ଭୁବନେଶ୍ୱର ବିମାନ ବନ୍ଦରରେ ଓଡ଼ିଶା ରସଗୋଲା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଶୁକ୍ରବାର ସକାଳେ ‘ବିକଳାନନ୍ଦ କରଙ୍କ ରସଗୋଲା’ର ଏକ ସ୍ୱତନ୍ତ୍ର କାଉଣ୍ଟର ଖୋଲିବା ସହିତ ଓଡ଼ିଶା ରସଗୋଲାର ଏକ ନୂଆ ଯାତ୍ରା ଆରମ୍ଭ ହୋଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା, ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ହରେକୃଷ୍ଣ ନନ୍ଦ, ଗବେଷକ ଅସିତ ମହାନ୍ତି, ବିଜ୍ଞାନୀ ପ୍ରମୋଦ କୁମାର ପଣ୍ଡା ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ସଭାପତି ବିମ୍ବାଧର ବେହେରା ଉପସ୍ଥିତ ଥିଲେ। ଏକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପ୍ରଥମ ଥର ପାଇଁ ସାଲେପୁରର ଏହି ପ୍ରସିଦ୍ଧ ରସଗୋଲା କାଉଣ୍ଟର ଖୋଲିଥିବାରୁ ଏହା ‘ଓଡ଼ିଶା ରସଗୋଲା’କୁ ଅବଶିଷ୍ଟ ଭାରତରେ ତଥା ଆନ୍ତର୍ଜାତିକ ସ୍ତରରେ ପରିଚିତ କରିବ ବୋଲି ଶ୍ରୀ ଗୁପ୍ତା ଆଶାପ୍ରକାଶ କରିଥିଲେ।

ଏହି ରସଗୋଲା କାଉଣ୍ଟର ଦିନରାତି ୨୪ ଘଣ୍ଟା ଖୋଲା ରହିବ ବୋଲି ପ୍ରଶାନ୍ତ କର ସୂଚନା ଦେଇଛନ୍ତି। ବର୍ତ୍ତମାନ ପାଇଁ ଏଠାରେ ନିତିଦିନିଆ ରସଗୋଲା ସହିତ ଖିରମୋହନ ରସଗୋଲା, ଚକୋଲେଟ ରସଗୋଲା, ଅରେଞ୍ଜ ରସଗୋଲା ଓ ଖଜୁରିଗୁଡ ରସଗୋଲା ସହିତ ଖଜୁରି ବରଫି, କଜୁରି ଗୁଡ ସନ୍ଦେଶ, ଛେନାପୋଡ, କାଜୁବରଫି, କାଲାଜାମ, ଚମଚମ, ଗୁଲାବଜାମୁ ଓ ରାଜଭୋଗ ସମେତ ପ୍ରାୟ ୧୫ ପ୍ରକାରର ଅନ୍ୟାନ୍ୟ ‘ନମକିନ୍‌’ ସାମଗ୍ରୀ ମିଳୁଛି। ଶ୍ରୀଘ୍ର ଏଥିରେ ଆହୁରି ଅନେକ ନୂଆ ମିଠା ଯୋଡ଼ାଯିବ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର