଭବ ହେଉଥିଲା ଏକାମ୍ର ହାଟ ମୁକ୍ତାକାଶ ମଞ୍ଚ ନିକଟରେ। ଅବସର ଥିଲା ‘ସଂଭାବନା’ ପକ୍ଷରୁ ଆୟୋଜିତ ଓଡ଼ିଆ ମହୋତ୍ସବ ଓ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବର ତୃତୀୟ ସନ୍ଧ୍ୟାର। ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗୀଙ୍କ ମଧ୍ୟରେ ହୁଳହୁଳି ପ୍ରତିଯୋଗିତା ବେଶ୍‌ ଚିତ୍ତାକର୍ଷକ ଥିଲା। ହୁଳହୁଳି ଶବ୍ଦରେ ଏକାମ୍ର ହାଟ ଏପରି କମ୍ପୁଥିଲା ଯେ ସମସ୍ତେ କିଛି ସମୟ ସ୍ଥିର ହୋଇ ତାହାର ମାଧୁର୍ଯ୍ୟକୁ ଉପଭୋଗ କରୁଥିଲେ। ଠିକ୍‌ ସେମିତି ବିଭିନ୍ନ ପ୍ରକାର ପରିବାକୁ ନେଇ ଓଡ଼ିଆଣୀମାନେ ତିଆରି କରି ଆଣିଥିବା ତିଅଣ ବାସ୍ନା ବି ଲୋକଙ୍କୁ ନିଜ ମାଟିର ଖାଦ୍ୟର ସ୍ୱାଦକୁ ମନେ ପକାଇ ଦେଉଥିଲା।

ଆଜିର କାର୍ଯ୍ୟକ୍ରମରେ ସମାଜସେବୀ କସ୍ତୁରିକା ପଟ୍ଟନାୟକ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ମାୟା ଦାସ, ଲାୟନ୍ସ କ୍ଲବର ସଂଗଠିକା କଲ୍ୟାଣୀ ଭଦ୍ର, ଓଡ଼ିଆଣୀ ସମିତିର ସଂଯୋଜିକା ସୌଦାମିନୀ ସାମଲ ଓ ୨୦୧୭ର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଆ ତିଅଣର ମୂଲ୍ୟାୟନ କରିଥିଲେ ଆର୍ଯ୍ୟା ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ସୁଶାନ୍ତ ରଞ୍ଜନ ଚଇନି। ହୁଳହୁଳି ପ୍ରତିଯୋଗିତାର ବିଚାରକ ଥିଲେ ଛନ୍ଦା ମିଶ୍ର। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଭାବନାର ସଂପାଦକ ଦେବପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିଲେ। ସଂଭାବନା ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ବିଷୟରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅନୁଷ୍ଠାନର ସଦସ୍ୟ ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ, ଶଶିପ୍ରଭା ଦାସ, ଗୁରୁ ପ୍ରସାଦ ଦାସ ଓ ସତ୍ୟବ୍ରତ ମହାପାତ୍ର, ଅଭିରାମ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର