ବାହାର ରାଜ୍ୟରେ ବଢୁଛି ଓଡ଼ିଆ ଶ୍ରମିକଙ୍କ ଦୁଃଖ, ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କୁ ମାରପିଟ, ୮୪ ଉଦ୍ଧାର

ଗର୍ଭବତୀଙ୍କ ପ୍ରତି ବି ଇଟାଭାଟି ମାଲିକର ଅମାନବୀୟ ବ୍ୟବହାର, ତେଲେଙ୍ଗାନା ଇଟାଭାଟିକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବର: ୫ମାସ ହେଲା କାମ କଲୁଣି, କିନ୍ତୁ ଆଜି ପର୍ଯ୍ୟନ୍ତ ମାଲିକ ପ୍ରାପ୍ୟ ତ ଦେଲା ନାହିଁ। କିନ୍ତୁ କାମରେ ଟିକିଏ ଭୁଲ ହୋଇଗଲେ କେବଳ ମାରପିଟ କରୁନାହିଁ; ଧମକ ଦେଉଛି ଯେ ମାରି କି ଏଭଳି ସ୍ଥାନରେ ଫିଙ୍ଗିଦେବ ଯେ ତାଙ୍କ ଗାଁ ଲୋକେ ମଧ୍ୟ ଜାଣିପାରିବେ ନାହିଁ। ଅମାନବିକତା ଏଭଳି ସୀମା ଟପିଛି ଯେ କାର୍ଯ୍ୟରତ ଗର୍ଭବତୀ ମହିଳା ଶ୍ରମିକଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଅନୁରୋଧ କଲେ ତାହା ବି ଶୁଣୁ ନାହିଁ। ଏମିତି ଅଭିଯୋଗ କରିଛନ୍ତି ତେଲେଙ୍ଗାନାସ୍ଥିତ ଇଟାଭାଟିରେ କାର୍ଯ୍ୟରତ ବଲାଙ୍ଗୀର ଶ୍ରମିକ ଶେଖର ବାଗ। ଏହି ଶ୍ରମିକଙ୍କ ସମସ୍ୟା ନେଇ କୋରାପୁଟ ସାଂସଦ ସପ୍ତପଦୀ ଉଲାକା, ସାମାଜିକ କାର୍ଯ୍ୟକର୍ତ୍ତା ରଂଜିତା ପ୍ରିୟଦର୍ଶନୀଙ୍କ ସମେତ ବିଭିନ୍ନ ସ୍ଥାନରୁ ସାମାଜିକ କର୍ମକର୍ତ୍ତାଙ୍କ ଟ୍ବିଟ୍‌ ପରେ ତେଲେଙ୍ଗାନା ପ୍ରଶାସନ ତତ୍ପର ହେବା ସହିତ ୪ ଗର୍ଭବତୀ ମହିଳା ଓ ଶିଶୁଙ୍କ ସମେତ ସମୁଦାୟ ୮୪ ଜଣଙ୍କୁ ଉଦ୍ଧାର କରିଛି। ଖୁବଶୀଘ୍ର ସେମାନେ ଘରକୁ ଫେରିବେ ବୋଲି ଜଣାପଡ଼ିଛି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୀମା ଟପିବା ସହିତ ରାଜ୍ୟ ବାହାରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଏଥିପୂର୍ବରୁ ସମ୍ବଲପୁର, ବରଗଡ଼ ଜିଲ୍ଲାର ଶ୍ରମିକମାନେ ସମାନ ଅଭିଯୋଗ କରିଥିଲେ। ଏହାପରେ ଗଜପତିରୁ ମଧ୍ୟ ଏଭଳି ଅଭିଯୋଗ ମିଳିଥିଲା। କଳାହାଣ୍ଡି, ନୂଆପଡ଼ାର ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ୫ ମାସ ପୂର୍ବରୁ ବଲାଙ୍ଗୀରର ଟିଟିଲାଗଡ଼, ନୂଆପଡ଼ାର ଖଡ଼ିଆଳର ୮୪ ଶ୍ରମିକ ଇଟାଭାଟିରେ କାର୍ଯ୍ୟ ପାଇଁ ତେଲେଙ୍ଗାନା ଯାଇଥିଲେ। ଇଟା ଗଢ଼ିବା