ବନ୍ଧୁତ୍ୱ, ସଂଗୀତ-ନୃତ୍ୟରେ ‘ଓଡ଼ିଆ ମହୋତ୍ସବ’ର ଶୁଭାରମ୍ଭ

ଭୁବନେଶ୍ୱର : ପ୍ରତିଯୋଗିତା ଛଳରେ ଓଡ଼ିଆ ପ୍ରଥା ଓ ପରମ୍ପରାକୁ ଜୀବିତ ରଖିବା ତଥା ଓଡ଼ିଆଣୀଙ୍କୁ ସଗର୍ବେ ଉପସ୍ଥାପନ ସହ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ‘ସଂଭାବନା’ର ଚତୁର୍ଦ୍ଦଶ ଓଡ଼ିଆ ମହୋତ୍ସବ ଓ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଆଜି ଏକାମ୍ର ହାଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବ ଓଡ଼ିଆ ନୂଆବର୍ଷ ବିଷୁବ ସଂକ୍ରାନ୍ତିରେ ଶେଷ ହେବ। ଆଜି ଉଦ୍‌ଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ୨୦୧୮ର ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କ‌ରିଥିଲେ। ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏବଂ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନୁଷ୍ଠାନର ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା ଓଡ଼ିଆ ମହୋତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥି‌ଲେ। ‘ସଂଭାବନା ଓଡ଼ିଆଣୀ ସମିତି’ର ସଂଯୋଜିକା ସୌଦାମିନୀ ସାମଲ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ବିଗତ ୧୩ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ବାସନ୍ତୀ ପଟ୍ଟନାୟକ, ସୁଶିଳା ରଥ, ନିରୂପମା ଦାଶ, ସୁଜାତା ମହାନ୍ତି, ସ୍ନେହାଳି ଦାସ, ନିବେଦିତା ମଲ୍ଲିକ, ବିଜୟଲକ୍ଷ୍ମୀ ସା, ଲୋରିସ୍ନା ବିଶ୍ୱାଳ, ସ୍ବୟଂପ୍ରଭା ସାହୁ, ସୌଦାମିନୀ ସାମଲ, ମଧୁସ୍ମିତା ଦାସ ଓ ଚନ୍ଦ୍ରପ୍ରଭା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉତ୍ସବରେ ଦିବ୍ୟଜ୍ୟୋତି ଅନୁଷ୍ଠାନ ପକ୍ଷରୁ ଲୋକନୃତ୍ୟ ଢେମ୍‌ସା ପରିବେଷିତ ହୋଇଥିଲା। ଏହି ଅବସରରେ ‘ସାହିତ୍ୟିକା ସୁଷମା ମିଶ୍ର ଗଳ୍ପ କଥନ’ ଶୀର୍ଷକ କାର୍ଯ୍ୟକ୍ରମରେ ବ୍ୟାସକବିଙ୍କ ଫକିର ମୋହନ ସେନାପତିଙ୍କ କାଳଜୟୀ ‘ରେବତୀ’ ଗଳ୍ପ ଶୁଣିବାକୁ ମିଳିଥିଲା। ପରେ ଜଣାଶୁଣା କଣ୍ଠଶିଳ୍ପୀମାନଙ୍କ ଦ୍ବାରା ବନ୍ଧୁତ୍ବ ଓ ଆଧୁନିକ ଗୀତର ଆସର ଜମିଥିଲା। ପରମ୍ପରା ସହ ଜଡ଼ିତ ମକର ଚାଉଳ ବଣ୍ଟାଯାଇଥିଲା। ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭ୍ୟା ରାଜଶ୍ରୀ ଶତପଥୀ, ସତ୍ୟବ୍ରତ ମହାପାତ୍ର, ସୁଜିତ ପଟ୍ଟନାୟକ, ପ୍ରେମ ପ୍ରକାଶ ସିଂହ, ଗୁରୁ ପ୍ରସାଦ ଦାସ, ପ୍ରଫୁଲ୍ଲ ଦେ ଓ ଅଭିରାମ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର