ଓଡ଼ିଆରେ ନାମ ଫଳକ ପୁଣି ମାସେ କଣ୍ଟ

ଅକ୍ଟୋବର ୧୫ ସୁଦ୍ଧା ରାଜଧାନୀର ସବୁ ନାମ ଫଳକ ଓଡ଼ିଆରେ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ରାଜଧାନୀର ସମସ୍ତ ନାମଫଳକ ଓଡ଼ିଆରେ ଲେଖା ହେବ। ଏହା ଯେପରି ଶତ ପ୍ରତିଶତ ସଫଳ ହେବ ସେଥିପାଇଁ ବିଏମ୍‌ସି ଓ ଶ୍ରମ ବିଭାଗ ବିଭିନ୍ନ ଅନୁଷ୍ଠାନ ଓ ବ୍ୟବସାୟୀଙ୍କୁ ସଚେତନ କରାଇବେ। ସମସ୍ତେ ଯେପରି ସ୍ୱଇଚ୍ଛାରେ ନାମଫଳକଗୁଡ଼ିକ ପ୍ରାଞ୍ଜଳ ଭାବେ ଓଡ଼ିଆରେ ଲେଖିବେ ସେଥିପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ଏହାକୁ ମିଶାଇ ଉନ୍ନୟନ କମିସନର୍‌ ତିନି ଥର ଏହିଭଳି ନିର୍ଦ୍ଦେଶ ଦେଲେଣି। କିନ୍ତୁ କେହି ମାନୁନାହାନ୍ତି। ଏପ୍ରିଲ ୩ ତାରିଖରେ ଉନ୍ନୟନ କମିସନର୍‌ ପ୍ରଥମ ବୈଠକ ନେଇଥିଲେ। ଏଥିରେ ନିର୍ଦ୍ଦେଶ ଦେଇଥିଲେ ଯେ, ସମସ୍ତ ସରକାରୀ ସଂସ୍ଥା ଦୁଇ ମାସରେ ନାମଫଳକ ଓଡ଼ିଆରେ ଲେଖିବେ। ଏଥିପାଇଁ ସମସ୍ତ ଜିଲ୍ଲାପାଳ, ପୌର ସଂସ୍ଥା କର୍ତ୍ତୃପକ୍ଷମାନେ ପଦକ୍ଷେପ ନେବେ। ଏହି ନିର୍ଦ୍ଦେଶକୁ ସରକାରୀ ସଂସ୍ଥାଗୁଡ଼ିକ ବାଏଁ ବାଏଁ ଉଡ଼ାଇ ଦେଲେ। ଏହାପରେ ଅଗଷ୍ଟ ୨୧ରେ ଉନ୍ନୟନ କମିସନର୍‌ ସଚିବାଳୟରେ ପୁଣି ବୈଠକ ନେଇ ସ୍ଥିତିର ସମୀକ୍ଷା କଲେ। କେହି ବି ଓଡ଼ିଆରେ ନାମଫଳକ ଲେଖିବାକୁ ଆଗ୍ରହ ଦେଖାଉ ନଥିବା ଜଣାପଡ଼ିବା ପରେ ଉନ୍ନୟନ କମିସନର ନିର୍ଦ୍ଦେଶ ଦେଲେ ଯେ, ୧୫ଦିନ ମଧ୍ୟରେ ସମସ୍ତ ସରକାରୀ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିବେ। ଆଉ ୩୦ଦିନ ମଧ୍ୟରେ ୧୦୦ଟି ବଡ଼ ପ୍ରତିଷ୍ଠାନ (ହୋଟେଲ, ସ୍କୁଲ, ହସ୍ପିଟାଲ) ପ୍ରାଞ୍ଜଳ ଭାବେ ଓଡ଼ିଆରେ ନାମଫଳକ ଲେଖିବେ। ଏହି ନିଷ୍ପତ୍ତିକୁ ୨୫ଦିନ ବିତିବା ପରେ ଆଜି ବିଏମ୍‌ସି ସମ୍ମିଳନୀ କକ୍ଷରେ ପୁଣି ବୈଠକ ବସିଲା। ହେଲେ କେତେ ଦୋକାନୀ, ବାଣିଜ୍ୟିକ ପ୍ରତିଷ୍ଠାନ, ସରକାରୀ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିଛନ୍ତି ତା’ର ହିସାବ ନିକାଶ ହେଲାନି। ପୁଣି ମାସିକିଆ କଣ୍ଟ ଧାର୍ଯ୍ୟ ହେଲା। ସରକାର କଣ୍ଟ ବଢ଼ାଇ ଚାଲିଛନ୍ତି କିନ୍ତୁ କିଏ ଓଡ଼ିଆରେ ଲେଖୁଛନ୍ତି କି ନାହିଁ ତା’ର ହିସାବ କାହା ପାଖରେ ନାହିଁ।

ଖିଲାପକାରୀଙ୍କ ନାମ ସାର୍ବଜନୀନ ହେବ
ମାସକ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଶ୍ରମ ବିଭାଗ

ଏବେ କୁହାଯାଇଛି ଯେ, ଓଡ଼ିଆରେ ନାମଫଳକ ଲେଖା ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ ଖୁବ୍‌ ଶୀଘ୍ର ଏକ େଓ୍ଵବସାଇଟ୍‌ ଖୋଲାଯିବ। ଏଥିରେ ସମସ୍ତ ନାମଫଳକ ତଦାରଖ ପାଇଁ ବ୍ୟବସ୍ଥା ରହିବ। ଯଦି କୌଣସି ଅନୁଷ୍ଠାନର ନାମ ଫଳକ ଓଡ଼ିଆରେ ଲେଖା ହୋଇ ନଥିବ ତେବେ ଯେକେହିବି ବ୍ୟକ୍ତିି ଏହାର ଫଟୋ ଉଠାଇ ସଂପୃକ୍ତ େଓ୍ଵବସାଇଟ୍‌ରେ ଅପଲୋଡ୍‌ କରିପାରିବେ। ଶ୍ରମ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜଧାନୀର ସମସ୍ତ ନାମଫଳ ଓଡ଼ିଆରେ ଯେପରି ଲେଖା ହେବ, ଏଥିପାଇଁ କ’ଣ କ’ଣ ପଦକ୍ଷେପ ନିଆଯିବ ସେନେଇ ବିଏମ୍‌ସି ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ଆଲୋଚନା ହୋଇଛି। ଏଥିରେ ଉନ୍ନୟନ କମିସନର ଆର୍‌. ବାଲକ୍ରିଷ୍ଣନ ଯୋଗଦେଇ କହିଲେ, ଭାଷା ଭିତ୍ତିରେ ରାଜ୍ୟ ଗଠନରେ ଓଡ଼ିଶା ପ୍ରଥମ ରାଜ୍ୟ। ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ଓଡ଼ିଆ ମାନ୍ୟତା ପାଇଛି। ଯାହା ସମଗ୍ର ରାଜ୍ୟ ପାଇଁ ଗର୍ବର ବିଷୟ। ତେବେ ବତର୍ତ୍ତମାନ ସମୟ ଆସିଛି ପ୍ରତ୍ୟେକ ଅନୁଷ୍ଠାନ ମିଳିମିିଶି ଏହି ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା। ଏଥିପାଇଁ ସମସ୍ତ ସ୍ଥାନରେ ଓଡ଼ିଆ ଭାଷା ବ୍ୟବହାର ହେବା ଦରକାର। ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପରେ ବି ଓଡ଼ିଆ ଭାଷା ଓ ଅକ୍ଷରର ବ୍ୟବହାର ହେବା ଦରକାର। ଜାପାନ, କୋରିଆ, ଚାଇନା ଭଳି ଉନ୍ନତ ଦେଶଗୁଡ଼ିକ ନିଜର ଭାଷାକୁ ଏବଂ ଜାତୀୟତାକୁ ଊର୍ଦ୍ଧ୍ୱରେ ରଖିବା ପାଇଁ ନିଜର ସାହିତ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ନିଜ ମାତୃଭାଷାର ପ୍ରୟୋଗ କରି ଆଜି ସଫଳ ହୋଇଛନ୍ତି।

ଏହି ବୈଠକରେ ଶ୍ରମ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଯୋଗଦେଇ କହିଲେ ଯେ, ପ୍ରତ୍ୟେକ ନାମଫଳକ ଓଡ଼ିଆରେ ଲେଖିବା ପାଇଁ ଆମେ ସଚେତନ କରିବୁ। ଏହା ଯେପରି କଡ଼ାକଡ଼ି ଭାବେ ଲାଗୁ ହେବ ସେଥିପାଇଁ ଖୁବ୍‌ ଶୀଘ୍ର ନିୟମ ଅନୁଯାୟୀ ଦଣ୍ଡବିଧାନ କରାଯିବ। ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, କ୍ରୀଡ଼ା ସଚିବ ବିଶାଲ ଦେବ, ବିଏମ୍‌ସି କମିସନର କ୍ରିଷନ କୁମାର, ପୌରନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ବିଏମ୍‌ସିର ଅତିରିକ୍ତ କମିସନର ଶୁଭମ୍‌ ସାକ୍‌ସେନାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବିଭିନ୍ନ ପ୍ରତିଷ୍ଠାନର ଅଧିକାରୀମାନେ ଏଥିରେ ଯୋଗଦେଇଥିଲେ। ଓଡିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମସାରାଣୀ ଦାସ ମହାପାତ୍ର କହିଥିଲେ, ପ୍ରଶାସନିକ ଶବ୍ଦକୁ ନେଇ ଏକ ଶବ୍ଦକୋଷ ପ୍ରସ୍ତୁତ କରାଯାଉ। ଏହାକୁ ସାଧାରଣ ଲୋକ ଓ ପ୍ରତିଷ୍ଠାନଗୁଡ଼ିକ ବ୍ୟବହାର କରି ସେମାନଙ୍କ ନାମଫଳକରେ ଠିକ୍‌ ଓଡ଼ିଆ ଲେଖିପାରିବେ।

ସମ୍ବନ୍ଧିତ ଖବର