ପାଇଁ ୩୫ ହଜାର ଟଙ୍କା ଦେବା ପାଇଁ କହି ଦଲାଲ ତାଙ୍କୁ ନେଇଯାଇଥିଲା। କାର୍ଯ୍ୟ କରିବା ଆରମ୍ଭରୁ ହିଁ ଇଟାଭାଟି ମାଲିକ ସେମାନଙ୍କ ସହିତ ଗାଳିଗୁଲଜ ସହିତ ମାରପିଟ୍‌ କରିଥିଲା। ଏପରିକି ରାତିରେ କାମ କରାଉଥିବା ନେଇ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ମାସେ ହେଲା ସେମାନେ ଘରକୁ ଆସିବା ପାଇଁ ପ୍ରାପ୍ୟ ମାଗିବାରୁ କିଛି ଶ୍ରମିକଙ୍କୁ ୨୦ରୁ ୩୦ ହଜାର ଟଙ୍କା ଦେଇଥିଲେ। ୧୦ଜଣଙ୍କୁ କୌଣସି ଟଙ୍କା ଦିଆଯାଇ ନାହିଁ। ଶ୍ରମିକମାନେ ଯିବାକୁ ବାହାରିବା ବେଳକୁ ମାଲିକ ସେମାନଙ୍କ ସହିତ ଆହୁରି ଗାଳିଗୁଲଜ କରିଥିଲା। ଶ୍ରମିକଙ୍କ ସ୍ଥିତି ସମ୍ପର୍କରେ ଅବଗତ ହେବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ବିଶାଖାପାଟଣାସ୍ଥିତ ଏକ କାରଖାନାରେ ଗଜପତିର ୬ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। କରୋନା ସ୍ଥିତି ଦେଖି ଭୟରେ ସେମାନେ ଘରକୁ ଫେରିବା ପାଇଁ ଚାହିଁଲେ। ଏଥିପାଇଁ ନିଜ ପ୍ରାପ୍ୟ ମାଗିଥିଲେ। ମାତ୍ର କମ୍ପାନି ତାଙ୍କ ପ୍ରାପ୍ୟ ଦେଲା ନାହିଁ। ଏ ସମ୍ପର୍କରେ ସାମାଜିକ କର୍ମକର୍ତ୍ତା ଅବଗତ ହେବା ପରେ ତେଲେଙ୍ଗାନା ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ଏହି ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିଛି।

ତେଲେଙ୍ଗାନା ଇଟାଭାଟିକୁ କାରଣ ଦର୍ଶାଅ ନୋଟିସ
ପଶ୍ଚିମ ଓଡ଼ିଶାର ୩୨ ଶ୍ରମିକଙ୍କୁ ପ୍ରାପ୍ୟ ଦେବାରେ ଅବହେଳା ସମେତ ଶ୍ରମ ଆଇନ ଉଲ୍ଲଂଘନ ନେଇ ତେଲେଙ୍ଗାନାର ମାଙ୍ଗାଲୋରସ୍ଥିତ ଏମ୍‌ଏସ୍‌ ଏସ୍‌ଭିବି ବ୍ରିକ୍ସ ମେନୁଫକଚରିଂ ୟୁନିଟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି ତେଲେଙ୍ଗାନାର ଶ୍ରମ ବିଭାଗ। ଏହି ଶ୍ରମିକମାନଙ୍କୁ ଇଟାଭାଟି ମାଲିକ ପ୍ରାପ୍ୟ ପ୍ରଦାନରେ ଅବହେଳା ନେଇ ଅଭିଯୋଗ ମିଳିବା ପରେ ସ୍ଥାନୀୟ ପ୍ରଶାସନର ଏକ ଟିମ୍‌ ଇଟାଭାଟିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ସେମାନେ ନୋଟିସ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର