ଓଡ଼ିଆ ତଟରକ୍ଷୀ ବାହିନୀ ଡିଆଇଜି ସମ୍ବର୍ଦ୍ଧିତ

ଭୁବନେଶ୍ବର: ତଟରକ୍ଷୀ ବାହିନୀ ଡିଆଇଜି ଅନୱର ଖାନ୍‌ଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ବରର ଅନୱର ଖାନ୍‌ ୨୦୧୬ ମେ ୧୮ ତାରିଖରେ ଘଟିଥିବା ଭୟାବହ ବାତ୍ୟା ‘ରୁଆନୁ’ ପ୍ରଭାବରେ ଚେନ୍ନାଇ ଉପକୂଳ ସମୁଦ୍ର ମଝିରେ ଫସିଥିବା ଏକ ଜାହାଜର ୧୩ ଜଣଙ୍କୁ ଉଦ୍ଧାର କରିଥିଲେ। ଖାଲି ସେତିକି ନୁହେଁ, କାଳେ ଜାହାଜଟି ପାଣିରେ ବୁଡ଼ିଗଲେ ପରିବେଶ ପ୍ରଦୂଷିତ ହେଇଯିବ, ସେଥିପାଇଁ ଷ୍ଟିଲ ତାରରେ ବାନ୍ଧି ତାକୁ କୂଳକୁ ଭିଡି ଭିଡି ଆଣି ଚର୍ଚ୍ଚାକୁ ଆସିଥିଲେ। ୨୩ ବର୍ଷୀୟ ଅନ୍‌ୱର ବିଶାଖାପାଟଣାରେ ପୂର୍ବ ତଟ ରକ୍ଷୀ ବାହିନୀର ଏକମାତ୍ର ସ୍ୱତନ୍ତ୍ର ପ୍ରଦୂଷଣ ନିୟନ୍ତ୍ରଣକାରୀ ଜାହାଜ ‘ସମୁଦ୍ର ପହରଦାର’ରେ କମାଣ୍ଡିଙ୍ଗ ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି ସାହସ ଓ କର୍ତ୍ତବ୍ୟ ପରାୟଣତା ପାଇଁ ତାଙ୍କୁ ଆଜି ଚେନ୍ନାଇରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ପଦକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ସେ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସାରା ଦେଶ ପାଇଁ ଗର୍ବ ଆଣିଛନ୍ତି।

ଭୁବନେଶ୍ବର ବାସିନ୍ଦା ଡିଆଇଜି ଅନୱର ଭୁବନେଶ୍ୱର ଓୟୁଏଟି ଅଧୀନ କୃଷି ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରି ହାସଲ କଲା ପରେ ୧୯୯୭ ମସିହାରେ କୋଷ୍ଟ ଗାର୍ଡରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଯୋଗ ଦେଇଥିଲେ। କୃଷି ମହାବିଦ୍ୟାଳୟରେ ପଢ଼ିବା ବେଳେ ସେ ଏନସିସିରେ ପ୍ରଥମ ଓଡିଶା ଘୋଡ଼ା ସବାର ବାହିନୀ ସିନିୟର ଅଣ୍ଡର ଅଫିସର ଥିଲେ। ଜଣେ ଦକ୍ଷ ଅଶ୍ୱ ଚାଳକ ହିସାବରେ ନାଁ କମେଇଥିବା ଅନୱର ତାଙ୍କ ବ୍ୟାଚରେ ସାରା ଭାରତରେ ଶ୍ରେଷ୍ଠ ଅଲ ରାଉଣ୍ଡ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହେବାର ଗୌରବ ଅର୍ଜନ କରିଥିଲେ। ପୂର୍ବରୁ ଏଭଳି ସାହସିକତା ପାଇଁ ସେ ଡିଜିଆଇସିଜି, ସିଓଏମ୍‌ସିଜି, ସିଆଇଏନ୍‌ସିଏଏନ୍‌ ପଦକ ପାଇ ସାରିଛନ୍ତି।

ସମ୍ବନ୍ଧିତ ଖବର