ଓଡ଼ିଆ ସାହିତ୍ୟ ସମାରୋହ: ସଂସ୍କୃତ ଓ ପ୍ରାକୃତ ଭାଷା‌ରେ ନିପୁଣ ଥିଲେ କବିସୂର୍ଯ୍ୟ

ଭୁବନେଶ୍ୱର : ରୀତିଯୁଗର ଶେଷଚରଣରେ ଉଦୀୟମାନ କବିସୂର୍ଯ୍ୟ ବଳଦେବ ରଥ ଉଭୟ ସଂସ୍କୃତ ଓ ପ୍ରାକୃତ ଭାଷାରେ ଦକ୍ଷ ଥିଲେ। ସଂସ୍କୃତ, ଓଡ଼ିଆ, ବଙ୍ଗଳା, ତେଲୁଗୁ ହିନ୍ଦୀ ଇତ୍ୟାଦିରେ ତାଙ୍କର ଲେଖା ଏହାର ପ୍ରମାଣ। ଜୟଦେବ ଭବନରେ ସାରସ୍ୱତ ଅନୁଷ୍ଠାନ ‘ଭଞ୍ଜଭାରତୀ’ପକ୍ଷରୁ ତ୍ରିଦିବସୀୟ ଓଡ଼ିଆ ସାହିତ୍ୟ ସମାରୋହର ଦ୍ବିତୀୟ ସନ୍ଧ୍ୟାରେ ଯୋଗଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର ସଭାପତି ନୀଳାଦ୍ରିମୋହନ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଅଧସ୍ତନ କର୍ମଚାରୀ ପ୍ରବରଣ ଆୟୋଗର ସଚିବ ବିଷ୍ଣୁପ୍ରସାଦ ମିଶ୍ର କବିସୂର୍ଯ୍ୟ ସଂସ୍କୃତ ଓ ପ୍ରାକୃତ ଭାଷାରେ ଦକ୍ଷ ଥିଲେ ବୋଲି ମତ ରଖି‌ଥିଲେ। ସଂସ୍କୃତ, ଓଡ଼ିଆ, ବଙ୍ଗଳା, ତେଲୁଗୁ ହିନ୍ଦୀ ଇତ୍ୟାଦିରେ ତାଙ୍କର ଲେଖା ଏହାର ପ୍ରମାଣ। ବିଶିଷ୍ଟ ଅତିଥି ଦୈନିକ ଖବର କାଗଜ ‘ସକାଳ’ର ସମ୍ପାଦକ ଉମାକାନ୍ତ ମିଶ୍ର କବିସୂର୍ଯ୍ୟଙ୍କ ରଚନାରେ ଥିବା ଶାଣିତ ବ୍ୟଙ୍ଗ ଓ ସାମାଜିକ ଶୃଙ୍ଖଳା ଭିତ୍ତିକ ବାର୍ତ୍ତାର ଅବତାରଣା କରିଥିଲେ।

ମୁଖ୍ୟ ବକ୍ତାଭାବେ ସୁରେନ୍ଦ୍ର ଚନ୍ଦ୍ର ମିଶ୍ର କବିସୂର୍ଯ୍ୟଙ୍କ ଚମ୍ପୂରେ ଥିବା ଭକ୍ତିଭାବ ଓ ଜ୍ଞାନ ଉପରେ ଆଲୋକପାତ କରିଥିବା ବେଳେ ଭଞ୍ଜଭାରତୀର ସମ୍ପାଦକ କୃଷ୍ଣକେଶବ ଷଡ଼ଙ୍ଗୀ ବଳଦେବଙ୍କ ରଚିତ କାବ୍ୟକ ବୈଶିଷ୍ଟ୍ୟ ଏବଂ ଜଗନ୍ନାଥୀୟ ଚେତନାର ଆଲୋଚନା କରିଥିଲେ। ସଭାକୁ ଅନୁଷ୍ଠାନର କୋଷାଧ୍ୟକ୍ଷା ଶୈଳଜା ମିଶ୍ର ସଂଯୋଜନା କରିଥିବା ବେଳେ ଅଶୋକ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ନାଦବ୍ରହ୍ମ ଅନୁଷ୍ଠାନ ପକ୍ଷରୁ କଣ୍ଠଶିଳ୍ପୀ ମହାପାତ୍ର ମିନତି ଭଞ୍ଜ ଓ ପ୍ରଫେସର ଜଗନ୍ନାଥ କୁଅଁରଙ୍କ ଦ୍ବାରା ଭଞ୍ଜସଙ୍ଗୀତ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ସୁକାନ୍ତ ଗିରି, ସ୍ୱୟଂପ୍ରଜ୍ଞା ସାହୁ, ନନ୍ଦକିଶୋର ଜେନା, ପ୍ରସନ୍ନ ବେହେରା, ଅଶୋକ କୁମାର ମିଶ୍ର, ବିମଳ ଲୋଚନ ପଟ୍ଟନାୟକ, ବେଣୁଧର ଦାସ, ପବିତ୍ରମୋହନ ସାହୁ, ସୁରେଶ୍ୱର ପାଣିଗ୍ରାହୀ, ବିନୀତା ସିଂହ ଓ ଇତିଶ୍ରୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

ଗତକାଲି ଉଦ୍‌ଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ ଭଞ୍ଜଭାରତୀର ସମ୍ପାଦକ କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗଦେଇଥିଲେ। ଏହି ଅବସରରେ କବୀ ସରୋଜିନୀ ଷଡ଼ଙ୍ଗୀଙ୍କୁ ‘ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତିସମ୍ମାନ-୨୦୨୩’ରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର