ଓଡ଼ିଆ ନବବର୍ଷ ଉତ୍ସବ: ନୃତ୍ୟରେ ତ୍ରିବେଶୀ ସଙ୍ଗମ, ଗୀତରେ ଫଗୁଣ

ଭୁବନେଶ୍ବର: ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଅନୁଚିନ୍ତା ସହ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି ଓଡ଼ିଆ ନବବର୍ଷ ଉତ୍ସବ। ଚିର ସବୁଜ ଗୀତ ସାଙ୍ଗକୁ ପାରମ୍ପରିକ ଓ ଓଡ଼ିଶୀ ନୃତ୍ୟରେ ବିଭୋର ହେବାର ଅବକାଶ ଆଣିଦେଇଥିଲା ଏହି ଉତ୍ସବ। ଅନୁଗୁଳର ସ୍ବପ୍ନାରାଣୀ ସିହ୍ନା ଓ ସାଥୀ ଓଡ଼ିଶୀ ନୃତ୍ୟରେ ‘ତ୍ରିବେଣୀ ସଂଗମ’ ଭେଟି ଦେଇଥିଲେ। ଭାରତର ଜୀବନ ରେଖା ଏହି ତ୍ରିବେଣୀ ସଂଗମର ପୌରାଣିକ ପୃଷ୍ଠଭୂମି ଭିତ୍ତିକ ନୃତ୍ୟରେ ପ୍ରସ୍ତୁତ କରିଥିଲେ ଶିଳ୍ପୀବୃନ୍ଦ। ତାଙ୍କ ପରେ ନୃତ୍ୟ ଗବେଷକ ରବିରତନ ସାହୁଙ୍କ ନୃତ୍ୟ ସଂଯୋଜନାରେ ‌ଲୁପ୍ତପ୍ରାୟ ଲୋକକଳା କର୍‌ମା ନୃତ୍ୟ ପ୍ରସ୍ତୁତ ହୋଇଥିଲା। ଭାଦ୍ରବ ଏକାଦଶୀରେ ଏହା ପ୍ରାୟତଃ ପଶ୍ଚିମ ଓଡ଼ିଶାରେ ଦେଖିବାକୁ ମିଳୁଥିବା ବେଳେ ପୂର୍ବରୁ ଝିଅମାନେ ହିଁ ଏହି ନୃତ୍ୟ କରୁଥିଲେ। ପୁରୁଷ ନୃତ୍ୟଶିଳ୍ପୀଙ୍କୁ ନେଇ ଏହାକୁ ମଞ୍ଚରେ ଉପସ୍ଥାପନ କରିଥିଲେ ଶିଳ୍ପୀ ରବିରତନ। ତାଙ୍କ ପରେ ସୁଗମ ସଂଗୀତ ଶୁଣିବାକୁ ମିଳିଥିଲା। ହେ ଫଗୁଣ କାନ୍ଦନାରେ.., ସେଇ ଶୀତ ସକାଳ.., ଫୁଲ ଯେବେ ଝୁମିଯାଏ.., ଦିନ ରାତି ବିତେ ମୋର.., ହେ ଫଗୁଣ ତୁମେ ଗଲାପରେ.., ଫୁଲେଇ ରାଣୀ ସଜଫୁଲ..ଭଳି ଗୀତ ଭେଟି ଦେଇଥିଲେ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଛନ୍ଦା ମିଶ୍ର, ପ୍ରତିଭା ପ୍ରଧାନ ଏବଂ ଶଶାଙ୍କ ଶେଖର ସାହୁ। ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ କର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର