ଖଣ୍ଡଗିରି: ଗୁଣାତ୍ମକ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ବରକୁ ପ୍ରତିଦିନ ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ରୋଗୀ ଆସୁଛନ୍ତି। ହେଲେ ଓପିଡି ଟିକେଟ୍ ଖଣ୍ଡେ ପାଇବା ଲାଗି ଓଡ଼ିଆଙ୍କୁ ଉପେକ୍ଷିତ ହେଉଥିବା ଅଭିଯୋଗ ହେଉଛି। ବାହାର ରାଜ୍ୟର ଲୋକଙ୍କ ତୁଳନାରେ ଓଡ଼ିଆମାନେ ତୁଳନାତ୍ମକ ଭାବେ କମ୍ ଓପିଡି ଟିକେଟ୍ ପାଉଛନ୍ତି। ବିଶେଷକରି ପଶ୍ଚିମବଙ୍ଗର ଏମ୍ସ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବାରୁ ବହୁ ସଂଖ୍ୟକ ବଙ୍ଗାଳୀ ରୋଗୀ ପୂର୍ବ ରାତିରୁ ଆସି ଡେରାପକାଇ ଟିକେଟ୍ ହାତେଇ ନେଉଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଏମ୍ସରେ ପ୍ରତିଦିନ ହାରାହାରି ୩ହଜାର ରୋଗୀଙ୍କ ଲାଗି ଓପିଡି ଟିକେଟ୍ ଉପଲବ୍ଧ ହେଉଛି। ଏଥିମଧ୍ୟରୁ ୨୦ ପ୍ରତିଶତ ଅନ୍ଲାଇନ୍ ବୁକିଂ ପାଇଁ ରହୁଛି। ଅଫ୍ଲାଇନ୍ ଟିକେଟ୍ ବୁକିଂ ପାଇଁ ମହିଳା, ପୁରୁଷ, ବରିଷ୍ଠ ନାଗରିକ ଓ ବିଏସ୍କେୱାଇ ଭଳି ୪ଟି ବର୍ଗରେ ରୋଗୀ ଲାଇନ୍ ଲଗାଉଛନ୍ତି। ତେବେ ଏହି ରୋଗୀଙ୍କ ଭିତରେ ଓଡ଼ିଆ ଲୋକଙ୍କ ସଂଖ୍ୟା ତିନି ଭାଗରୁ ଭାଗେ। ଅର୍ଥାତ୍ ତିନି ହଜାର ରୋଗୀଙ୍କ ମଧ୍ୟରୁ ହଜାରେ ଓଡ଼ିଆ, ଦେଢ଼ହଜାର ବଙ୍ଗାଳୀ ଓ ଅବଶିଷ୍ଟ ରୋଗୀ ଅନ୍ୟ ରାଜ୍ୟମାନଙ୍କରୁ ଆସୁଛନ୍ତି। ଏଥିରୁ ସ୍ପଷ୍ଟ ଯେ ପଶ୍ଚିମବଙ୍ଗର ଲୋକମାନେ ଏମ୍ସ୍ ଭୁବନେଶ୍ବର ଉପରେ ଅଧିକ ନିର୍ଭରଶୀଳ।
ପ୍ରତିଦିନ ରୋଗୀଙ୍କ ସଂଖ୍ୟା ଦେଖି ଓପିଡି ଟିକେଟ୍ ଉପଲବ୍ଧ ହୋଇଥାଏ। ଗେଟ୍ ଖୋଲିବା ମାତ୍ରେ ଦୌଡ଼ି ଯାଇ କିଭଳି ଆଗ ଟିକେଟ୍ ରଖିବେ ସେ ନେଇ ପ୍ରତିଯୋଗିତା ଚାଲୁଛି। ଟିକେଟ୍ ନମିଳିଲେ ଆହୁରି ଦିନଟିଏ ଅପେକ୍ଷା କରିବାକୁ ହେବ। ଏଥିପାଇଁ ଏଠାରେ ଦଲାଲଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଦଲାଲମାନେ ମୁଖ୍ୟତଃ ପଶ୍ଚିମବଙ୍ଗର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଟାର୍ଗେଟ୍ କରି ଚଢ଼ା ଦରରେ ଓପିଡି ଟିକେଟ୍ ଯୋଗାଉଛନ୍ତି। ଲମ୍ବା ଲାଇନ୍ ଲଗାଇବା ଅପେକ୍ଷା ଦଲାଲଙ୍କୁ ହାତ କରି ସୁବିଧାରେ ଟିକେଟ୍ ପାଇବା ପାଇଁ ୧୦ଟଙ୍କିଆ ଟିକେଟ୍ର ଦାମ୍ ଏକ ହଜାର ଟଙ୍କାରେ ପହଞ୍ଚୁଛି।
ଆଜି ବୌଦ୍ଧ ଜିଲ୍ଲାରୁ ଆସିଥିବା ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ କହିଛନ୍ତି, ଏଠାରେ ଓଡ଼ିଶାର ରୋଗୀମାନଙ୍କୁ ଅବହେଳା କରାଯାଉଛି। ଭୋର୍ ୪ଟାରୁ ଆସି ଲାଇନ୍ ଲଗାଇଥିଲା ବେଳେ ମେଡିସିନ୍ ଓପିଡି ଟିକେଟ୍ ଶୀଘ୍ର ସରିଯିବାରୁ ହଇରାଣ ହୋଇଛୁ। ପୁଣି ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ହେବ। ଟିକେଟ୍ ନିମଳିବାରୁ ବାରମ୍ବାର ଯା’ଆସ କରି ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଓପିଡି ଟିକେଟ୍ ବୃଦ୍ଧି କରିବା ସହିତ ଏଥିରେ ଓଡ଼ିଆଙ୍କ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟା ସଂରକ୍ଷଣ କରିବାକୁ ସେ ଦାବି କରିଛନ୍ତି। ଅନୁରୂପ ଭାବେ ପଶ୍ଚିମବଙ୍ଗରୁ ନିଜ ଭଉଣୀଙ୍କ ପାଇଁ ଏମ୍ସ ଆସିଥିବା ଦତ୍ତାତ୍ରେୟ ଭଟ୍ଟାଚାର୍ଯ୍ୟ କହିଛନ୍ତି କାର୍ଡିଓଲୋଜିରେ ଏମ୍ସ ଭୁବନେଶ୍ବରର ନାଁ ଭଲ ରହିଛି। ଏଣୁ ଦୂର ହେଉ ପଛେ ଭଉଣୀଙ୍କ ଚିକିତ୍ସା କରିବାକୁ ଆସିଛି। ଭୁବନେଶ୍ବରର ଏମ୍ସ ଅଧୀକ୍ଷକ ଦିଲୀପ କୁମାର ପରିଡ଼ା ଏହି ଅଭିଯୋଗକୁ ଖଣ୍ଡନ କରିକହିଛନ୍ତି, ଏମ୍ସ ଏକ ଜାତୀୟ ପ୍ରତିଷ୍ଠାନ ହେତୁ ଓପିଡି ଟିକେଟ୍ ପାଇଁ କାହାକୁ ମନା କରିହେବ ନାହିଁ। ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି ସତ, ମାତ୍ର ଓଡ଼ିଆ ରୋଗୀଙ୍କୁ ଚିକିତ୍ସାରେ କୌଣସି ପ୍ରକାର ଅବହେଳା କରାଯାଉନାହିଁ। ସଭିଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦେବାକୁ ଏମ୍ସ ଭୁବନେଶ୍ବର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।